ମସଜିଦ ଗୁଳିକାଣ୍ଡ; ବନ୍ଧୁକଧାରୀଙ୍କ ସହ ଲଢ଼ି ଅନେକଙ୍କ ଜୀବନ ବଞ୍ଚାଇଥିଲେ ଯୁବକ

0

ନ୍ୟୁଜିଲାଣ୍ଡ: ଶୁକ୍ରବାର ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚରେ ଥିବା ୨ଟି ମସଜିଦରେ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୪୦ ଜଣ ଆହତ ହୋଇଥିଲେ। ଅଲ ନୁର ମସଜିଦ ଏବଂ ଲିନଉଡ ମସଜିଦରେ ଏହି ଗୁଳିକାଣ୍ଡ ଘଟିଥିଲା। ତେବେ ଲିନଉଡ ମସଜିଦରେ ଜଣେ ଯୁବକ ବନ୍ଧୁକଧାରୀଙ୍କ ସହ ଲଢ଼େଇ କରି ଅନେକଙ୍କ ଜୀବନ ବଞ୍ଚାଇଥିଲେ। ଗୁଳିକାଣ୍ଡରେ ବର୍ତ୍ତିଯାଇଥିବା କେତେଜଣ ପ୍ରତ୍ୟକ୍ଷଦର୍ଶୀ ଏଭଳି ବୟାନ ଦେଇଛନ୍ତି। ତେବେ ସମ୍ପୃକ୍ତ ଯୁବକଙ୍କୁ ଚିହ୍ନଟ କରାଯାଇପାରି ନାହିଁ। କିନ୍ତୁ ତାଙ୍କ ସାହସିକତାକୁ ଲୋକେ ଭୂରି ଭୂରି ପ୍ରଶଂସା କରୁଛନ୍ତି।

କେତେଜଣ ପ୍ରତ୍ୟକ୍ଷଦର୍ଶୀ ସମ୍ପୃକ୍ତ ଯୁବକଙ୍କ ସାହସିକତା ବିଷୟରେ ନ୍ୟୁଜିଲାଣ୍ଡ ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଲିନଉଡ ମସଜିଦରେ ବହୁ ଲୋକ ନମାଜ ପାଠ କରୁଥିବାବେଳେ ଜଣେ ବନ୍ଧୁକଧାରୀ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲା। ମସଜିଦର ଦାୟିତ୍ଵ ତୁଲାଉଥିବା ଜଣେ ଯୁବକ ହଠାତ ଉକ୍ତ ବନ୍ଧୁକଧାରୀଙ୍କ ଉପରକୁ ଲମ୍ଫ ମାରିବା ସହ ତା’ ହାତରୁ ବନ୍ଧୁକ ଛଡ଼ାଇ ନେଇଥିଲେ। ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବନ୍ଧୁକଧାରୀକୁ ଯୁବକ ଜଣକ କାବୁ କରିବାକୁ ଉଦ୍ୟମ କରିବା ବେଳେ ସେ ଖସି ବାହାରକୁ ଚାଲିଯାଇଥିଲା। ପରେ ବାହାରେ ଅପେକ୍ଷା କରିଥିବା ଏକ କାରରେ ସେ ଫେରାର ହୋଇଯାଇଥିଲା। ଯୁବକ ଜଣକ ଏଭଳି ସାହସିକ ପଦକ୍ଷେପ ନେଇ ନ ଥିଲେ ଆହୁରି ଅନେକ ଲୋକ ବନ୍ଧୁକଧାରୀର ଗୁଳିରେ ପ୍ରାଣ ହରାଇଥାନ୍ତେ ବୋଲି ସମ୍ପୃକ୍ତ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡରେ ଅଲ ନୁର ମସଜିଦରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ଲିନଉଡ୍‌ ମସଜିଦରେ ୮ ଜଣଙ୍କ ପ୍ରାଣହାନି ଘଟିଥିଲା।

Leave A Reply