ରୁଷିଆ-ସାଉଦି ଆରବ ଉଦ୍‍ଘାଟନୀ ମୁକାବିଲା ଆଜି

0

ମସ୍କୋ :  ଗୁରୁବାର ମସ୍କୋର ଲୁଝ୍‍ନିକି ଷ୍ଟାଡିୟମ୍‍ରେ ୨୧ତମ ଫିଫା ଫୁଟ୍‍ବଲ ବିଶ୍ୱକପ୍‍ର ବିଗୁଲ ବାଜିବ। ଉଦ୍‍ଘାଟନୀ ମ୍ୟାଚ୍‍ରେ ମୁକାବିଲା ହେବ ଆୟୋଜକ ରୁଷିଆ ଓ ଏସୀୟ ଦେଶ ସାଉଦି ଆରବ ମଧ୍ୟରେ। ଟୁର୍ଣ୍ଣାମେଣ୍ଟରେ ନ ହେଲେ ମଧ୍ୟ ଏହି ମ୍ୟାଚ୍‍ରେ ରୁଷିଆ ନିଶ୍ଚୟ ଫେଭରିଟ୍‍। ଗ୍ୟାଲେରୀରେ ୮୦ ହଜାର ଘରୋଇ ଦର୍ଶକ ରୁଷିଆ ଦଳକୁ ସମର୍ଥନ କରିବେ। ଏହା ଘରୋଇ ଦଳକୁ ଉତ୍ସାହିତ କରିବ ନିଶ୍ଚୟ। ଗ୍ରୁପ୍‍ ‘ଏ’ରେ ବିଜୟ ସହ ରୁଷିଆ ବିଶ୍ୱକପ୍‍ରେ ଅଭିଯାନ ଆରମ୍ଭ କରିବାକୁ ଚାହିଁବ। ଏହାର ପ୍ରଥମ ଲକ୍ଷ୍ୟ ରହିବ ନକ୍‍ଆଉଟ ପର୍ଯ୍ୟାୟରେ ପହଞ୍ଚିବା। କାରଣ, ରୁଷିଆ ଅଦ୍ୟାବଧି ଥରେ ମଧ୍ୟ ଲିଗ୍‍ ପର୍ଯ୍ୟାୟ ପାର କରି ପାରିନାହିଁ। ତେବେ ସାଉଦି ଆରବକୁ ପରାସ୍ତ କରିବାରେ ଏହା ସମର୍ଥ।
ଗ୍ରୁପ୍‍ ‘ଏ’ରେ ଥିବା ଅନ୍ୟ ୨ଟି ଦଳ ଉରୁଗୁଏ ଓ ଇଜିପ୍‍ଟ ଅପେକ୍ଷାକୃତ ଶକ୍ତିଶାଳୀ। ତେଣୁ ସାଉଦି ଆରବକୁ ହରାଇପାରିଲେ ରୁଷିଆର ନକ୍‍ଆଉଟ ଖେଳିବା ଆଶା ବଜାୟ ରହିବ। ରୁଷିଆ ଏବେ ଭଲ ଫର୍ମରେ ନାହିଁ। ଫିଫା ମାନ୍ୟତାରେ ୭୦ତମ ସ୍ଥାନରେ ଥିବା ରୁଷିଆ ଗତ ୮ ମାସରେ ଗୋଟିଏ ମ୍ୟାଚ୍‍ ମଧ୍ୟ ଜିତି ପାରିନାହିଁ। ତଥାପି ଦଳକୁ ଭଲ ପ୍ରଦର୍ଶନ କରିବାକୁ ଆହ୍ୱାନ ଜଣାଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‍। ଆକ୍ରମଣପନ୍ଥୀକୁ ନେଇ ରୁଷିଆ ଚିନ୍ତାରେ। ଗତମାସରେ ଅଷ୍ଟ୍ରିଆ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‍ରେ ରୁଷିଆ ୦-୧ରେ ପରାସ୍ତ ହୋଇଥିବା ବେଳେ ଗୋଲ୍‍ ଉପରକୁ ଗୋଟିଏ ମଧ୍ୟ ସଟ୍‍ ମାରି ପାରିନଥିଲା। ରୁଷିଆ ଦଳର ସବୁଠାରୁ ପରିଚିତ ଚେହେରା ହେଉଛନ୍ତି ଅଧିନାୟକ ତଥା ଗୋଲ୍‍ରକ୍ଷକ ଇଗୋର ଆକିନ୍‍ଫିଭ୍‍। ଆହତ ଥିବାରୁ ଷ୍ଟ୍ରାଇକର ଆଲେକ୍‍ଜାଣ୍ଡର କୋକୋରିନ୍‍ ଏବଂ ଦୁଇ ଡିଫେଣ୍ଡର ଜିଓର୍ଜି ଝିକିୟା ଓ ଭିକ୍ଟର ଭାସିନ୍‍ ଦଳରେ ନାହାନ୍ତି। ଫ୍ୟୋଡୋର ସ୍ଲୋଲୋଭ୍‍ ଓ ଆର୍ତେମ୍‍ ଜ୍ୟୁବା ଷ୍ଟ୍ରାଇକର ଭୂମିକା ନିର୍ବାହ କରିବେ।
୨୦୦୬ ପରେ ବିଶ୍ୱ ଫୁଟ୍‍ବଲର ଏହି ମହାମଞ୍ଚକୁ ଫେରିଛି ସାଉଦି ଆରବ। ଦଳ ଯୋଗ୍ୟତା ଅର୍ଜନ କରିବା ପରଠାରୁ କିଛି ଖେଳାଳି ଅଭିଜ୍ଞତା ପାଇବା ପାଇଁ ସ୍ପେନ୍‍ର କିଛି କ୍ଲବ୍‍ରେ ଖେଳୁଛନ୍ତି। ଦଳର ଅଧିକାଂଶ ଖେଳାଳି ଉଚ୍ଚସ୍ତରର ଆନ୍ତର୍ଜାତିକ ମ୍ୟାଚ୍‍ ଖେଳିନାହାନ୍ତି। ଫାହଦ୍‍ ଅଲ୍‍-ମୁୱାଲାଡ୍‍ ଓ ସାଲେମ୍‍ ଅଲ୍‍-ଦାୱସାରି ଦଳର ମୁଖ୍ୟ ଫରୱାର୍ଡ। ଯୋଗ୍ୟତା ପର୍ଯ୍ୟାୟରେ ସାଉଦି ଆରବ ପାଇଁ ସର୍ବାଧିକ ୧୬ଟି ଗୋଲ୍‍ ସ୍କୋର୍‍ କରିଥିଲେ ଷ୍ଟ୍ରାଇକର ମହମ୍ମଦ୍‍ ଅଲ୍‍-ସାହ୍‍ଲାୱି। ହେଲେ ଗତ ୯ଟି ମ୍ୟାଚ୍‍ରେ ଅଲ୍‍-ସାହ୍‍ଲାୱି ଆଦୌ ଗୋଲ୍‍ ସ୍କୋର୍‍ କରିନାହାନ୍ତି। ଆର୍ଜେଣ୍ଟିନାର ୟୁଆନ୍‍ ଆଣ୍ଟୋନିଓ ପିଜି ହେଉଛି ସାଉଦି ଆରବର ପ୍ରଶିକ୍ଷକ ଏବଂ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ଓସାମା ହାଓସାୱି। ମୋଟଉପରେ କହିବାକୁ ଗଲେ, ଉଦ୍‍ଘାଟନୀ ମ୍ୟାଚ୍‍ ଜିତିବାକୁ ରୁଷିଆ ଫେଭରିଟ୍‍ ଏବଂ ଘରୋଇ ଦଳ ଏହି ମ୍ୟାଚ୍‍ ଜିତିଲେ ବିଶ୍ୱକପ୍‍ ଅଧିକ ରୋଚକ ହୋଇଯିବ।

Leave A Reply