କାତାରକୁ ଆୟୋଜନ ଦାୟିତ୍ୱ ହସ୍ତାନ୍ତର କଲା ରୁଷିଆ

0

ମସ୍କୋ : ୨୦୨୨ ଫିଫା ବିଶ୍ୱକପ୍‍ କାତାରରେ ଆୟୋଜିତ ହେବ। ରୁଷିଆରେ ଖେଳାଯାଇଥିବା ବିଶ୍ୱକପ୍‍ ଫାଇନାଲ ମ୍ୟାଚ୍‍ ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‍ ଆୟୋଜନ ଦାୟିତ୍ୱ କାତାରକୁ ପ୍ରଦାନ କରିଛନ୍ତି। ଏହି ଅବସରରେ ଫିଫା ଅଧ୍ୟକ୍ଷ ଇନ୍‍ଫାଣ୍ଟିନୋ ମଧ୍ୟ ଉପସ୍ଥିତ ରହିଥିଲେ।
କାତାରର ଜନସଂଖ୍ୟା ୨୩ ଲକ୍ଷରୁ ସାମାନ୍ୟ ଅଧିକ ହୋଇଥିବା ବେଳେ ବିଶ୍ୱକପ୍‍ ଆୟୋଜନ ନିମନ୍ତେ ସେଠାରେ ଆବଶ୍ୟକ ଷ୍ଟାଡ଼ିୟମର ଅଭାବ ରହିଛି। ସେହିପରି ସେଠାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ଦୃଷ୍ଟିରୁ ଆଗାମୀ ବିଶ୍ୱକପ୍‍ କାତାରରେ ଆୟୋଜନ କରାଯିବାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟରେ ଷ୍ଟାଡ଼ିୟମ ପ୍ରସ୍ତୁତ ହୋଇଯିବ ବୋଲି କାତାର ତରଫରୁ ଫିଫାକୁ ଆଶ୍ୱସନା ପ୍ରଦାନ କରାଯାଇଛି। ଆୟୋଜନ ଅଧିକାର ପ୍ରଦାନ କରି ପୁତିନ କହିଥିଲେ ରୁଷିଆରେ ଆୟୋଜିତ ଚଳିତ ବିଶ୍ୱକପ୍‍ ବେଶ୍‍ ସଫଳ ହୋଇଛି ସେଥିରେ ସନ୍ଦେହ ନାହିଁ। ଏହି ବିଶ୍ୱକପ୍‍ ଆୟୋଜନ ଫଳରେ ରୁଷିଆ ଗୌରାବନ୍ୱିତ ହୋଇଛି। ୨୦୨୨ ବିଶ୍ୱକପ୍‍ କାତାରରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସେଠାରେ ମଧ୍ୟ ବିଶ୍ୱକପ୍‍ ବେଶ୍‍ ସଫଳ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ପୁତିନ୍‍ ଆୟୋଜନ ଦାୟିତ୍ୱ ହସ୍ତାନ୍ତର କରିବା ଅବସରରେ ଏକ ଫୁଟବଲ କାତାରର ଆମିରଙ୍କୁ ପ୍ରଦାନ କରିଥିଲେ। ନିଜ ପ୍ରତିକ୍ରିୟାରେ କାତାରର ଆମିର କହିଥିଲେ ୨୦୨୨ ବିଶ୍ୱକପ୍‍କୁ ସଫଳ କରିବାକୁ ସବୁ ପ୍ରକାର ପ୍ରୟାସ ଜାରି ରଖିଛି। ଷ୍ଟାଡ଼ିୟମ ନିର୍ମାଣ ସହ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ଜୋରସୋର୍‍ରେ ଆଗେଇ ଚାଲିଛି ଏବଂ ଏଗୁଡ଼ିକ ଖୁବ୍‍ଶୀଘ୍ର ଶେଷ ହୋଇଯିବ।

Leave A Reply