ଚାଲାଣ ସନ୍ଦେହରେ ଟ୍ରେନରୁ ୫ ଯୁବତୀ ଉଦ୍ଧାର

0

ସମ୍ବଲପୁର : ମଙ୍ଗଳବାର ସମ୍ବଲପୁର ଜିଲା ରେଳବାଇ ପୁଲିସ ପକ୍ଷରୁ ଟ୍ରେନ ନଂ ୨୨୮୬୬ ପୁରୀ – ଲୋକମାନ୍ୟ ତିଲକ ଏକ୍ସପ୍ରେସ ଯୋଗେ ଚାଲାଣ କରାଯାଉଥିବା ୫ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ସମସ୍ତ ଯୁବତୀ ମାନଙ୍କୁ ରାଜ୍ୟର ଢ଼େଙ୍କାନାଳ ଜିଲାରୁ ମୁମ୍ବଇ ଚାଲାଣ କରାଯାଉଥିଲା। ଏହି ଘଟଣାରେ ଢ଼େଙ୍କାନାଳ ଜିଲାର ଏକ ଦମ୍ପତି ଗୌରାଙ୍ଗ ସାହୁ (୩୨) ଓ ତାଙ୍କର ଧର୍ମପତ୍ନୀ ମାମୁନି ସାହୁ (୨୮)ଙ୍କୁ ପୁଲିସ ଗିରଫ କରିଛି। ପ୍ରାପ୍ତ ସୁଚନାନୁଯାୟୀ, ପୁରୀ – ଲୋକମାନ୍ୟ ତିଲକ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଚାଇଲ୍ଡ ହେଲ୍ପ ଲାଇନ ନଂରେ ଯୁବତୀ ଚାଲାଣ ହେଉଥିବାର ଖବର ଦେଇଥିଲେ। ଚାଇଲ୍ଡ ହେଲ୍ପ ଲାଇନରୁ ସମ୍ବଲପୁର ସ୍ଥିତ ଚାଇଲ୍ଡ ଲାଇନକୁ ଖବର ଦିଆଯାଇଥିଲା ଏବଂ ସମ୍ବଲପୁର ଚାଇଲ୍ଡ ଲାଇନର ଲୀନାରାଣି ତ୍ରିପାଠୀ ଓ ଭକ୍ତି ଚିରନ୍ତନ ଶକ୍ତି ଜେନା ଏ ସଂକ୍ରାନ୍ତର ତୁରନ୍ତ ରେଳବାଇ ପୁଲିସ ଥାନାଧିକାରୀ ପ୍ରବୀନ କୁମାରଙ୍କୁ ଖବର ଦେବା ସହିତ ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରେ ପହଞ୍ଚି ଯାଇଥିଲେ। ଦିନ ୧୨ଟା ସମୟରେ ପୁରୀ – ଲୋକମାନ୍ୟ ତିଲକ ଏକ୍ସପ୍ରେସ ସମ୍ବଲପୁର ପହଞ୍ଚିବା କ୍ଷଣି ଜେନେରାଲ ବଗିରେ ରେଳବାଇ ଥାନାଧିକାରୀ ପ୍ରବୀନ କୁମାରଙ୍କ ନେତୃତ୍ୱରେ ଏସଆଇ ତରଣୀ ସେନ ଭଞ, ଏସ. କେ. ପ୍ରଧାନ, ଏସ. କେ. ବେହେରା, ଜୁଲିଟା ତିର୍କୀ, ଡିଡି ନାୟକ ଓ ଚାଇଲ୍ଡ ଲାଇନର ସଦସ୍ୟ ମାନେ ଏକ ବଗିରେ ଚଢଉ କରି ୫ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ଯୁବତୀ ଫୁଫଲି ମଲ୍ଲିକ (୩୫), ରୋଜିନା ସାହୁ (୧୯), ମନୋରମା ମଲ୍ଲିକ (୧୯) ଏବଂ କୌଶଲ୍ୟା ମଲ୍ଲିକ (୩୦) ଢେଙ୍କାନାଳ ଜିଲାର ଗୋଣ୍ଡିଆ ଥାନା ଅର୍ନ୍ତଗତ ଆମ୍ବହାଲି ଗ୍ରାମର ହୋଇଥିବା ବେଳେ ସୁବାସିନୀ ବେହେରା (୩୬) ପୁରୀ ଜିଲାର ଅସ୍ତରଙ୍ଗ ଥାନା ଅର୍ନ୍ତଗତ ପାଟସୁନ୍ଦରପୁର ଗ୍ରାମର ନିବାସୀ ବୋଲି ଜଣାପଡିଛି।। ଯୁବତୀ ମାନଙ୍କର ପରିବାର ବର୍ଗଙ୍କୁ ଖବର ଦିଆଯାଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply