୩୦୦୦ ମସିହାର ଟିକେଟ୍‍ରେ ଯାତ୍ରା!

0

ମିରଟ୍‍: ୩୦୦୦ ମସିହାରେ ଆପଣ କେଉଁଠି ଥିବେ? ଆପଣଙ୍କ ସ୍ଥିତି କଣ ଥିବ? ଆପଣ କେଉଁ ସ୍ଥାନକୁ ଯିବାକୁ ଚାହୁଁଛନ୍ତି ଜାଣିଛନ୍ତି କି? ଯଦି ଆପଣଙ୍କୁ କେହି କହେ ୩୦୦୦ ମସିହାର ଯାତ୍ରା ପାଇଁ ଏବେ ଟିକେଟ୍‍ ବୁକ କରନ୍ତୁ ତାଙ୍କୁ ଆପଣ କଣ କହିବେ? ଏଭଳି ଅବାସ୍ତବ ଓ ଅସମ୍ଭବ ପ୍ରସଙ୍ଗକୁ ସମ୍ଭବ ଓ ବାସ୍ତବ ରୂପ ଦେଇଛି ଏକ ଟ୍ରେନ୍‍ ଟିକେଟ। ୩୦୧୩ ମସିହାରେ ଯାତ୍ରା ପାଇଁ ଟିକେଟ୍‍ ମିଳିଛି ଜଣେ ଯାତ୍ରୀଙ୍କୁ। ଏଥିପାଇଁ ଯାତ୍ରୀ ଜଣକ ହଟହଟା ହୋଇଥିବାବେଳେ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଛି।
୨୦୧୩, ନଭେମ୍ବର ୧୯ ତାରିଖରେ ବିଷ୍ଣୁକାନ୍ତ ଶର୍ମା ନାମକ ଜଣେ ୭୩ ବର୍ଷୀୟ ଅବସରପ୍ରାପ୍ତ ପ୍ରାଧ୍ୟାପକ ସାହାରନପୁରରୁ ଜୌନପୁର ଯିବା ପାଇଁ ହିମଗିରି ଏକ୍ସପ୍ରେସ୍‍ରେ ଚଢ଼ିଥିଲେ। ଏଥିପାଇଁ ସେ ଟିକେଟ୍‍ ମଧ୍ୟ କାଟିଥିଲେ। କିନ୍ତୁ ଟିକେଟ୍‍ ଯାଞ୍ଚ କରିବା ବେଳେ ତାଙ୍କ ଟିକେଟ୍‍ରେ ୨୦୧୩ ବଦଳରେ ୩୦୧୩ ଲେଖାଯାଇଥିବା ଟିଟିଇ ଦେଖିଥିଲେ। ଏହାକୁ ଏକ ମୁଦ୍ରଣ ଜନିତ ତ୍ରୁଟି ବୋଲି ବିଷ୍ଣୁକାନ୍ତ ଯେତେ ବୁଝାଇଥିଲେ ବି ଟିଟିଇ ବୁଝି ନଥିଲେ। ସାଧାରଣତଃ ପୁରୁଣା ତାରିଖ ଥିବା ଟିକେଟ୍‍ ଦେଖାଇ କିଛି ଅସାଧୁ ଯାତ୍ରୀ ଟ୍ରେନ୍‍ରେ ଯାତାୟତ କରିବା ଓ ଧରାପଡ଼ି ଜୋରିମାନା ଦେଉଥିବା ଆମ ଦେଶରେ ଏକ ସାଧାରଣ ଘଟଣା। କିନ୍ତୁ ଉପରୋକ୍ତ କ୍ଷେତ୍ରରେ ଟିଟିଇଙ୍କ ଯୁକ୍ତି ଥିଲା ଯେ ବିଷ୍ଣୁକାନ୍ତ ଆଗାମୀ ଦିନର ଟିକେଟ୍‍ ଦେଖାଇ ଏବେ ଯାତ୍ରା କରୁଛନ୍ତି। ମୁଦ୍ରଣ ଜନିତ ତ୍ରୁଟିକୁ ସେ ବିଶ୍ୱାସକୁ ନ ନେଇ ଏକ ଅବାନ୍ତର ଧାରଣାର ବଶବର୍ତ୍ତୀ ହୋଇଥିଲେ। ଶେଷରେ ଟିଟିଇ ବିଷ୍ଣୁକାନ୍ତଙ୍କଠାରୁ ୮୦୦ ଟଙ୍କା ଜୋରିମାନା ଅସୁଲ କରିବା ସହିତ ଟ୍ରେନ୍‍ରୁ ବାହାର କରି ଦେଇଥିଲେ। ଏହା ବିରୋଧରେ ବିଷ୍ଣୁକାନ୍ତ ଖାଉଟି ଅଦାଲତରେ ମାମଲା ଦାୟର କରିଥିଲେ। ୫ ବର୍ଷର ଶୁଣାଣି ପରେ ରେଳବାଇକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ୧୩ ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦେଶ ଦେଇଥିଲେ।

Leave A Reply