ଟିଟୋ ପେଟ୍ରୋଲ ପମ୍ପର ସିବିଆଇ ତଦନ୍ତ

0

ଭୁବନେଶ୍ୱର: ଟିଟୋ ସମ୍ପର୍କୀୟଙ୍କ ନାମରେ ଥିବା ଆଇଓସିଏଲ୍‍ର ଦୁଇଟି ପ୍ରେଟୋଲ୍‍ ପମ୍ପର ସିବିଆଇ ତଦନ୍ତ ହେବ। କେନ୍ଦ୍ରାପଡା ବଡ଼ବଜାରଠାରେ ଥିବା ସୟଦ ବ୍ରଦର୍ସ ଫିଲିଂ ଷ୍ଟେସନ ଓ ପାରାଦ୍ୱୀପ ପୋର୍ଟ ଭିତରେ ଥିବା କୋକୋ ପେଟ୍ରୋଲ ଟାଙ୍କି ଅସ୍ଥାୟୀ ଟେଣ୍ଡର ଅପରାଧିକ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ କିଭଳି ଦିଆଗଲା ସେନେଇ ସିବିଆଇ ତଦନ୍ତ କରାଯିବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁପାରିସ କରିଛନ୍ତି। ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ କେମିତି ଆବଣ୍ଟନ କରାଗଲା ଭାରତୀୟ ତୈଳ ନିଗମ ତରଫରୁ ଏହାର ଅନୁସନ୍ଧାନ କରାଯିବା ଲାଗି ସିବିଆଇକୁ ଚିଠି ଲେଖାଯାଇଛି। ଆବଶ୍ୟକ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ସିବିଆଇକୁ କୁହାଯାଇଛି। ପେଟ୍ରୋଲ୍‍ପମ୍ପ ଆବଣ୍ଟନ ସମୟରେ ବିଭିନ୍ନ ଅନିୟମିତତା ହୋଇଥିବାରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଭାରତୀୟ ତୈଳ ନିଗମ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଛନ୍ତି।

 

ଆଉ ୪ ସହଯୋଗୀ ଗଲେ ଜେଲ୍‍

କେନ୍ଦ୍ରାପଡ଼ା/ରାଜନଗର/ଭୁବନେଶ୍ୱର : ଟିଟୋ ଅପରାଧ ସାମ୍ରାଜ୍ୟର ଅପରାଧୀଙ୍କ ତାଲିକା ବଢ଼ିବାରେ ଲାଗିଛି। ଦିନକୁ ଦିନ ଏସ୍‍ଟିଏଫ୍‍ର ଗିରଫଦାରୀ ବଢ଼ି ଚାଲିଛି। ଆଳି ଓ ରାଜନଗର ଅଞ୍ଚଳରେ ଜଳସେଚନ ବିଭାଗର ୭ କୋଟି ଟଙ୍କାର ଟେଣ୍ଡର ପାଇଥିବା ଠିକାଦାର ପ୍ରେମାନନ୍ଦ ଲେଙ୍କାଙ୍କୁ ୭୦ ଲକ୍ଷ ଟଙ୍କା ଦାଦାବଟି ପାଇଁ ଧମକ ଦେଇଥିବା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‍ ସୟଦ ଉସମାନ୍‍ ଅଲ୍ଲୀର ୪ ସହଯୋଗୀଙ୍କୁ
କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ୍‍ ବୁଧବାର ଗିରଫ କରି ରାଜନଗର ଜେଏମ୍‍ଏଫ୍‍ସିଙ୍କ କୋର୍ଟରେ ହାଜର କରିଛି। ସେମାନେ ହେଲେ କଟକ ମଙ୍ଗଳାବାଗ ଥାନା ଅଧୀନ ମହାନ୍ତିଲେନର ସେକ୍‍ ଅବଦୁଲ୍‍ା, ବାଙ୍କାବଜାରର ସେକ୍‍ ଇମ୍‍ତିଆଜ୍‍, ମେହେନ୍ଦିପୁରର ଗୋଲ୍‍ଡେନ୍‍ ପପୁ ଓରଫ୍‍ ମହମ୍ମଦ ଅବଦୁଲ୍‍ ଆସିଫ୍‍, ମଙ୍ଗଳାବାଗ ଥାନା ଅଧୀନ ଗମାଡିଆର ଜାହାଙ୍ଗୀର ଖାନ୍‍। ସମସ୍ତ ଅଭିଯୁକ୍ତଙ୍କ ଘର କଟକ।
ଗ୍ୟାଙ୍ଗଷ୍ଟର ଟିଟୋର ଅବିଭକ୍ତ କଟକ ଜିଲାର ଅପରାଧ ସାମ୍ରାଜ୍ୟକୁ ଏହି ୪ ଜଣ ଚଳାଉଥିଲେ ବୋଲି ଜଣେ ଏସ୍‍ଟିଏଫ୍‍ ଅଧିକାରୀ ସୂଚନା ଦେଇଛନ୍ତି। ଗୋଲ୍‍ଡେନ୍‍ ପପୁ ଟିଟୋର ଅତ୍ୟନ୍ତ ଘନିଷ୍ଠ ଥିଲା। ଟିଟୋର ନିର୍ଦେଶରେ ପପୁ ବିଭିନ୍ନ ଅଞ୍ଚଳରେ ଟେଣ୍ଡର ଫିକ୍ସିଂ କରୁଥିଲା। ଗୋଲ୍‍ଡେନ୍‍ ପପୁ ଟିଟୋ ଗ୍ୟାଙ୍ଗର ଆଗ୍ନେୟାସ୍ତ୍ର ଚଳାଇବାରେ ଧୁରନ୍ଧର ଥିଲା ବୋଲି ଏସ୍‍ଟିଏଫ୍‍ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଗୋଲ୍‍ଡେନ୍‍ ପପୁ ବିରୋଧରେ ୧୦ରୁ ଅଧିକ ଦାଦାବଟି ଆଦାୟ ମାମଲା ରହିଛି। କଟକ ଡ୍ରେନେଜ୍‍ ଡିଭିଜନ୍‍, ଜଳସେଚନ ବିଭାଗ ଅଧୀନରେ ଅବିଭକ୍ତ କଟକ ଜିଲାର ଯେତେ କାମ ହେଉଥିଲା ସବୁ ଟେଣ୍ଡର ଫିକ୍ସିଂ ମାମଲାରେ ଗୋଲ୍‍ଡେନ୍‍ ପପୁ, ସେକ୍‍ ସୟଦ(ପୂର୍ବରୁ ଗିରଫ ହୋଇଥିବା) ଏବଂ ଜାହାଙ୍ଗୀର ଖାନ୍‍ ସମ୍ପୃକ୍ତ ଥିବା ଜଣାପଡିଛି। ଗତ ୧୧ ତାରିଖରେ ଠିକାଦାର ପ୍ରେମାନନ୍ଦଙ୍କ ବୟାନକୁ ଆଧାର କରି ଏସ୍‍ଟିଏଫ୍‍ ଆଇପିସିର ଧାରା ୩୮୭/୫୦୬/୫୦୭/୧୨୦(ଖ)/୩୪ ଏବଂ୨୫ ଆର୍ମସରେ ଏକ ମାମଲା ନଂ-୯/୧୧.୭.୧୮ ରୁଜୁ କରିଥିଲା। ଟିଟୋର ନିର୍ଦେଶରେ ଗିରଫ ହୋଇଥିବା ଏହି ୪ ଜଣଙ୍କ ସହିତ ୧୦ରୁ ଅଧିକ ଯୁବକ ରାଜନଗର ସଦର ମହକୁମା ଗଳିଦାଣ୍ଡର ଶ୍ରୀ ଠିକାଦାର ଘରକୁ ଯାଇ ୭୦ ଲକ୍ଷ ଟଙ୍କା ଦାଦାବଟି ଦେବାକୁ ଧମକ ଦେଇଥିଲେ। ଦାଦାବଟି ନ ଦେଲେ ପୁଅ ଆଉ ଘରକୁ ଫେରିବ ନାହିଁ ବୋଲି ସେମାନେ ବନ୍ଧୁକ ଦେଖାଇ ଧମକ ଦେଇଥିବା ଏସ୍‍ଟିଏଫ୍‍ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି।
ଟିଟୋର ଅପରାଧ ସାମ୍ରାଜ୍ୟକୁ ରୋକିବା ଲାଗି ଏବେ ଏସ୍‍ଟିଏଫ ଏକ ସ୍ୱତନ୍ତ୍ର ଡ୍ରାଇଭ୍‍ ଆରମ୍ଭ କରିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଟିଟୋ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ରହିଥିବା ମାମଲାରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଏସ୍‍ଟିଏଫ୍‍ ତନାଘନା ଆରମ୍ଭ କରିଦେଇଛି। ଟିଟୋର ଅପରାଧ ସାମ୍ରାଜ୍ୟକୁ ଅଧିକ ମଜଭୁତ୍‍ କରିଥିବା ତା’ର ଭାଇମାନେ ଏବେ ଫେରାର୍‍ ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ଲାଗି ଏସ୍‍ଟିଏଫ୍‍ ଟିଟୋର ସହଯୋଗୀଙ୍କୁ ପଚରାଉଚରା ଆରମ୍ଭ କରିଛି। ଟିଟୋ ଅପରାଧ ସାମ୍ରାଜ୍ୟ କେବଳ ଉପକୂଳ ଜିଲା ମଧ୍ୟରେ ସୀମିତ ନ ଥିଲା। ରାଜ୍ୟର ଅନେକ ଜିଲାରେ ମଧ୍ୟ ଟିଟୋ ଗ୍ୟାଙ୍ଗର ସଦସ୍ୟମାନେ ଅଛନ୍ତି। ତେଣୁ ଟିଟୋର ଭାଇମାନେ ଅନ୍ୟ କେଉଁଠାରେ ଲୁଚି ଥାଇପାରନ୍ତି। ତେଣୁ ଟିଟୋର ଅପରାଧ ସାମ୍ରାଜ୍ୟର ଚେର କେତେଦୂର ଲମ୍ବିଛି ସେନେଇ ଏସ୍‍ଟିଏଫ୍‍ର ଅଧିକାରୀମାନେ ଖୋଳତାଡ଼ ଚଳାଇଛନ୍ତି। ଏସ୍‍ଟିଏଫ୍‍ ଏପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ଟିଟୋର ୧୨ ଜଣ ସହଯୋଗୀଙ୍କୁ ଗିରଫ କରିସାରିଲାଣି। ଜୁନ୍‍ ୩୦ରେ ଟିଟୋକୁ ଗିରଫ କରାଯାଇଥିଲା। ଟିଟୋକୁ ଏନ୍‍କାଉଣ୍ଟର କରାଯିବା ପରେ ଜୁଲାଇ ୫ରେ ୬ ଜଣ ସହଯୋଗୀଙ୍କୁ କେନ୍ଦ୍ରାପଡାରୁ ଗିରଫ କରାଯାଇଥିଲା। ଗତ ୧୫ ତାରିଖରେ କଟକର ସେକ୍‍ ସୟଦ ଓ କେନ୍ଦ୍ରାପଡାର ବାବୁଲା ଓରଫ ଶୁଭେନ୍ଦୁ ପତ୍ରୀଙ୍କୁ ଗିରଫ କରାଯାଇଥିଲା। ସମସ୍ତ ସହଯୋଗୀ ଟିଟୋର ଅପରାଧ ସାମ୍ରାଜ୍ୟର ଗୋଟିଏ ଗୋଟିଏ ମୋହରା ବୋଲି କୁହାଯାଉଛି।

Leave A Reply