ପତ୍ନୀ ବେନ୍‌ଜିର ବିବିକୁ ଏସ୍‍ଟିଏଫ୍ ର ଜେରା

0

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ ଅନୁମତି କ୍ରମେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ ଟିମ୍‌ ଟିଟୋକୁ ଆଉ ୩ ଦିନ ପାଇଁ ନିଜ ହେପାଜତକୁ ନେଇଛି।
ସେହିପରି ଡିଏସ୍‍ପି ଏବଂ ୨ ଜଣ ମହିଳା ଇନିସ୍‍ପେକ୍ଟରଙ୍କୁ ନେଇ ଏକ ୩ ଜଣିଆ ଟିମ୍‍ ଶୁକ୍ରବାର ଟିଟୋଙ୍କ ଦିଲାରପୁର ଘରକୁ ଆସି ତାଙ୍କ ପତ୍ନୀ ବେନ୍‌ଜିର ବିବିଙ୍କୁ ଅପରାହ୍ନ ୪ଟାଠାରୁ ୧ ଘଣ୍ଟା ଜେରା କରିଥିଲେ। ସେ ଅସୁସ୍ଥ ଥିବାରୁ ଅଧିକ ଜେରାର ସମ୍ମୁଖୀନ ହୋଇପାରିବେ ନାହିଁ ବୋଲି କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ କହିବା ସହିତ କୋର୍ଟ ପାଖରେ ଥିବା ପେଟ୍ରୋଲ ଟାଙ୍କିଟି ତାଙ୍କ ନାମରେ ଥିବା ସ୍ୱୀକାର କରିଥିଲେ। ତେବେ ତାଙ୍କର ଏବଂ ତାଙ୍କ ସ୍ୱାମୀ ଟିଟୋଙ୍କ ଯେଉଁସବୁ ବ୍ୟାବସାୟିକ ସଂସ୍ଥାକୁ କ୍ରାଇମ୍‌ବ୍ରାଞ୍ଚ ପୁଲିସ ସିଲ୍‌ କରିଦେଇଛି ସେ ସଂକ୍ରାନ୍ତ ଜବତ ତାଲିକା ନ ପାଇଲେ ସେ ଅନ୍ୟାନ୍ୟ ବ୍ୟାବସାୟିକ ସଂପର୍କରେ କୌଣସି ଉତ୍ତର ଦେଇପାରିବେ ନାହିଁ ବୋଲି କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ କହିଥିଲେ। ଦିଲାରପୁରର ଟିଟୋ ବାସଭବନରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଯାଇ ବେନ୍‌ଜିର ବିବିଙ୍କ ନାମରେ ଥିବା ପେଟ୍ରୋଲ ଟାଙ୍କିର କାଗଜପତ୍ର ତନଖି କରିଥିଲେ। ଏସ୍‍ଟିଏଫ୍‍ ଅଧିକାରୀମାନେ ଏବେ ସୁଦ୍ଧା ଟିଟୋର ୧୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରି ସାରିଲେଣି। ଗତ ୯ ଦିନରେ ଏସ୍‍ଟିଏଫ୍‍ ନିଜଆଡୁ ୨ଟି ମାମଲା ରୁଜୁ କରିଥିବା ବେଳେ ଏବେ ଟିଟୋ ବିରୋଧରେ ଦୁଇ ଜଣ ଅଭିଯୋଗ ଆଣିଛନ୍ତି । ମୋଟ ୪ଟି ମାମଲା ତା’ ବିରୋଧରେ ରୁଜୁ ହୋଇିଛି। ଟିଟୋର ଆତଙ୍କରାଜରେ ଭୟଭୀତ ହୋଇ ରହିଥିବା ଲୋକମାନେ ଏବେ ଏସ୍‍ଟିଏଫ୍‍ରେ ଅଭିଯୋଗ କରିବାକୁ ଆସୁଛନ୍ତି ବୋଲି ଏସଟିଏଫ ଅଧିକାରୀ କହିଛନ୍ତି। ଟିଟୋ ଏବଂ ୬ ମୁଖ୍ୟ ସହଯୋଗୀଙ୍କୁ ଏସ୍‍ଟିଏଫ୍‍ ଗିରଫ କରିବା ପରେ ଲୋକମାନେ ତା’ ବିରୋଧରେ ବୟାନ ଦେବାକୁ ସାହସ କରୁଥିବା କୁହାଯାଇଛି। ଶୁକ୍ରବାର ହଫିଜୁର ରହେମାନ ନାମକ ଜଣେ କାଉନ୍‍ସିଲ୍‍ର (ସ୍ୱାଧୀନ) ଏସ୍‍ଟିଏଫ୍‍ ଏସ୍‍ପି ଡ. ସତ୍ୟଜିତ ନାୟକଙ୍କୁ ଭେଟି ଟିଟୋ ବିରୋଧରେ ଅଭିଯୋଗ ଆଣିଛନ୍ତି। ୪ ବର୍ଷ ପୂର୍ବେ ଟିଟୋର ଭାଇ ତାଙ୍କୁ ଆକ୍ରମଣ କରିଥିଲା।
ଗତକାଲି ଦିଲ୍ଲୀଭିତ୍ତିକ ଇପିଆଇ କନଷ୍ଟ୍ରକସନ୍‍ ନାମକ ସଂସ୍ଥାର ଦେବୀଦତ୍ତ ଦାସ ମଧ୍ୟ ଏସ୍‍ଟିଏଫ୍‍ରେ ଅଭିଯୋଗ କରିିଥିଲେ। କେନ୍ଦ୍ରାପଡ଼ାର ଇଚ୍ଛାପୁର ନିକଟରେ ୧୫୦ ଶଯ୍ୟାବିଶିଷ୍ଟ ଏକ ମା’ ଓ ଶିଶୁ ଯତ୍ନ ନାମକ ଏକ ହସ୍ପିଟାଲ୍‍ ପାଇଁ କେନ୍ଦ୍ର ସରକାର ୧୧୦ କୋଟି ଟଙ୍କା ଯୋଗାଇ ଦେଇଥିଲେ। ଏହି ହସ୍ପିଟାଲ୍‍ ପାଇଁ ଗ୍ଲୋବାଲ୍‍ ଟେଣ୍ଡର ହୋଇଥିଲା। ଇପିଆଇ ଏହି କାମ ନେଇଥିଲା। ଇପିଆର ସ୍ଥାନୀୟ କର୍ତ୍ତୃପକ୍ଷ ଦେବୀଦତ୍ତଙ୍କୁ ଧମକଚମକ ଦେଇ ଅଧିକାଂଶ କାମକୁ ଟିଟୋ ଏବଂ ତା’ର ସହଯୋଗୀମାନେ ନେଇଥିବା ସେ ଏସ୍‍ଟିଏଫ୍‍କୁ ବୟାନ ଦେଇଛନ୍ତି। ସେହିପରି ଶ୍ୟାମାଗୁଡିଆ ମୌଜାରେ ଗୋଲ୍‍ଡେନ୍‍ ଲ୍ୟାଣ୍ଡ ଡେଭେଲପ୍‍ମେଣ୍ଟ ଏବଂ ସରୋଜିନୀ ମିଶ୍ର ନାମକ ଜଣେ ମହିଳାଙ୍କର ଥିବା ୩୬ ଗୁଣ୍ଠ ଜମିକୁ ବନ୍ଧୁକ ଦେଖାଇ ଟିଟୋର ସହଯୋଗୀମାନେ ଜବରଦଖଲ କରି ନେଇଥିଲେ। ସରୋଜିନୀଙ୍କ ଅଭିଯୋଗକ୍ରମେ ଏସ୍‍ଟିଏଫ୍‍ ଏକ ମାମଲା ରୁଜୁ କରିଛି। ଏହାବ୍ୟତୀତ ଆଳି ଓ ରାଜନଗର ଅଞ୍ଚଳରେ ଜଳସେଚନ ବିଭାଗର ୭ କୋଟି ଟଙ୍କାର ଟେଣ୍ଡର ପାଇଥିବା ଠିକାଦାର ପ୍ରେମାନନ୍ଦ ଲେଙ୍କାଙ୍କୁ ଟିଟୋ ଏବଂ ତା’ର ସହଯୋଗୀମାନେ ବନ୍ଧୁକ ଦେଖାଇ ଭୟଭୀତ କରି ୭୦ ଲକ୍ଷ ଟଙ୍କା ଦାଦାବଟି ମାଗୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ଦାଦାବଟି ନ ଦେଲେ ପ୍ରେମାନନ୍ଦଙ୍କୁ ହତ୍ୟା କରିବେ ବୋଲି ଟିଟୋ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲା। ପ୍ରେମାନନ୍ଦଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ ହୋଇଛି।

Leave A Reply