ଚୋରି କରି ଇ-ମେଲରେ କ୍ଷମା ମାଗିଲା ଚୋର

0

ବର୍ମିଂହମ୍‍ : ଚୋରି କରିବା ପରେ କ୍ଷମା ପ୍ରାର୍ଥନା ପୂର୍ବକ ଲେଖିଥିବା ଇ-ମେଲ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଚଳିତ ଦିନରେ ସମ୍ପୃକ୍ତ ଚୋର ସୋସିଆଲ ମିଡିଆ ଷ୍ଟାର ପାଲଟି ଯାଇଛି।

କଥାଟି ଏହିପରି, ଆମେରିକାର ବର୍ମିଂହମ୍‍ ଠାରେ ଜଣେ ଛାତ୍ରଙ୍କ ଲାପ୍‍ଟପ୍‍ ଚୋରି କରିବା ପରେ ଚୋର ମେଲ୍‍ ଦ୍ୱାରା ଚୋରିର ସୂଚନା ଦେବା ସହ ଦୁଃଖ ପ୍ରକାଶ କରିଛି। ନିଜ ସାଙ୍ଗକୁ ଚୋର ପଠାଇଥିବା ଇ-ମେଲକୁ ଟ୍ୱିଟରରେ ଶେୟାର କରି ଷ୍ଟିଭ୍‍ ଭାଲେନଟାଇନ୍‍ ନାମକ ଯୁବକ ଏହି ସୂଚନା ଦେଇଛନ୍ତି। ଷ୍ଟିଭଙ୍କ କହିବା ଅନୁସାରେ, ତାଙ୍କର ଜଣେ ସାଙ୍ଗକୁ ଚୋରର ଏକ ଇ-ମେଲ ଆସିଥିଲା। ଇମେଲରେ ଚୋର ସ୍ୱୀକାର କରିଛି ଯେ ସେ ଲାପ୍‍ଟପ୍‍ ଚୋରି କରିଛି ଓ ଅଭାବ କାରଣରୁ ସେ ଏପରି କରିଛି। ଚୋର ଇମେଲର ମୁଖ୍ୟ ବିଷୟବସ୍ତୁ ଲେଖିଛି, ‘ଆପଣଙ୍କ ଲାପ୍‍ଟପ୍‍ ପାଇଁ ମୁଁ ଦୁଖିତ’। ସେ ପୁନର୍ବାର ଲେଖିଛି, ହେଲୋ, ଆପଣଙ୍କ ଲାପ୍‍ଟପ୍‍ ଚୋରି କରିଥିବା ଯୋଗୁଁ ମୋତେ କ୍ଷମା କରି ଦିଅନ୍ତୁ। ମୁଁ ବହୁତ ଗରୀବ ଓ ମୋତେ ଟଙ୍କାର ବହୁତ ଆବଶ୍ୟକତା ଥିଲା। ଆପଣଙ୍କର ବେଶୀ ଅସୁବିଧା ନହେବା ପାଇଁ ମୁଁ ଆପଣଙ୍କ ଫୋନ୍‍ ଓ ପର୍ସ ଛାଡ଼ି ଦେଇଛି। ଚୋର ଜାଣିପାରିଥିଲା ଯେ ଏ ଲାପ୍‍ଟପ୍‍ ଜଣେ ଛାତ୍ରର ବୋଲି। ତେଣୁ ସେ ଛାତ୍ର ପ୍ରତି ଅନୁକମ୍ପା ପୂର୍ବକ ଲେଖିଛି, ମୁଁ ଜାଣିଛି ଯେ ଆପଣ ଜଣେ ବିଶ୍ୱବିଦ୍ୟାଳୟ ଛାତ୍ର। ଯଦି ଏହି ଲାପ୍‍ଟପ୍‍ ରେ ଆପଣଙ୍କର ଆବଶ୍ୟକୀୟ ବିଶ୍ୱବିଦ୍ୟାଳୟ ସମ୍ବନ୍ଧୀୟ କୌଣସି ଜରୁରୀ ତଥ୍ୟ ବା ପାଠ୍ୟକ୍ରମ ଅଛି ତାହେଲେ ଦୟାକରି ମୋତେ କୁହନ୍ତୁ ମୁଁ ଆପଣଙ୍କୁ ପଠାଇଦେବି।

ତେବେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷରୁ ଅଧିକ ଲୋକେ ଷ୍ଟିଭଙ୍କ ଏହି ଟ୍ୱିଟ୍‍ କୁ ଲାଇକ୍‍ କରି ସାରିଲେଣି। ସେହିପରି ୬୦ହଜାରରୁ ଅଧିକ ଲୋକେ ଏହାକୁ ନେଇ ରିଟ୍ୱିଟ୍‍ କରିଛନ୍ତି।

Leave A Reply