ମହିଳା ଟ୍ବେଣ୍ଟି୨୦ ସୁପରଲିଗରୁ ଓଡ଼ିଶାର ବିଦାୟ

0

କଟକ: ମୁମ୍ବଇରେ ଚାଲିଥିବା ଆନ୍ତଃରାଜ୍ୟ ସିନିୟର ମହିଳା ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୁପରଲିଗ୍‌ ପର୍ଯ୍ୟାୟରେ ଓଡ଼ିଶାର ଅଭିଯାନ ସମାପ୍ତ ହୋଇଯାଇଛି। ସୋମବାର ଓଡ଼ିଶା ଗ୍ରୁପ୍ ‘ବି’ର ଅନ୍ତିମ ମ୍ୟାଚ୍‌ରେ ପରାସ୍ତ ହୋଇଯାଇଛି। ଓଡ଼ିଶାକୁ ଝାଡ଼ଖଣ୍ଡ ସହଜରେ ୮ ୱିକେଟରେ ପରାସ୍ତ କରିଛି। ଅଧିନାୟିକା ମଧୁସ୍ମିତା ବେହେରାଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୨୦ ଓଭର ଶେଷରେ ୬ ୱିକେଟରେ ୧୧୯ ରନ୍ କରିଥିଲା। ପରେ ଓପ୍‌ନର ରଶ୍ମିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୬.୪ ଓଭରରେ ୨ ୱିକେଟ ହରାଇ ଝାଡ଼ଖଣ୍ଡ ବିଜୟୀ ହୋଇଥିଲା। ବୁଧବାର କର୍ଣ୍ଣାଟକ-ପଞ୍ଜାବ ଫାଇନାଲ ମୁକାବିଲା ଖେଳାଯିବ।
ଗ୍ରୁପ୍ ‘ବି’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପରାଜୟ ସହ ଓଡ଼ିଶା ବିଦାୟ ନେଇଛି। ଓଡ଼ିଶା ୪ଟି ଲିଗ୍ ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ୩ଟି ପରାଜୟ ସହ ୪ ପଏଣ୍ଟ ପାଇ ୫ଟି ଦଳଙ୍କ ମଧ୍ୟରେ ୫ମ ତଥା ଅନ୍ତିମ ସ୍ଥାନରେ ରହିଛି। ଓଡ଼ିଶା ବିପକ୍ଷରେ ଟସ୍ ଜିତି ଝାଡ଼ଖଣ୍ଡ ଫିଲ୍‌ଡିଂ ନେଇଥିଲା। ଓଡ଼ିଶାର ଓପ୍‌ନିଂ ଯୋଡ଼ି ୧୧ଶ ଓଭରରେ ୮୧ ରନ୍‌ର ଭାଗିଦାରୀ କରି ଦଳକୁ ମଜ୍‌ଭୁତ ସ୍ଥିତିରେ ପହଞ୍ଚାଇଥିଲେ। ଆନ୍ତର୍ଜାତିକ ଖେଳାଳି ମାଧୁରୀ ମେହେଟ୍ଟା ୨୯ ବଲ୍‌ରୁ ୫ଟି ଚୌକା ସହ ୩୦ ରନ୍ କରିଥିଲେ। ସରିତା ମେହେର ଓ ପ୍ରଜ୍ଞା ପାରମିତା ମହାନ୍ତି ୧୦ ରନ୍ ଲେଖାଏଁ କରିଥିଲେ। ମଧୁସ୍ମିତା ବେହେରା ୪୦ ବଲ୍‌ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୫୫ ରନ୍‌ର ଦର୍ଶନୀୟ ଇନିଂସ ଖେଳିଥିଲେ। ଝାଡ଼ଖଣ୍ଡର ଦେବଯାନି ୨ଟି ୱିକେଟ ପାଇଥିଲେ। ୧୨୦ ରନ୍‌ର ବିଜୟଲକ୍ଷ୍ୟକୁ ଝାଡ଼ଖଣ୍ଡ ସହଜରେ ପିଛା କରିଥିଲା। ଏହାର ଓପ୍‌ନର ଇନ୍ଦ୍ରାଣୀ ରାୟ ୧୫ ରନ୍‌କରି ବିଦାୟନେବା ପରେ ଓପ୍‌ନର ରଶ୍ମି ଓ ରିନା ୨ୟ ୱିକେଟ ପାଇଁ ୭୫ ରନ୍ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ରିନା ୩୨ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୫ ରନ୍ କରିଥିଲେ। ରଶ୍ମି ୫୨ ବଲ୍‌ରୁ ୮ଟି ଚୌକା ସହ ୬୧ ରନ୍‌କରି ଅପରାଜିତ ରହିଥିଲେ। ଅଧିନାୟିକା ମଧୁସ୍ମିତା ବ୍ୟାଟିଂ ସଫଳତା ପରେ ବୋଲିଂରେ ଝାଡ଼ଖଣ୍ଡର ଉଭୟ ୱିକେଟ ନେଇଥିଲେ।

Leave A Reply