ଅଗଷ୍ଟ ୧୫ରୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’

0
– ସୁଫଳ ପାଇବେ ରାଜ୍ୟର ୭୦ଲକ୍ଷ ପରିବାର 
– ବାର୍ଷିକ ୫ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା
– ପ୍ରସୂତି ଏବଂ ଅସୁସ୍ଥ ଶିଶୁଙ୍କୁ ୫୦୦ଟଙ୍କା ଗସ୍ତ ଖର୍ଚ୍ଚ
– ବିନାମୂଲ୍ୟରେ ସ୍ୱାସ୍ଥ୍ୟସେବା, ବନ୍ଦ ହେବ ୟୁଜର୍ସ ଫି

 

 

ଭୁବନେଶ୍ୱର  : ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଗଠନ ମିଶନକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଭଳି ଏକ ସୁଦୂର ପ୍ରସାରୀ ଯୋଜନା ଘୋଷଣା କରିଛନ୍ତି।
ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ ଓ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟର ୭୦ଲକ୍ଷ ପରିବାରର ସାଢ଼େ ତିନି କୋଟିରୁ ଊର୍ଦ୍ଧ୍ବ ଲୋକ ଏହି ଯୋଜନାର ସୁଫଳ ପାଇପାରିବେ। ତୃଣମୂଳସ୍ତରରୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାର ଅଂଶ ଭାବେ ପ୍ରତ୍ୟେକ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟ ଜନସଂଖ୍ୟାର ୭୦ ପ୍ରତିଶତ ଲୋକ ସ୍ୱାସ୍ଥ୍ୟ ସୁରକ୍ଷା ପାଇବେ। ଏହି ଯୋଜନା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ କାର୍ଯ୍ୟକାରୀ ହେବ। ବିଜୁ ସ୍ୱାସ୍ଥ୍ୟସେବା ଯୋଜନା ସୁଦୂରପ୍ରସାରୀ ହେବ।
ଯୋଜନାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ମାଗଣାରେ ଚିକିତ୍ସାସେବା ଉପଲବ୍ଧ ହେବ। ରାଜ୍ୟର ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ବାର୍ଷିକ ୪.୮୪ କୋଟି ରୋଗୀ ଉପସ୍ଥାନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ରୋଗ ପାଇଁ ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଏବଂ ଔଷଧ ମିଳିବ। ଏଥିସହ ଡାକ୍ତରଖାନାରେ ଆଦାୟ ହେଉଥିବା ସମସ୍ତ ପ୍ରକାର ୟୁଜର୍ସ ଫି ବନ୍ଦ କରାଯିବ। ଆସନ୍ତା ଅଗଷ୍ଟ ୧୫ ତାରିଖରୁ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଆସୁଥିବା ସମସ୍ତ ପ୍ରସୂତି, ନବଜାତ ଓ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନାରୁ ଘରକୁ ଫେରିବା ପାଇଁ ଯାତାୟାତ ଖର୍ଚ୍ଚ ବାବଦରେ ୫୦୦ଟଙ୍କା ମିଳିବ। ଏଥିରେ ବର୍ଷକୁ ସାଢ଼େ ୬ ଲକ୍ଷ ପ୍ରସୂତି ଓ ଅସୁସ୍ଥ ଶିଶୁ ଉପକୃତ ହେବେ। ସରକାରୀ ସ୍ୱାସ୍ଥ୍ୟସେବା
କ୍ଷେତ୍ରରେ ନିରାମୟ, ନିଦାନ, ସହାୟ, ସୁନେତ୍ର ଆଦି କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ ମାଗଣାରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି। ରାଜ୍ୟବାସୀଙ୍କୁ ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନ ନେଇ ସରକାରଙ୍କର ନିରନ୍ତର ପ୍ରୟାସ ଜାରି ରହିବ ବୋଲି ଏହି ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ପ୍ରଦାନ କ୍ଷେତ୍ରରେ ଏହା ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ସଚିବାଳୟରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦକୁମାର ମେହେର୍ଦ୍ଦା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply