କାଳବୈଶାଖୀ ବିଭୀଷିକା

0

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତିରେ ଲୋକ ଛଟପଟ ହେଉଥିବାବେଳେ ଉପକୂଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଶନିବାର ରାତି ଓ ରବିବାର ସକାଳୁ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇଛି। ବଜ୍ରପାତରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଦଶପଲ୍ଲା ଅଞ୍ଚଳରେ ଏକ କାର୍‍ ବଜ୍ରପାତରେ ପୋଡ଼ି ଯାଇଛି। ଅନେକ ବଡ଼
ବଡ଼ ଗଛ ଭାଙ୍ଗି ପଡ଼ିଥିବାବେଳେ ଚାଳ ଓ ଆଜବେଷ୍ଟସ୍‍ ଘରର ଛପର ଉଡ଼ିଯାଇଛି। ଚାଷୀମାନେ ଏଥିରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି କାଳବୈଶାଖୀ ପ୍ରଭାବରେ ୫୦-୭୦ ବେଗରେ ପବନ ବହିବା ସହିତ ସମୁଦ୍ରରେ ଉଚ୍ଚ ଜୁଆର ଆସିଛି। ଉଚ୍ଚ ଜୁଆର ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ।
ଏହି ସମୟରେ ଅନେକ ସ୍ଥାନରେ ଧୂଳି ଝଡ଼ ହେବାର ଦେଖିବାକୁ ମିଳିଛି। ରବିବାର ସକାଳୁ ସକାଳୁ କୋଣାର୍କ ବେଳାଭୂମିରେ ପ୍ରବଳ ବର୍ଷା ସହ ଧୂଳି ଝଡ଼ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଧୂଳି ଝଡ଼ ହୋଇଥିଲା। ବେଳାଭୂମି ରାସ୍ତାଦେଇ ଯାତାୟାତ ସମ୍ଭବ ହୋଇପାରି ନ ଥିଲା। ଏପରିକି ଦୋକାନ ବଜାର ବନ୍ଦ କରିଦେଇଥିଲେ।
ଆସନ୍ତାକାଲି ମଧ୍ୟ ପାଣିପାଗ ଏପରି ରହିବ। ଏହି ସମୟରେ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ଶନିବାର ମଧ୍ୟରାତ୍ରରେ କାଳବୈଶାଖୀ ନାହିଁନଥିବା କ୍ଷତି ଘଟାଇଛି। ହାଡ଼ିପାଲି ପଞ୍ଚାୟତ କିଣ୍ଡିରା ଗ୍ରାମର ନୂଆପଡାରେ ୨୨ଟି ପରିବାର ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ପରିବାର ଆଶ୍ରୟହୀନ ହୋଇପଡ଼ିଛନ୍ତି। ଘରଭାଙ୍ଗି କାନ୍ଥ ଚାପି ଦେବାରୁ ଛଅ ଜଣ ସଦସ୍ୟ ବିଶିଷ୍ଟ ଏକ ପରିବାରର ସମସ୍ତେ ଆହତ ହୋଇଥିବା ବେଳେ ୫ ଜଣଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
କୁଚିଣ୍ଡା ବ୍ଲକ ହାଡ଼ିପାଲି ପଞ୍ଚାୟତ କିଣ୍ଡିରା ଗ୍ରାମରେ ଗତ ମଧ୍ୟରାତ୍ରରେ ଝଡ଼ ହେବା ସହ ପ୍ରବଳ ବର୍ଷା ହୋଇଥିଲା। ଏଥିରେ ଗ୍ରାମର ନୂଆପଡ଼ାରେ ପ୍ରହଲ୍ଲାଦ ଭଇଁଷାଙ୍କ ଘର ସଂପୂର୍ଣ୍ଣ ଉଜୁଡି ଯାଇଥିବା ବେଳେ ତାଙ୍କ ଆଜବେଷ୍ଟସ ଛପର ଉଡ଼େଇ ନେଇଯାଇଛି। ସେତେବେଳେ ସମସ୍ତେ ଶୋଇଥିବା ଅବସ୍ଥାରେ ଘର କାନ୍ଥ ଚାପି ଦେବାରୁ ପ୍ରହଲ୍ଲାଦ ଭଇଁଷା (୫୫), ତାଙ୍କ ପତ୍ନୀ ସୁବାସିନୀ (୫୦), ପୁଅ ଡେନିରାମ (୩୧), ବୋହୂ ସୁଜାତା (୨୮), ନାତୁଣି ପୁନମ (୮), ନାତି ନିଖିଲ (୩) ଆହତ ହୋଇଥିଲେ। ପବନ ଓ ବର୍ଷା ପରେ ପଡ଼ୋଶୀମାନେ ଆହତଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାକୁ ପଠାଇଥିଲେ। ମାତ୍ର ପୁଅ ଡେନିରାମ ଓ ନାତୁଣୀ ପୁନମର ଅବସ୍ଥା ଗୁରୁତର ଥିବା ବେଳେ ଅଧିକ ଚିକିତ୍ସା ପାଇଁ ୫ ଜଣଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। କେବଳ ତାଙ୍କ ସ୍ତ୍ରୀ ସୁବାସିନୀ ଏବେ ଅନ୍ୟଘରେ ଆଶ୍ରା ନେଉଥିବା ଜଣାଯାଇଛି। ଝଡ଼ର ପ୍ରକୋପ ଏତେ ଥିଲା ଯେ ତାଙ୍କ ଘର ସମେତ କଙ୍କ୍ରିଟ ବିମ ସବୁ ମଧ୍ୟ ଭାଙ୍ଗିଯାଇଛି। ଘରର ଆସବାବ, କୁଲର, ଟିଭି, ଖଟ ଆଦି ସହ ବାଇକ ମଧ୍ୟ ଇଟାରେ ପୋତି ହୋଇଯାଇଛି। ସେହିପରି ଗାଁର ଲାଲଚାନ୍ଦ ବାଘ, ଶଙ୍କର ବାଘ, ନନ୍ଦ କିଶୋର ବାଘ, ଭୋଲାନାଥ ଭଇଁଷା, ଗଜେନ୍ଦ୍ର ଭଇଁଷା, ସୁରେଶ ଭଇଁଷା, ସୁଦର୍ଶନ ଭଇଁଷା, କ୍ଷୀରୋଦ ଭଇଁଷା, ପିତାମ୍ବର ଭଇଁଷା, ଜୟମଙ୍ଗଳ ନାଏକ, ଶରତ ବାଘ, ଝାଲିଆ ମାଝୀ, ଗୌତମ ଡୁମଡୁମ ପ୍ରମୁଖଙ୍କ ଘର ଗୁଡିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ଘରର ଛପର ଉଡିଯିବା ସହ କାନ୍ଥ ଭାଙ୍ଗିଛି। ଘରେ ରଖିଥିବା ବହୁ ଆସବାବ ପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। ପାଖରେ ଥିବା ଗଛ ଗୁଡିକ ଭାଙ୍ଗି ଯାଇଛି। ୧୦ରୁ ଊର୍ଦ୍ଧ୍ବ ପରିବାର ଏବେ ଅନ୍ୟମାନଙ୍କ ଘରେ ଆଶ୍ରାନେବାକୁ ବାଧ୍ୟ ହୋଇଛନ୍ତି। ଅଧିକାଂଶ ପରିବାର ଦୀନମଜୁରିଆ ଓ ବିପିଏଲ ଭୁକ୍ତ ହୋଇଥିବା ବେଳେ ସେମାନଙ୍କ ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଦୋହଲି ଯାଇଛି। ସେଠାରେ ଥିବା ଦୁଇଟି ବିଦ୍ୟୁତ ଟ୍ରାନ୍ସଫରମର ଲାଗିଥିବା ଖୁମ୍ବ ଉପୁଡ଼ି ଅନ୍ୟତ୍ର ପଡ଼ିଛି।
ଆଜି ଢେଙ୍କାନାଳରେ ସର୍ବାଧିକ ୪ ସେମି ବର୍ଷା ରେକର୍ଡ଼ କରାଯାଇଛି। ପୁରୀ ଓ ଭୁବନେଶ୍ୱରରେ ୩ ସେମି, ଅନୁଗୋଳ ଓ ଢେଙ୍କାନାଳର ପରଜଙ୍ଗରେ ୨ ସେମି ଲେଖାଏଁ ବର୍ଷା ରେକର୍ଡ଼ ହୋଇଛି। ସୋମବାର ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରବିବାର ରାତି ଓ ସୋମବାର ସକାଳେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଅନୁଗୋଳର କେତୋଟି ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟ ଭିତରେ ଉପକୂଳ ଓଡ଼ିଶାର କେତୋଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ଚାରି ପାଞ୍ଚ ଦିନ କାଳବୈଶାଖୀର ପ୍ରଭାବ ଲାଗି ରହିବ। ୧୮ରୁ ତାପମାତ୍ରା ବୃଦ୍ଧି ପାଇବ।
ପଶ୍ଚିମରେ ଆଜି ୬ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା। ସୋନପୁରରେ ସର୍ବାଧିକ ୪୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ଝାରସୁଗୁଡ଼ାରେ ୪୧.୨, ସମ୍ବଲପୁରରେ ୪୦.୩, ହୀରାକୁଦରେ ୪୦.୧, ବଲାଙ୍ଗୀରରେ ୪୧.୦, ଟିଟିଲାଗଗଡ଼ରେ ୪୨ ଡିଗ୍ରୀ ରେକର୍ଡ଼ କରାଯାଇଛି।

ବଜ୍ରପାତରେ ୭ ମୃତ; ଜଳିଗଲା ୬ ବଖରା, କାର୍‍

ଯାଁଳା/ଦଶପଲ୍ଲା/କଳାପଥର/କାକଟପୁର/ବାଲିଅନ୍ତା/ତମାଣ୍ଡୋ/ପାରଳାଖେମୁଣ୍ଡି  : ରବିବାର ଭୋର୍‍ରେ ବିଭିନ୍ନ ସ୍ଥାନରେ ହୋଇଥିବା କାଳବୈଶାଖୀ ଜନିତ ବଜ୍ରପାତରେ ୭ଜଣଙ୍କ ମୃତ୍ୟୁ ହୋଇଛି। ଏତଦ୍‍ବ୍ୟତୀତ ଜଣେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଥିବା ବେଳେ ଦଶପଲ୍ଲା ଅଞ୍ଚଳରେ ଗୋଟିଏ କାର୍‍ ଜଳିଯାଇଛି।
ଆଜି ମଧ୍ୟାହ୍ନରେ ଗଜପତି ଜିଲା ଓ ଆଖପାଖ ଅଞ୍ଚଳରେ ପବନ,ବର୍ଷା ସହିତ ବଜ୍ରପାତରେ ୩ ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଆନ୍ଧ୍ରର ଦୁଇଜଣ ଥିବା ବେଳେ ଗଜପତିର ଜଣେ ଥିବା ଜଣାପଡିଛି।
ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲା ଯାଁଳା ହରପୁରସ୍ଥିତ ଏକ ଘରୋଇ କଲେଜର ଜଣେ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ର ବଳଭଦ୍ର ନାୟକ(୧୮)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ ଘର ମୟୂରଭଞ୍ଜ ଜିଲା ଯଶୀପୁର ଥାନା ନଅଣା ଗ୍ରାମରେ। ସେ ଅଖିଳ ନାୟକଙ୍କ ପୁଅ। ସେହିପରି ଘର ଉପରେ ବଜ୍ରପାତ ହେବାରୁ ହରପୁରର ଗୁଣନିଧି ସାମନ୍ତସିଂହାରଙ୍କ ପୁଅ ବୃନ୍ଦାବନ(୨୫) ଗୁରୁତର ଭାବେ ଆହତ ହୋଇଛନ୍ତି। ରବିବାର ଭୋର ପ୍ରାୟ ୪ଟାବେଳେ ଅଚାନକ ବର୍ଷା ମାଡ଼ି ଆସିଥିଲା। ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିଥିଲା। ଏହି ସମୟରେ ବଜ୍ରପାତ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି। ସେହିପରି କାକଟପୁର ବ୍ଲକ ଅଧୀନସ୍ଥ ପାଟସୁନ୍ଦରପୁର ପଞ୍ଚାୟତ ମହାଦେବବସ୍ତ ଗ୍ରାମର ଦେବେନ୍ଦ୍ର ସ୍ୱାଇଁ (୫୫)ଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ରବିବାର ସକାଳ ୫ ଟାରେ ଶୌଚ ହେବା ପାଇଁ ନିକଟସ୍ଥ ପଡ଼ିଆକୁ ଯାଇଥିଲେ। ସେଠାରେ ବଜ୍ରାଘାତରେ ଦେବେନ୍ଦ୍ର ତଳେ ପଡିଯାଇଥିଲେ। ପରିବାର ଓ ଗ୍ରାମବାସୀ ଉଦ୍ଧାର କରି କାକଟପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ , ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ଡମପଡ଼ା ପଞ୍ଚାୟତ ତାଳବସ୍ତ ଗ୍ରାମ ଢଁସର ସାହିରେ ବିପିନ ରାଜଙ୍କ ପୁଅ ପ୍ରକାଶ (୨୨)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ଭୋର ୪ଟାରେ ପ୍ରକାଶ ଘର ବାରଣ୍ଡାରେ ଶୋଇଥିବାବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ବାଲିଅନ୍ତା ଥାନା ଅନ୍ତର୍ଗତ ଜୟଦେବ ପଞ୍ଚାୟତରେ ବଜ୍ରପାତରେ ଭୀମ ଭୋଇ(୬୦)ଙ୍କ ମୃତ୍ୟୁ ହୋଇଯାଇଛି। ଭୋର୍‍ରୁ ସେ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା।
ସେହିପରି ତମାଣ୍ଡୋ ପଞ୍ଚାୟତ ନାରୋଗୋଦା ଗ୍ରାମରେ ଶନିବାର ରାତିରେ ବଜ୍ରପାତ ଯୋଗୁଁ ପଠାଣି କରଣଙ୍କ ୬ବଖରା ପୋଡ଼ି ପାଉଁଶ ହୋଇଯାଇଛି।

Leave A Reply