ଢେଲାମାଡ଼ରେ ୧୦ ଆହତ, ୧୪ଗିରଫ

0

କଟକ  : ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରା ଚାରିଘରିଆରେ ଏକ ଜମିବାଡି ବିବାଦକୁ ରବିବାର ବିଳମ୍ବିତ ରାତିରେ ୩ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଢେଲାପଥର ମାଡରେ ମହିଳା ଓ ଶିଶୁଙ୍କ ସମେତ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ପୃଥକପୃଥକ ଭାବେ ୩ଟି ମାମଲା ରୁଜୁକରି ୧୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସେକ ଗଫର(୬୦), ସେକ ସମୀର(୪୫), ସେକ୍‍ ଇସ୍ରାଇଲ(୩୫), ସେକ ଇବ୍ରାହିମ(୨୮), ଗୋରା ମହମ୍ମଦ(୧୯),ମହମ୍ମଦ ଫରିଦ୍‍(୫୩), ମହମ୍ମଦ ରଜନୁ ଓରଫ ରାଜା ଓରଫ ମହମ୍ମଦ ଜାହିର(୪୨), ହାୟତ ଅଲ୍ଲୀ ଖାନ(୬୫), ଆବୁ ବକର ଖାନ(୨୮), ସେକ ବାବୁ ଓରଫ ମହମ୍ମଦ ସମ୍ମିମ(୩୨),ସେକ୍‍ ଜାହିର, ହୁସମା ବିବି(୪୦), ଜୁମିନି ବିବି(୩୫) ଓ ସଲମା ବିବି(୫୦)କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଇନ୍ସପେକ୍ଟର ଦେବୀପ୍ରସାଦ ପାତ୍ର ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଯୋବ୍ରା ଚାରିଘରିଆର ଅଞ୍ଚଳରେ ଥିବା ଏକ ଜମିକୁ ନେଇ ମହମ୍ମଦ ଫରିଦ୍‍, ଗଫର ମହମ୍ମଦଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଗତକାଲି ରାତିରେ ଗଫରଙ୍କ ପରିବାର ପକ୍ଷରୁ ଉକ୍ତ ଜମି ଉପରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଏହାକୁ ନେଇ ଫରିଦ୍‍ ବିରୋଧ କରିଥିଲେ। ତାଙ୍କୁ ହୟାତ ଅଲ୍ଲୀ ଖାଁ ସମର୍ଥନ କରିଥିଲେ। ପରେ ନିର୍ମାଣକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଉଭୟଙ୍କ ସମର୍ଥକ ସେଠାରେ ପହଞ୍ଚିଯିବାରୁ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା। ଗଣ୍ଡଗୋଳରେ ଉଭୟପକ୍ଷର ମହିଳାମାନେ ସାମିଲ ହୋଇଯାଇଥିଲେ। ୩ପରିବାର ସଦସ୍ୟଙ୍କ ମଧ୍ୟରେ ଢେଲାପଥର ମାଡ଼ ଘଟିବାରୁ ମହିଳା, ଶିଶୁଙ୍କ ସମେତ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ।
ଗଣ୍ଡଗୋଳ ଖବର ପାଇ ଘଟଣାସ୍ଥଳକୁ ଯାଇଥିବା ମାଲଗୋଦାମ ଥାନାର ଜଣେ ଏସଆଇ ଢ଼େଲାମାଡ଼ରେ ଆହତ ହୋଇଥିଲେ। ଏସିପି ତ୍ରିନାଥ ମିଶ୍ର, ଇନ୍ସପେକ୍ଟର ଶ୍ରୀ ପାତ୍ର ଫୋର୍ସ ସହିତ ତୁରନ୍ତ ସେଠାରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହିତ ଆହତଙ୍କୁ ଚିକିତ୍ସା ପାଇଁ ସିଟି ହାସପାତଳରେ ଭର୍ତ୍ତି କରିଥିଲେ। ତିନିଟି ଏତଲାକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଚଳାଇବା ସହିତ ୧୪ଜଣକୁ ଗିରଫ କରିଛି।

Leave A Reply