‘ଭୁଷଣ’କୁ କିଣିବ ଟାଟା,ଏନସିଏଲଟି ଦେଲେ ରାୟ

0

ଢେଙ୍କାନାଳ : ଢେଙ୍କାନାଳ କଣ୍ଟାବଣିଆସ୍ଥିତ ଭୁଷଣ ଷ୍ଟିଲ୍ ଲିଃ ବ୍ୟାଙ୍କ ଋଣ ପରିଶୋଧ କରିନପାରିବାରୁ ଏହାକୁ ବ୍ୟାଙ୍କ ସମୂହ ନିଜ ଅକ୍ତିଆରକୁ ନେଇ କାରଖାନାକୁ ଚାଲୁ ରଖିଥିଲେ ଓ ଏହାକୁ ବିକ୍ରି କରିବାପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେହି ଅନୁଯାୟୀ ଟାଟା କମ୍ପାନୀ, ଜେ.ଏସ୍.ଡ଼ବ୍ଲ୍ୟୁ ଓ ଭୁଷଣ ଏମ୍ପ୍ଲୟିଜ୍ ଆସୋସିଏସନ୍ କମ୍ପାନୀ କିଣିବାକୁ ଆବେଦନ କରିଥିଲେ। ଏହି କ୍ଷେତ୍ରରେ ଟାଟା ଷ୍ଟିଲ୍ ୩୨ହଜାର ୫୦୦କୋଟି ଟଙ୍କାର ସର୍ବାଧିକ ଅର୍ଥ ପ୍ରଦାନ କରିବ ବୋଲି ଜଣାଇଥିଲା। ଏହାଛଡ଼ା ଋଣଦାତାମାନଙ୍କୁ ଶତକଡ଼ା ୧୨.୨୭ଭାଗ ଇକ୍ୟୁଟି ଦେବାପାଇଁ ଜଣାଇଥିଲେ। ଏହି କମ୍ପାନୀର ବିକ୍ରି ଅଧିକାର ନ୍ୟାସ୍ନାଲ୍ କମ୍ପାନୀ ଲ ଟ୍ରିବ୍ୟୁନାଲ୍ (ଏନ୍.ସି.ଏଲ୍.ଟି) ର ରହିଥିବାରୁ ବ୍ୟାଙ୍କ ସମୂହ (କମିଟି ଅଫ୍ କ୍ରେଡ଼ିଟର୍ସ) ‘ଟାଟା’ କମ୍ପାନୀର ନାମ ଏନ୍.ସି.ଏଲ୍.ଟି କୁ ସୁପାରିଶ କରିଥିଲେ। ସମସ୍ତ ଘଟଣାକୁ ବିଚାର କରି ଏନ୍.ସି.ଏଲ.ଟି ‘ଟାଟା’ ସପକ୍ଷରେ ନିଜର ରାୟ ପ୍ରଦାନ କରିଛନ୍ତି। ଏଥିସହ ଏମ୍ପ୍ଲୟିଜ୍ ଆସୋସିଏସନ୍ ନିଜର ସ୍ଥିତି ନଥାଇ କମ୍ପାନୀ କିଣିବାକୁ ଆବେଦନ କରିଥିବାରୁ ତାଙ୍କୁ ୧ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି। ଏହି ଏମ୍ପ୍ଲୟିଜ୍ ଆସୋସିଏସନ୍ ଭୁଷଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରରୋଚିତ ହୋଇ ଆବେଦନ କରିଥିବା ବିଭିନ୍ନ ମହଲରୁ ଶୁଣିବାକୁ ମିଳୁଛି। ଟାଟା କମ୍ପାନୀ ଏହାପରେ ତାଙ୍କ ଦଳ ଓ ବ୍ୟାଙ୍କ ସହ ଆସି ତଦାରଖ କରିବାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ। ଏହି ରାୟ ପ୍ରକାଶ ପାଇବା ପରେ ଭୁଷଣର ଶ୍ରମିକ ମହଲରେ ଆନନ୍ଦ ପ୍ରକାଶ ପାଇଛି।

Leave A Reply