ଆଇପିଏଲ୍‍ : ୨ଟି ପ୍ଲେ ଅଫ୍‍ ମ୍ୟାଚ୍‍ କଲକାତାକୁ ସ୍ଥାନାନ୍ତର

0

ନୂଆଦିଲ୍ଲୀ : ଆଇପିଏଲ୍‍ର ଚଳିତ ସିଜିନ୍‍ର ଦୁଇଟି ପ୍ଲେ ଅଫ୍‍ ମ୍ୟାଚ୍‍ ପୁଣେରୁ କଲକାତା ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି। ପୁଣେରେ ଏଲିମିନେଟର ଓ କ୍ୱାଲିଫାୟାର-୨ ମ୍ୟାଚ୍‍ ଅନୁଷ୍ଠିତ ହେବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ ବର୍ତ୍ତମାନ ଏହି ଦୁଇଟି ମ୍ୟାଚ୍‍ କଲକାତାରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିôବା ବିିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଏହି ଦୁଇଟି ମ୍ୟାଚ୍‍ ଯଥାକ୍ରମେ ଆସନ୍ତା ୨୩ ଓ ୨୫ରେ ଖେଳାଯିବ।
କାବେରୀ ଜଳ ବିବାଦକୁ ନେଇ ବିବାଦ ସୃଷ୍ଟି ହେବା ପରେ ଚେନ୍ନଇ ସୁପର କିଙ୍ଗସ୍‍ ଦଳ ନିଜ ଘରୋଇ ପଡ଼ିଆ ଭାବେ ଚେନ୍ନଇ ପରିବର୍ତ୍ତେ ପୁଣେକୁ ସ୍ଥାନାନ୍ତର କରିଥିଲା। ଏହାକୁ ଦୃଷ୍ଟିରେ ରଖି ଏଲିମିନେଟର ଓ କ୍ୱାଲିଫାୟାର-୨ ମ୍ୟାଚ୍‍ ପୁଣେ ପରିବର୍ତ୍ତେ କଲକାତାରେ କରାଯିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ କଲକାତାର ଇଡେନ୍‍ ଗାର୍ଡେନ୍‍ସ ଷ୍ଟାଡ଼ିୟମରେ ୬୬ ହଜାର ଦର୍ଶକ ବସି ମ୍ୟାଚ୍‍ ଦେଖିବାର ସୁଯୋଗ ପାଇବେ। ପୁଣେ ଷ୍ଟାଡ଼ିୟମରେ ୩୭ ହଜାରରୁ ଊଦ୍ଧ୍ୱର୍ ଦର୍ଶକ ମ୍ୟାଚ୍‍ ଦେଖିପାରିବେ। ଅଧିକ ସଂଖ୍ୟକ ଦର୍ଶକଙ୍କ ପାଇଁ ଷ୍ଟାଡ଼ିୟମରେ ମ୍ୟାଚ୍‍ ଦେଖିବାର ସୁଯୋଗ ସୃଷ୍ଟି କରିବାକୁ ଏଲିମିନେଟର ଓ କ୍ୱାଲିଫାୟାର-୨ ମ୍ୟାଚ୍‍ ପୁଣେ ପରିବର୍ତ୍ତେ କଲକାତାରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବା କୁହାଯାଉଛି। ମୁମ୍ବଇର ୱାଙ୍ଖେଡେ ଷ୍ଟାଡ଼ିୟମରେ କ୍ୱାଲିଫାୟାର-୧ ଓ ଫାଇନାଲ ମ୍ୟାଚ୍‍ ଯଥାକ୍ରମେ ମେ ୨୨ ଓ ୨୭ରେ ଖେଳାଯିବ। କଲକାତାରେ ଦୁଇଟି ପ୍ଲେ ଅଫ୍‍ ମ୍ୟାଚ୍‍ ଆୟୋଜିତ ହେବାକୁ ଯାଉଥିବାରୁ କ୍ରିକେଟ୍‍ ଆସୋସିଏସନ୍‍ ଅଫ୍‍ ବେଙ୍ଗଲ୍‍ର ଯୁଗ୍ମ ସମ୍ପାଦକ ଅଭିଷେକ ଡାଲମିୟା ଖୁସି ବ୍ୟକ୍ତ କରିବା ସହ ମ୍ୟାଚ୍‍ ଆୟୋଜନ ପାଇଁ ଷ୍ଟାଡ଼ିୟମ ଓ କ୍ରିକେଟ୍‍ ଆସୋସିଏସନ୍‍ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି କହିଥିଲେ।

Leave A Reply