ତୁମ୍ବରେ ଅର ସଂଯୋଗ

0

ପୁରୀ : ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ତିନିରଥ ପାଇଁ ନିର୍ମିତ ୪୨ଟି ତୁମ୍ବରେ ବିନ୍ଧକାମ ସରିଛି । ସେଗୁଡିକରେ ମେସିନ ଯୋଗେ ମଝିଠେକ କରାଯାଉଛି । ଖପୁରିଆ କରତକଳରୁ ଅର ଆସି ରଥଖଳାରେ ପହଞ୍ôଚଛି । ଭୋଇ ସେବକ ତୁମ୍ବରେ ଅର ସଂଯୋଗ (ସିଙ୍ଗଡା ବାଡିଆ) ଆରମ୍ଭ କରିଛନ୍ତି । ବୁଧବାର ସନ୍ଧ୍ୟାସୁଦ୍ଧା ତିନିରଥର ୩ଟି ତୁମ୍ବରେ ଅର ସଂଯୋଗ କରାଯାଇଛି । ରଥସଂହିତା ଅନୁଯାୟୀ ପ୍ରତି ତୁମ୍ବରେ ୧୬ଟି ଲେଖାଏଁ ଅର ଲଗାଯିବ । ମହାରଣା ସେବକ ଯନ୍ତାପଟା, ଯନ୍ତାକିଳା, ଗୁଜ ଓ କୁଡୁକା ନିର୍ମାଣରେ ଲାଗିପଡିଛନ୍ତି । ପ୍ରତି ରଥରେ ୬ଟି ଲେଖାଏଁ ଯନ୍ତାପଟା ଲାଗିବ । ସେଥିରେ ୮ଟି ଲେଖାଏଁ କିଳା ବାଡାଯିବାର ବିଧି ରହିଛି । ତିନିରଥ ପାଇଁ ୩୨ଟି କୁଡୁକା ଦରକାର ।
ରୂପକାର ସେବକ ଗୁଜ ଗୁଡିକରେ ନୃସିଂହ ମୂର୍ତ୍ତି କରୁଛନ୍ତି । ଗୁଜର ଗୋଟିଏ କୋଣରେ ନୃସିଂହ ମୂର୍ତ୍ତି କରାଯାଉଛି । ଏଥିଯୋଗୁଁ ତାହାକୁ ନୃସିଂହ ଗୁଜ ଏବଂ କଣଗୁଜ ବୋଲି କୁହାଯାଏ । ପ୍ରତି ତୁମ୍ବରେ ୧୬ଟି ଲେଖାଏଁ ଅର ଏବଂ ୫ଟି ପହି ଲଗାଯିବ । ଆଗାମୀ ୭ତାରିଖ ଦିନ ଭଉଁରି ତିଥିରେ ଚକ ଡେରାଯିବ । ତାହାକୁ ଦୃଷ୍ଟିରେ ରଖି ତୁମ୍ବରେ ଅର ସଂଯୋଗ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଅସ୍ଥାୟୀ କମାରଶାଳରେ କଣ୍ଟାକବ୍‍ଜା ପ୍ରସ୍ତୁତି ଚାଲିଛି । କଣଗୁଜ କାମ ଶେଷହେବା ପରେ ରୂପକାରମାନେ ନରବିରାଳ, ସିଂହବିରାଳ ଏବଂ ଗଜବିରାଳ କାମ କରିବେ । ଏହାପରେ ସେମାନେ ନାଟଗୋଡ, ପ୍ରଭା, ଘୋଡା, ଶୁଆସାରୀ, ମୁହାଣ୍ଟି, ପାଶ୍ୱର୍ଦେବଦେବୀ, ସାରଥି ଓ ସିଂହାସନରେ ଚିତ୍ର ଅଙ୍କନ କରିବାର ପରମ୍ପରା ରହିଛି । ତିନିରଥ ପାଇଁ ୩୩ ସାଲଗୁଜ ଏବଂ ୨୦ତିଖଗୁଜ ଆବଶ୍ୟକ। ପଟାଗୁଜକୁ ଅସୁଆରି କୁହାଯାଏ।
ଚାଳିଶ ଜଣ ମହାରଣା, ୧୦ରୂପକାର ଏବଂ କମାର ସେବକ ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି । ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ, ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ୮୬୫ଖଣ୍ଡ କାଠ ଆବଶ୍ୟକ । ଗତବର୍ଷଠାରୁ ୧୮୪କାଠ ବଳକା ରହିଛି । ଆଉ ୬୮୧ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଯୋଗାଇ ଦେଇଛନ୍ତି । ସେଥିରେ ଫାସି, ଧଉଁରା, ଅସନ ଓ ସାହାଜ କାଠ ରହିଛି । ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଭିଜ୍ଞ ସେବକଙ୍କ ସମେତ ପୂର୍ତ୍ତଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ତଦାରଖ କମିଟି ଗଠନ କରାଯାଇଛି । ଆଗାମୀ ଜୁଲାଇ ୧୪ରେ ଶ୍ରଜୀଉଙ୍କ ଶ୍ରୀଗୁଣ୍ଡିଚା, ୨୨ରେ ବାହୁଡା, ୨୩ରେ ସୁନାବେଶ, ୨୪ରେ ଅଧରପଣା ଏବଂ ୨୫ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ରଥ କନା, ରଥ ଦଉଡି, ଚନ୍ଦନକାଠ, ବାରଲାଗି ପାଟ, ବାସୁଙ୍ଗାପାଟ, ଲାଗିଲୁଗା, କସ୍ତୁରୀ, ବିଜେଡୋରୀ, ବନକଲାଗି ଓ ଝୁମ୍ପା ସଂଗ୍ରହ ଆରମ୍ଭ ହୋଇଛି। ଓଡ଼ିଶା ସମବାୟ କତା ନିଗମଠାରୁ ରଥ ଦଉଡି କିଣାଯିବ। ଗୁଜରାଟ ପରିବର୍ତ୍ତେ ଓଡ଼ିଶା ହସ୍ତତନ୍ତ ସମବାୟ ସମିତି (ବୟନିକା)ଠାରୁ ଚଳିତବର୍ଷ  ଆବଶ୍ୟକୀୟ ରଥକନା କିଣିବାକୁ ବିଭାଗୀୟ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଛି।

Leave A Reply