୨ ନକଲି ମାଓବାଦୀ ଗିରଫ

0

ଖଡିଆଳ  : ନୂଆପଡା ଜିଲା ଖଡିଆଳ ପୁଲିସ ଆଜି ଦୁଇ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି। ଖଡିଆଳର ଜଣେ ଠିକାଦାରଙ୍କଠାରୁ ଆଜି ୨ ଲକ୍ଷରୁ ଅଧିକ ଟଙ୍କା ନେବା ସମୟରେ ପୁଲିସ ହାତରେ ସେମାନେ ଧରାପଡିଛନ୍ତି। ଏହି ଦୁଇ ଅଭିଯୁକ୍ତଙ୍କ ମାଓବାଦୀଙ୍କ ସହ କୌଣସି ପ୍ରକାରର ସଂପର୍କ ନାହିଁ। କିନ୍ତୁ ଏହି ଦୁଇ ନକଲି ମାଓବାଦୀ ନୂଆପଡା, କଳାହାଣ୍ଡି ଏବଂ ବଲାଙ୍ଗିର ଜିଲାର ବିଭିନ୍ନ ଧନୀ ବ୍ୟକ୍ତି ଏବଂ ଠିକାଦାରଙ୍କଠାରୁ ୮ ଲକ୍ଷ ଟଙ୍କା ଆଦାୟ କରି ସାରିଥିବା ଖଡିଆଳଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ବଲାଙ୍ଗର ଜିଲାର ବଙ୍ଗୋମୁଣ୍ଡା ବ୍ଳକ ବେଲପଡା ଗ୍ରାମର ନିରାକାର ତାଣ୍ଡି ସହ ଅନ୍ୟ ଏକ ଅଭିଯୁକ୍ତ ବଲାଙ୍ଗିର ଜିଲା ତୁରେକେଲା ଥାନା ପାଣ୍ଡରେନ ଗ୍ରାମର ଜଗଦିଶ ଛତ୍ରିଆ ବୋଲି ଜଣାପଡିଛି। ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କଠାରୁ ୨ଲକ୍ଷ ୮୫ ହଜାର ଟଙ୍କା ପୁଲିସ ଜବତ କରିଛି। ଏହା ସହ ଗୋଟିଏ ମୋବାଇଲ ଫୋନ, ବେନାମୀ ସିମ କାର୍ଡ ମଧ୍ୟ ଜବତ କରାଯାଇଛି। ଏମାନେ ଧନୀ ଶ୍ରେଣୀର ବ୍ୟକ୍ତି ଏବଂ ଠିକାଦାରମାନଙ୍କୁ ଫୋନରେ ମାଓବାଦୀର ପରିଚୟ ଦେଇ ଧମକ ଚମକ ଦେଇ ଲକ୍ଷାଧିକ ଟଙ୍କା ମାଗୁଥିବା ଜଣାପଡିଛି। ଏହି ଅଭିଯୁକ୍ତମାନଙ୍କ ନାମରେ ବଲାଙ୍ଗିର, ନୂଆପଡା ଏବଂ କଳାହାଣ୍ଡି ଜିଲାର ବିଭିନ୍ନ ଥାନାରେ ୧୦ଟି ମାମଲା ମାମଲା ରହିଛି। ଏହି ମାମଲାରେ ଅଧିକ କେତେ ଜଣ ସଂପୃକ୍ତ ରହିଥିବା କୁହାଯାଉଥିବାବେଳେ ସେ ନେଇ ତଦନ୍ତ ଚାଲିଥିବା ପୁଲିସ କହିଛି। ଅନ୍ୟପକ୍ଷରେ ଏମାନଙ୍କ ସହିତ ମାଓବାଦୀଙ୍କ କୌଣସି ପ୍ରକାରର ସମ୍ପର୍କ ରହି ନ ଥିବା ଏସପି ଶ୍ରୀ ପରମାର ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମଳନୀରେ ଖଡିଆଳ ଥାନାଧିକାରୀ ସଦାନନ୍ଦ ପୂଜାହାରୀ, ପୁଲିସ ସବ ଇନ୍ସପେକ୍ଟର ଆଦିତ୍ୟ କୁମାର ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply