ରାହୁଲଙ୍କ ରହସ୍ୟ ଖୋଲିବେ ଶ୍ରୀକାନ୍ତ!

0

ଭୁବନେଶ୍ୱର:  ଖଣି ଚୋରି ଓ ସମ୍ପତ୍ତି ଆହରଣ କରିବା କଂଗ୍ରେସର ଯୋଗ୍ୟତା। କଂଗ୍ରେସରେ ରହିବାକୁ ମୋର ଯୋଗ୍ୟତା ନାହିଁ ବୋଲି କଂଗ୍ରେସରୁ ବହିଷ୍କୃତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହା ସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୪୦ ବର୍ଷର ରାଜନୀତିରେ ମୁଁ ଦୁର୍ନୀତି କରିନାହିଁ । ମୋ ବିରୋଧରେ କେହି ଦୁର୍ନୀତି ଅଭିଯୋଗ ଆଣିନାହିଁ । ରାହୁଳ ଓ ବିଜେଡି ମଧ୍ୟରେ ମହାମେଣ୍ଟ ହୋଇଛି । ଏହି ମେଣ୍ଟ ବିରୋଧରେ ଲଢେଇ ହେବ । ଆସନ୍ତା ୨୫ ରେ ଓଡିଶାଗସ୍ତରେ ଆସୁଥବା ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ସେହିଦିନ ଅଧିକ ରହସ୍ୟ ଉନ୍ମୋଚନ କରିବେ ବୋଲି ଶ୍ରୀକାନ୍ତ କହିଛନ୍ତି। ତା ପରେ ରାହୁଲଙ୍କ ସମସ୍ୟା ବଢ଼ିଯିବ ବୋଲି ସେ ଦଢ଼ୋକ୍ତି କରିଛନ୍ତି।

ଶ୍ରୀକାନ୍ତ ଜେନା କହିଛନ୍ତି ଯେ, ନିରଞ୍ଜନ ହେଉଛନ୍ତି ଜଣେ ଅଭ୍ୟାସଗତ ଲାଞ୍ଚ ପ୍ରଦାନକାରୀ ବ୍ୟକ୍ତି । ଏନେଇ ହାଇକୋର୍ଟ ମଧ୍ୟ ତାଙ୍କୁ ଭର୍ତ୍ସନା କରିଛନ୍ତି । ଏଭଳି ଜଣେ ବ୍ୟକ୍ତିଙ୍କ ହାତରେ ରାହୁଲ ଗାନ୍ଧି ଦାୟିତ୍ବ ଟେକି ଦେଇଛନ୍ତି । ରାଜ୍ୟରେ ଖଣିମାଫିଆଙ୍କ ସହ ମେଣ୍ଟ ପାଇଁ ସୁଯୋଗ ଦେଇଛନ୍ତି । ଓଡିଶାରୁ ଟଙ୍କା ନେଇ ରାହୁଲ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି । ଓଡିଶାରେ ପଟ୍ଟନାୟକ ଶାସନ ମୁକ୍ତି ପାଇଁ ପ୍ରଚାର କରିବି । ରାଜ୍ୟରେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାର ଖୁଲାସା କରିବି । ଭର୍ତ୍ସନା ଆଳରେ ଶ୍ରୀକାନ୍ତ ଜେନା କହିଛନ୍ତି ରାହୁଲ-ନବୀନ-ନିରଞ୍ଜନ-ସୌମ୍ୟ ଜିନ୍ଦାବାଦ ପକାନ୍ତୁ ।

ରାହୁଲ-ବିଜେଡି ମେଣ୍ଟ ନେଇ ଶ୍ରୀକାନ୍ତଙ୍କ ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି ଯେ, ଶ୍ରୀ ଜେନାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଏଥିରେ ସତ୍ୟତା ନାହିଁ । ଶ୍ରୀକାନ୍ତ ଜେନା କଂଗ୍ରେସରେ ଥିବା ବେଳେ ବିଜେଡି ଓ ବିଜେପିର ସମ୍ପର୍କ ଥିବା କଥା କହୁଥିଲେ । ଏବେ କଂଗ୍ରେସ ଛାଡିବା ପରେ ରାହୁଲ-ନବୀନଙ୍କ ମେଣ୍ଟ କଥା କହୁଛନ୍ତି । ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକା ପ୍ରସଙ୍ଗର ଜବାବ ଦେଇ ପ୍ରତାପ ଦେବ କହିଛନ୍ତି ଯେ, ସେତେବେଳେ ସେ କେନ୍ଦ୍ରମନ୍ତ୍ରୀ ଥିଲେ । ଇସ୍ତଫା ଦେଲେନି କାହିଁକି । ବିଜେପି ବିରୋଧରେ କାହିଁକି କିଛି କହୁ ନାହାନ୍ତି? ଶ୍ରୀକାନ୍ତ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି ।

ଶ୍ରୀକାନ୍ତ ଜେନାଙ୍କ ବହିଷ୍କାର ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା ମିଳିଛି । ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ଶ୍ରୀକାନ୍ତଙ୍କ ବହିଷ୍କାର ପରେ କଂଗ୍ରେସରେ ଖଣି ମାଫିଆ ଥିବା ପ୍ରମାଣିତ ହୋଇଛି । ଖଣି ମାଲିକଙ୍କ ହାତରେ କଂଗ୍ରେସ ଦଳର ମାଲିକାନା ରହିଛି । ରାଜ୍ୟ ସରକାରଙ୍କ ସହିତ ଡିଲ୍‌ ହୋଇଥିବା ମଧ୍ୟ ଶ୍ରୀକାନ୍ତଙ୍କ ମନ୍ତବ୍ୟରୁ ପ୍ରମାଣ ମିଳୁଛି।

Leave A Reply