ନୀରଜ ଚୋପ୍ରାଙ୍କୁ ମିଳିପାରେ ଖେଳରତ୍ନ!

0

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଗୋଲ୍‍ଡ କୋଷ୍ଟରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ୍‍ ଥ୍ରୋରେ ଭାରତ ନିମନ୍ତେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇ ପାରେ ବୋଲି ଆଲୋଚନା ଜୋର୍‍ ଧରିଛି। ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ମହିଳା ଭାରୋତ୍ତୋଳନକାରୀ ମିରାବାଇ ଚାନୁ, ସଂଜିତା ଚାନୁ, ତାରକା ଟେବୁଲ ଟେନିସ୍‍ ଖେଳାଳି ମାନିକା ବାତ୍ରା, ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବା ଆଶା ରହିଛି।
ନିୟମ ମୁତାବକ ଗତ ୪ବର୍ଷ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଅର୍ଜୁନ ଓ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ। ଏହି ସମୟସୀମା ଡିସେମ୍ବର ୩୧ ତାରିଖ ଶେଷ ହେଉଛି। ତେବେ ଗତ ଏପ୍ରିଲରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ତରଫରୁ ପଦକ ଜିତିଥିବା ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ ବିଚାର କରି ଚଳିତଥର ଅର୍ଜୁନ ପୁରସ୍କାର ଓ ଖେଳରତ୍ନ ପୁରସ୍କାର ପ୍ରଦାନ କରିବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ମନସ୍ଥ କରିଛି। ଅର୍ଜୁନ ଓ ଖେଳରତ୍ନ ପୁରସ୍କାର ନିମନ୍ତେ ଖେଳାଳି ମନୋନୟନ ପାଇଁ ଖୁବ୍‍ଶୀଘ୍ର କମିଟି ଗଠନ ହେବାକୁ ଯାଉଥିବା ବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜେତାଙ୍କୁ ଏହି ପୁରସ୍କାର ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ କେନ୍ଦ୍ର ମନ୍ତ୍ରଣାଳୟ ତରଫରୁ ସଂପୃକ୍ତ କମିଟି ସଦସ୍ୟଙ୍କୁ ଅନୁରୋଧ କରାଯାଇପାରେ ବୋଲି ଆଲୋଚନା ହେଉଛି। ଏହାକୁ ଦୃଷ୍ଟିରେ ରଖି ନୀରଜ କୁମାରଙ୍କୁ ଖେଳରତ୍ନ ଓ ଅନ୍ୟ ରାଜ୍ୟଗୋଷ୍ଠୀ ପଦକ ବିଜେତାଙ୍କୁ ଅର୍ଜୁନ ପୁରସ୍କାର ମିଳିବା ନିଶ୍ଚିତ ବୋଲି କୁହାଯାଉଛି।

Leave A Reply