ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ମହାକାଶ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ, ତାଲିମ ପ୍ରତିଷ୍ଠାନ

0

ନୂଆଦିଲ୍ଲୀ: ଓଡ଼ିଶା ସରକାର ରାଜ୍ୟରେ ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହୃତ ସାମଗ୍ରୀ ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିବା ପରିପ୍ରେକ୍ଷୀରେ ଜଣେ ଓଡ଼ିଆ ଯୁବକ ଏ କ୍ଷେତ୍ରରେ ଆଗକୁ ଆସିଛନ୍ତି। ପୂର୍ବରୁ ନାସାରେ କାର୍ୟ୍ୟରତ ପ୍ରିୟମ ମହାନ୍ତି ନାମକ ଏହି ଯୁବକ ଭୁବନେଶ୍ୱର ଠାରେ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏଭଳି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ସରକାରୀ ସ୍ତରରେ ଅନୁମୋଦନ ଅପେକ୍ଷାରେ ଥିବା ବେଳେ ଜିଲା ଶିଳ୍ପ କେନ୍ଦ୍ର ସହଯୋଗରେ ଋଣ ଆଣି ଶୀଘ୍ର ପ୍ରସ୍ତାବିତ ଶିଳ୍ପ କାର୍ୟ୍ୟକ୍ଷମ କରିବେ ବୋଲି କହିଛନ୍ତି। ଏହି ଷ୍ଟାଟ ଅପ ଶିଳ୍ପ ମାଧ୍ୟମରେ ମହାକାଶ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ସହିତ ଯୁବକଯୁବତୀଙ୍କୁ ତାଲିମ ଦେବେ। ବିଶେଷକରି ହାଇପର ସୋନିକ ଡ଼ିଜାଇନ, ୟୁଏଭି, ଲାଇଟ ୱେଟିଂ ମହାକାଶ ସାମଗ୍ରୀ ନିର୍ମାଣ, ମ୍ୟାଟେରିଆଲ ମଡ଼େଲିଂ, ଥ୍ରି-ଡି ପ୍ରିଣ୍ଟିଙ୍ଗ କ୍ଷେତ୍ରରେ ତାଲିମ ପ୍ରଦାନ କରାଯିବ। ତାଲିମ ପରେ ସେମାନଙ୍କୁ ଆଧୁନିକ ମହାକାଶ ଯନ୍ତ୍ରପାତି ନିର୍ମାଣ ସଂସ୍ଥାରେ କର୍ମନିଯୁକ୍ତି ମିଳିପାରିବ। ଶିଳ୍ପ ପ୍ରତିଷ୍ଠା ପାଇଁ ଶ୍ରୀ ମହାନ୍ତି କେନ୍ଦ୍ର ସରକାରଙ୍କ ଇସ୍ରୋ, ଡିଆରଡିଓ, ପ୍ରତିରକ୍ଷା ମନ୍ତ୍ରାଣଳୟର ଗୋଳାବାରୁଦ କାରଖାନା ଡିଭିଜନ ସହ ଯୋଗସୂତ୍ର ଆରମ୍ଭ କରିଛନ୍ତି।
ଶ୍ରୀ ମହାନ୍ତି ଆମେରିକାର ନାସାରୁ ଫେରି ନିଜ ଉଦ୍ୟମରେ ୨୦୧୬ରୁ ‘ଜାର ଏରୋସ୍ପେସ ରିସର୍ଚ୍ଚ ଲାବ’ ନାମରେ ନିଜସ୍ୱ ଷ୍ଟାଟ ଅପ ଚଳାଉଛନ୍ତି। ଆଗାମୀ ଦିନରେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ତିନିଶହ କୋଟି ଟଙ୍କା ବ୍ୟୟରେ ପାଞ୍ଚଟି ଏଭଳି ସଂସ୍ଥା ପ୍ରତିଷ୍ଠା କରାଯିବ ବୋଲି ପ୍ରିୟମ ମହାନ୍ତି କହିଛନ୍ତି। ଭୁବନେଶ୍ୱରର ପଟିଆ ଠାରେ ଖୁବଶୀଘ୍ର ସଂସ୍ଥାର କାର୍ୟ୍ୟରମ୍ଭ ହେବ ବୋଲି ଜଣାପଡ଼ିଛି।

Leave A Reply