ଶିବସେନା ସହ ସମ୍ପର୍କ ସୁଧାରିବା ଉଦ୍ୟମରେ ବିଜେପି

0

ମୁମ୍ବଇ : ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ମହାରାଷ୍ଟ୍ରରେ ଶିବସେନା ସହିତ ଏହାର ମତାନ୍ତର ଦୂର କରି ସମ୍ପର୍କ ସୁଧାରିବାର ପ୍ରୟାସ ଆରମ୍ଭ କରିଛି। ଅଗାମୀ ବର୍ଷ ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ ଶିବସେନା ପରସ୍ପର ପୁନଃ ମେଣ୍ଟ କରିବା ଉଚିତ୍‍ ବୋଲି ବିଜେପି ଅଧ୍ୟକ୍ଷ ଅମିତ୍‍ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ଶିବସେନା ସହିତ ମେଣ୍ଟ କରିବାକୁ ବିଜେପି ଉତ୍ସୁକ ବୋଲି ଶାହା ଚଳିତ ସପ୍ତାହ ପ୍ରାରମ୍ଭରେ ମତ ଦେଇ ଦୁଇ ଦଳ ମଧ୍ୟରେ ନୂତନ ସମ୍ପର୍କର ସମ୍ଭାବନା ଥିବା ସୂଚନା ଦେଇଥିଲେ। ସେହିଭଳି ବିଜେପି ଏବଂ ଶିବସେନା ମଧ୍ୟରେ ଯେତେ ମତଭେଦ ରହିଥିଲେ ମଧ୍ୟ ଏମାନେ ପରସ୍ପର ବିନା କିଛି କରିବା ସମ୍ଭବ ନୁହେଁ ବୋଲି ଗଡକରୀ ନିକଟରେ କହିଛନ୍ତି। ଶିବସେନା ଏନ୍‍ଡିଏର ସବୁଠାରୁ ପୁରୁଣା ମେଣ୍ଟ ଦଳ। ଏଣୁ ଏହି ଦଳ ସହିତ ମେଣ୍ଟ କାଏମ ରଖିବାକୁ ବିଜେପି ଇଚ୍ଛୁକ ବୋଲି ମୁମ୍ବଇଠାରେ ସାମ୍ବାଦିକଙ୍କୁ ସେ କହିଛନ୍ତି। ଏହି ମେଣ୍ଟ ଗଠନରେ ସେ ମଧ୍ୟସ୍ଥତା କରିବା ପ୍ରସଙ୍ଗରୁ କିନ୍ତୁ ଗଡକରୀ ଓହରିଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‍ନାବିସ ଏବଂ ରାଜ୍ୟ ବିଜେପି ମୁଖ୍ୟ ରାଓସାହେବ ଦାନବେ ମେଣ୍ଟ ଗଠନ ପ୍ରକ୍ରିୟା ସମ୍ଭାଳିବେ ବୋଲି ଗଡ଼କରୀ କହିଛନ୍ତି। ମେଣ୍ଟ ପ୍ରସଙ୍ଗରେ ମତ ଦେଇ ବିଜେପି ନେତା ତଥା ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଯଦି ଶିବସେନା ମେଣ୍ଟ କରିବାକୁ ମନା କରିଦିଏ ତା’ହେଲେ ଏହା କଂଗ୍ରେସ ଏବଂ ଏନ୍‍ସିପି ପାଇଁ ସୁବିଧାଜନକ ପରିସ୍ଥିତି ସୃଷ୍ଟି କରିବ। କାରଣ ଇତିମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଏନ୍‍ସିପି ମୁଖ୍ୟ ଶରଦ ପୱାର ନିର୍ବାଚନୀ ପୂର୍ବମେଣ୍ଟ ପାଇଁ ସବୁଜ ସଙ୍କେତ ଦେଇସାରିଛନ୍ତି।
୨୦୧୯ ଏପ୍ରିଲରୁ ମେ’ ମଧ୍ୟରେ ଲୋକସଭା ଏବଂ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ। ଶିବସେନା ଏହି ନିର୍ବାଚନ ଏକାକୀ ଲଢିବ ବୋଲି ଜାନୁଆରୀରେ ଘୋଷଣା କରିଥିଲା।
କିନ୍ତୁ ଏହି ନିଷ୍ପତ୍ତି ଚୂଡାନ୍ତ ନୁହେଁ ବୋଲି ନିକଟରେ ଦଳ ପକ୍ଷରୁ କୁହାଯାଇଛି।

Leave A Reply