ଅମାବାସ୍ୟାରୁ ସାବିତ୍ରୀ ନିଖୋଜ, ଫଟୋଧରି ଖୋଜି ବୁଲୁଛନ୍ତି ସ୍ୱାମୀ

0

କୋରାଇ: ୧୪ ତାରିଖ ଥିଲା ସାବିତ୍ରୀ ଅମାବାସ୍ୟା। ସେଦିନ ବୃଦ୍ଧ ସୁଦନଙ୍କ ସ୍ତ୍ରୀ ସାବିତ୍ରୀ ନିଖୋଜ ହୋଇଯାଇଛନ୍ତି। ପ୍ରାଣଭରି ଭଲ ପାଉଥିବା ସ୍ତ୍ରୀକୁ ପଇବା ପାଇଁ ସେହିଦିନଠାରୁ ଆଜି ଯାଏଁ ବୁଲିବୁଲି ଖୋଜୁଛନ୍ତି ସୁଦନ। ଅର୍ଥାଭାବରୁ ଭଙ୍ଗା ଦଦରା ସାଇକଲରେ ଜିଲାର ବିଭିନ୍ନ ଥାନାକୁ ଘୁରିବୁଲିବା ସହିତ ନିଖୋଜ ଥିବା ପତ୍ନୀଙ୍କ ଫଟୋକୁ ଦେଖାଇ ସହାୟତା କରିବା ପାଇଁ ଲୋକଙ୍କୁ ନିବେଦନ କରୁଛନ୍ତି। ମଙ୍ଗଳବାର ପାଣିକୋଇଲି-ଯାଜପୁରରୋଡ ୨୦ନମ୍ବର ଜାତୀୟ ରାଜପଥର ଧନେଶ୍ୱର ଓଭରବ୍ରିଜ ଉପରେ ସୁଦନ ବସି କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ନିଖୋଜ ପତ୍ନୀଙ୍କୁ ଖୋଜି ଖୋଜି ନୟାନ୍ତ ହେବା ପରେ ହତୋତ୍ସାହିତ ହୋଇ ଏପରି କାନ୍ଦୁଥିବା ଜଣାପଡିଥିଲା।
ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ପୁଡ଼ିଆ ଗ୍ରାମ ପଞ୍ଚାୟତର ନୂଆଡ଼ିହି ଗାଁରେ ସୁଦନ ମାହାନ୍ତ (୫୫)ଙ୍କ ଘର। ସ୍ତ୍ରୀ ସବିତ୍ରୀ (୫୦), ୨ ପୁଅ ଓ ୪ ଝିଅକୁ ମିଶାଇ ୮ ପ୍ରାଣୀ କୁଟୁମ୍ବ। ସେ ଚାଷକାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି। ଏହି ୮ ପ୍ରାଣୀ କଟୁମ୍ବ ପୋଷି ସେମାନଙ୍କ ମଧ୍ୟରୁ ଦୁଇ ପୁଅ ଓ ଦୁଇ ଝିଅ ବିବାହ କରିସାରିଥିବା ବେଳେ ଘରେ ଆଉ ଦୁଇଜଣ ବିବାହ ଯୋଗ୍ୟ ଝିଅ ରହିଛନ୍ତି। ଜଣେ ସାଧାରଣ ଚାଷୀ ଭାବେ ଦୁଃଖ କଷ୍ଟରେ ବଞ୍ଚୁଥିଲେ। ଦୁଇ ପୁଅ ସେମାନଙ୍କଠାରୁ ଅଲଗା ରହିଥିବାରୁ ସାବିତ୍ରୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଅମାବସ୍ୟାରେ ସାବିତ୍ରୀ କରିଥିଲା ସାବିତ୍ରୀ ଓଷା। ଘରେ କାହାରିକୁ କିଛି ନ ଜଣାଇ କୁଆଡ଼େ ଚାଲିଗଲା ବୋଲି କାନ୍ଦିକାନ୍ଦି କହିଥିଲେ ସୁଦନ। ସାବିଙ୍କର ଉଚ୍ଚତା ୫ ଫୁଟ ୨ ଇଞ୍ଚ ହୋଇଥିବା ବେଳେ ତା’ର ରଙ୍ଗ ଗୋରା ଓ ଘରୁ ଗଲା ବେଳକୁ ସେ ଲାଲ ରଙ୍ଗର ମୋଟା ଧଡ଼ିଥିବା ଶାଢି ପିନ୍ଧିଥିଲେ। ସୁଦନ ଓ ତାଙ୍କ ପରିବାର ଲୋକେ ସମସ୍ତ ବନ୍ଧୁ ବାନ୍ଧବ ସହିତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ସାବିତ୍ରୀର କୌଣସି ସନ୍ଧାନ ମିଳିନଥିଲା। ଫଳରେ ୧୫ ତାରିଖରେ ସୁକିନ୍ଦା ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ ସୁଦନ। ହେଲେ ପୁଲିସ ଉପରେ ନିର୍ଭର ନ କରି ନିଜ ଭଙ୍ଗା ସାଇକଲରେ ଜିଲାର ବିଭିନ୍ନ ଅଞ୍ଚଳକୁ ଘୁରି ବୁଲି ସେ ସାବିତ୍ରୀଙ୍କୁ ଖୋଜୁଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ସାବିତ୍ରୀଙ୍କର ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ୭୭୫୨୦୭୩୪୫୨, ୮୧୧୪୮୯୨୬୪୩ ନମ୍ବରରେ ଯୋଗାଯୋଗ କରିବାକୁ ସେ ନିବେଦନ କରିଛନ୍ତି।

Leave A Reply