ପାଣିଖୁଲିଆ ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ପ୍ରସଙ୍ଗ

0

ସୁନ୍ଦରଗଡ଼ : ବୁଧବାର ହେମଗିର ଥାନା ଅନ୍ତର୍ଗତ ପାଣିଖୁଲିଆ ଜଙ୍ଗଲରେ ଜୈନିକା ଅଜଣା ମହିଳାଙ୍କ ଶବ ହେମଗିର ପୁଲିସ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ହେମଗିର ପୁଲିସର ସମୋୟଚିତ ପଦକ୍ଷେପ ଯୋଗୁଁ ମୃତା ମହିଳାଙ୍କୁ ତାଙ୍କ ପରିବାର ବର୍ଗ ଚିହ୍ନଟ କରି ସୁନ୍ଦରଗଡ଼ରେ ପହଞ୍ଚିଥିବାର ଜଣାପଡ଼ି ଥିବା ବେଳେ ମର୍ଗ ହାଉସରେ ସଂରକ୍ଷିତ ଥିବା ମୃତ ଦେହକୁ ଶୁକ୍ରବାର ବ୍ୟବଛେଦ କରାଯିବ ବୋଲି ହେମଗିର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ସୂଚନା ଦେଇଛନ୍ତି।
ଅପରପକ୍ଷରେ ପ୍ରାଥମିକ ତଦନ୍ତନୁସାରେ ଏହା ଏକ ହତ୍ୟାକାଣ୍ଡ ଓ ଏଥିରେ ସଂପୃକ୍ତ କୁହାଯାଉଥିବା ମୃତା ମହିଳାଙ୍କ ତଥାକଥିତ ପ୍ରେମିକଙ୍କୁ ପୁଲିସ ଥାନାରେ ଅଟକ ରଖି ଗୁଡ଼େଇ ତୁଡ଼େଇ ପଚରାଉଚୁରା କରୁଥିବାର ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ, ମୃତା ମହିଳାଙ୍କ ନାମ ଆରତୀ କୁଆଁ(୨୬) ସେ ବିବାହିତ, ମାତ୍ର ଗତ ୨୧.୩.୨୦୧୮ ତାରିଖରୁ କୁଚିଣ୍ଡାର ଲାସେ ଅଞ୍ଚଳରୁ ନିଖୋଜ ଥିଲେ। ଏ ସଂପର୍କରେ ତାଙ୍କ ସ୍ୱାମୀ ସଚିତାନନ୍ଦ ସୁନାନୀ ସେଠାକାର ଥାନାରେ ସୂଚନା ଦେଇଥିଲେ। ମହିଳାଙ୍କ ନିଖୋଜ ପରଠାରୁ ପରିବାର ବର୍ଗ ତାଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ତାଙ୍କ ଖୋଜ ଖବର ପାଇନଥିଲେ। ମହିଳା ଜଣକ ସେଠାରୁ ଚାଲିଆସି ଲେଫ୍ରିପଡ଼ାର ଝୁରିମାଲ ଗ୍ରାମରେ ବୁଲାବୁଲି କରୁଥିବା ବେଳେ ଏ ଅଞ୍ଚଳର ଅନ୍ୟ ଜଣେ ବିବାହିତ ଯୁବକ ପ୍ରକାଶ ଜଗଦାଲା(୪୦)ଙ୍କ ସହ ତାଙ୍କ ସାକ୍ଷାତ ହୋଇଥିବା ବେଳେ ପରେ ଦୁହେଁ (ପ୍ରକାଶ ଓ ଆରତୀ)ଝୁରିମାଲ ଗ୍ରାମରେ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ଏକ ଭଡ଼ା ଘରେ ରହୁଥିବା ବେଳେ ପ୍ରକାଶ ଲେଫ୍ରିପଡ଼ାର ଲଖନପୁର ଛକରେ ଏକ ୱେଲଡ଼ିଂ ଦୋକାନରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲା। ଗତ ୧୯ ତାରିଖ ଦିନ ଆରତୀ ଓ ପ୍ରକାଶ ମଧ୍ୟରେ କୌଣସି କାରଣକୁ ନେଇ ବେଶ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା ଏଥିରେ କୁଆଡ଼େ ପ୍ରକାଶ ଉତ୍ତେଜିତ ହୋଇ ଆରତୀକୁ ମାଡ଼ ମାରିବାରୁ ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇ ଗୁୁରୁତର ହୋଇଥିଲେ। ଚିକିତ୍ସା କରିବା ପାଇଁ ବନ୍ଦୋବସ୍ତ କରୁଥିବା ବେଳେ ଆରତୀର କୁଆଡ଼େ ମୃତ୍ୟୁ ହୋଇଯାଇଥିଲା। ଏ କଥା ପ୍ରକାଶ କେବଳ ୨/୩ଜଣଙ୍କୁ କହି ଆରତୀର ମୃତଦେହକୁ ଏକ ଅଟୋ ରିକ୍ସାରେ ଲଦି ହେମଗିରର ପାଣିଖୁଲିଆ ଜଙ୍ଗଲରେ ପକାଇ ଦେଇ ତା ଉପରେ ଗଛ ଓ ଡ଼ାଳ ପତ୍ର ଆଦି ଢ଼଼ାଙ୍କି ଦେଇ ଚାଲିଯାଇଥିଲା। ଅପରପକ୍ଷରେ ମହିଳାଙ୍କ ମୃତଦେହକୁ ଜଙ୍ଗଲ ମଧ୍ୟରେ ପଡ଼ିଥିବାର ଦେଖି ଜନୈକ ଛେଳି ଚରାଳି ହେମଗିର ଥାନାକୁ ସୂଚନା ଦେବାରୁ ଥାନା ଅଧିକାରୀ ସୁବୁଦ୍ଧି ଓ ଫରେନସିକ୍‍ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶୁକ୍ରବାର ଆରତୀର ମୃତଦେହକୁ ବ୍ୟବଛେଦ କରାଯାଇ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଥିବା ବେଳେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ନିତ କରିଥିବାର ଜଣାପଡ଼ିଛି। ଘଟଣାଟି ସମଗ୍ର ହେମଗିର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply