ଶତପ୍ରତିଶତ ଉପସ୍ଥାନ ବିଦ୍ୟାଳୟ ଲାଗି ପଞ୍ଚାୟତକୁ ପୁରସ୍କାର

0

ଭୁବନେଶ୍ୱର : ଯେଉଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ଉପସ୍ଥାନ ରହିବ, ସେସବୁ ବିଦ୍ୟାଳୟ ଲାଗି ସଂପୃକ୍ତ ପଞ୍ଚାୟତକୁ ମିଳିବ ପୁରସ୍କାର।
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନକୁ ଗୁରୁତ୍ୱଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଚିବାଳୟରେ ‘ସବୁଦିନ ଯିବା ସ୍କୁଲ, ଉପସ୍ଥାନ-୨୦୧୮ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି। ବିଦ୍ୟାଳୟରେ ଶତ ପ୍ରତିଶତ ଉପସ୍ଥାନ ରହିଲେ ସଂପୃକ୍ତ ପଞ୍ଚାୟତକୁ ପୁରସ୍କୃତ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ପ୍ର୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ ନିୟମିତ ଉପସ୍ଥିତିକୁ ଉତ୍ସାହିତ କରିବା ଏହି ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହି ଅଭିଯାନରେ ପିତାମାତା, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ପଞ୍ଚାୟତସ୍ତରର ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରାଯିବ। ଛାତ୍ରଛାତ୍ରୀ ପ୍ରତିଦିନ ସ୍କୁଲ ଯିବାର ଆବଶ୍ୟକତା ସମ୍ପର୍କରେ ସଚେତନ କରାଯିବ। ଏଥିସହିତ ବିଭିନ୍ନ ଗଣମାଧ୍ୟମ ଓ ପ୍ରଚାର ପୁସ୍ତିକା ମାଧ୍ୟମରେ ମଧ୍ୟ ସଚେତନତା ସୃଷ୍ଟି କରାଯିବ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତକୁମାର ମହାପାତ୍ର, ୟୁନିସେଫର ପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply