ବିଜେପି ଜିତିଲେ ହିନ୍ଦୁ ପାକିସ୍ତାନ ସୃଷ୍ଟି ହେବ: ଥରୁର

0

ତିରୁଭାନନ୍ତପୁରମ୍‍: ୨୦୧୯ ନିର୍ବାଚନରେ ଯଦି ବିଜେପି ବହୁମତ ପାଇ କେନ୍ଦ୍ରରେ ସରକାର ଗଠନ କରିବ ତେବେ ସଂଖ୍ୟାଲଘୁମାନଙ୍କର ଅଧିକାର କ୍ଷୁର୍ଣ୍ଣ ହେବ। ଭାରତ ‘ହିନ୍ଦୁ ପାକିସ୍ତାନ’ରେ ପରିବର୍ତ୍ତିତ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କହିଛନ୍ତି। ଥରୁର୍‍ଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ବିଜେପି ପ୍ରତିକ୍ରିୟାରେ କହିଛି।
ଏଠାରେ ଏକ ଉତ୍ସବରେ ଥରୁର କହିଥିଲେ ଯେ ବିଜେପି ଯଦି ୨୦୧୯ରେ ପୁନଃନିର୍ବାଚିତ ହୁଏ ତେବେ ଗଣତାନ୍ତ୍ରିକ ସମ୍ବିଧାନ ବିଲୋପ କରି ଏକ ନୂଆ ସମ୍ବିଧାନ ଲେଖିବ। ଭାରତକୁ ଅସହନଶୀଳ ଦେଶ ଭାବେ ପୁନର୍ଗଠନ କରାଯିବ। ଏଥିପାଇଁ ବିଜେପି ପାଖରେ ସବୁ ଶକ୍ତି ରହିଛି। ହିନ୍ଦୁ ରାଷ୍ଟ୍ର କରିବା ଲକ୍ଷ୍ୟରେ ସଂଖ୍ୟାଲଘୁମାନଙ୍କୁ ନିର୍ଯାତିତ କରାଯିବ। ମହାତ୍ମା ଗାନ୍ଧି, ନେହେରୁ, ସର୍ଦ୍ଦାର ପଟେଲ୍‍ ମୌଲାନା ଆଜାଦ୍‍ଙ୍କ ସଂଘର୍ଷ ଓ ବଳିଦାନରେ ଯେଉଁ ଭାରତ ଗଠନ ହୋଇଥିଲା ତାହା ନିରର୍ଥକ ହେବ।
ଏହାର ପ୍ରତିକ୍ରିୟାରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହଛନ୍ତି ଯେ ପାକିସ୍ତାନ ସୃଷ୍ଟି ପାଇଁ ଅତୀତରେ କଂଗ୍ରେସ ହିଁ ଦାୟୀ। ଏବେ ମଧ୍ୟ ଭାରତରେ ହିନ୍ଦୁତ୍ୱକୁ ନଷ୍ଟ କରିବା ପାଇଁ କଂଗ୍ରେସ ପ୍ରୟାସ କରୁଛି। ଥରୁରଙ୍କ ଏହି ମନ୍ତବ୍ୟ ପାଇଁ ରାହୁଲ୍‍ ଗାନ୍ଧି କ୍ଷମା ମାଗିବା ଆବଶ୍ୟକ।

Leave A Reply