ବଢିଲା ଅଙ୍ଗନୱାଡି କର୍ମଚାରୀଙ୍କ ଦରମା, ଅବସର ବୟସ

0

ଭୁବନେଶ୍ୱର  : ରାଜ୍ୟ ସରକାରଙ୍କ ମହିଳା ସଶକ୍ତୀକରଣ ଯୋଜନାରେ ଶନିବାର ପୁଣି ଏକ ଫର୍ଦ ଯୋଡି ହୋଇଛି। ଦୀର୍ଘଦିନ ଧରି ଗାନ୍ଧୀମାର୍ଗରେ ଧାରଣାରେ ବସି ରହିଥିବା ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ପାରିଶ୍ରମିକ ସରକାର ବୃଦ୍ଧି କରିଛନ୍ତି। ରାଜ୍ୟର ୧ଲକ୍ଷ ୪୫ ହଜାର ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ରାଜ୍ୟ ସରକାର ସେମାନଙ୍କ ପାରିଶ୍ରମିକ ବୃଦ୍ଧି କରି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି।
ଶନିବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଘୋଷଣା କରି ମହିଳାମାନଙ୍କ ପାଇଁ ରାଜ୍ୟ ସରକାର କିଭଳି ସମର୍ପିତ ତାହାର ଅବତାରଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଅଙ୍ଗନବାଡି କର୍ମୀ ପୂର୍ବରୁ ୬୦୦୦ଟଙ୍କା ପାଉଥିବାବେଳେ ସରକାରଙ୍କ ନିଷ୍ପତ୍ତି ପରେ ଏଣିକି ୭୫୦୦ଟଙ୍କା ପାଇବେ। ରାଜ୍ୟ ସରକାର ୧୫୦୦ଟଙ୍କା ନିଜସ୍ବ ପାଣ୍ଠିରୁ ଭରଣା କରିବେ। ଏଥିରେ କେନ୍ଦ୍ରର ଅଂଶଧନ ୨୭୦୦ଟଙ୍କା ରହିଥିବାବେଳେ ରାଜ୍ୟ ସରକାରଙ୍କ ସିଂହଭାଗ ୪୮୦୦ଟଙ୍କା ରହିଛି। ସେହିପରି ମିନି ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ ୪୧୨୫ଟଙ୍କା ପାଉଥିବାବେଳେ ସରକାରଙ୍କ ନିଷ୍ପତ୍ତି ପରେ ଏଣିକି ୫୩୭୫ଟଙ୍କା ପାଇବେ। ଏବାବଦକୁ ରାଜ୍ୟ ସରକାର ସିଂହଭାଗ ୩୨୭୫ଟଙ୍କା ଦେଉଥିବାବେଳେ କେନ୍ଦ୍ର ସରକାର ୨୧୦୦ଟଙ୍କାର ଅଂଶଧନ ରହିଛି। ଏହାବାଦ୍ ଅଙ୍ଗନବାଡ଼ି ସହାୟିକାଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ତାଙ୍କର ପାରିଶ୍ରମିକ ୩୦୦୦ଟଙ୍କାରୁ ୩୭୫୦ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ଅଂଶଧନ ୨୪୦୦ଟଙ୍କା ଥିବାବେଳେ କେନ୍ଦ୍ରର ୧୩୫୦ଟଙ୍କା ରହିଛି। ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଏହି ବର୍ଦ୍ଧିତ ପାରିଶ୍ରମିକ ପିଛିଲା ଭାବେ ୨୦୧୮ ଅକ୍‌ଟୋବର ମାସରୁ ମିଳିବ।
ଏଥିସହିତ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବୟସ ସୀମାକୁ ୬୨ବର୍ଷକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ୬୦ବର୍ଷରେ ଅବସର ନେଉଥିବାବେଳେ ଏବେ ଏହା ୬୨କୁ ବୃଦ୍ଧି କରାଯାଇଛି। ଏହାବାଦ୍ ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ଅଙ୍ଗନବାଡି କର୍ମୀଙ୍କ ଅବସର ବେଳେ ୨୦ହଜାର ଟଙ୍କା ସରକାର ଦେବାକୁ ନିଷ୍ପତ୍ତି ନେଇଥିବାବେଳେ ମିନି ଅଙ୍ଗନବାଡି କର୍ମୀଙ୍କ ପାଇଁ ୧୫୦୦୦ଟଙ୍କା ଏବଂ ସହାୟିକାଙ୍କ ପାଇଁ ୧୦ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏଥିସହିତ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ବର୍ଷକେ ୧୫ଦିନର ଛୁଟି ଏବଂ ଅଙ୍ଗନବାଡି ସୁପରଭାଇଜର ପଦ ଲାଗି ୫୦ ପ୍ରତିଶତ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରୁ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।
ଏହି ଅବସରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ କେନ୍ଦ୍ର ସରକାର ଗତ ୫ବର୍ଷ ମଧ୍ୟରେ ଅଙ୍ଗନବାଡି କର୍ମୀଙ୍କ ପାଇଁ ଟଙ୍କାଟିଏ ବଢ଼ାଇ ନ ଥିବାବେଳେ ରାଜ୍ୟ ସରକାର ସେମାନଙ୍କ ପାରିଶ୍ରମିକ ବଢ଼ାଇ କରି ୭୫୦୦ଟଙ୍କାରେ ପହଞ୍ଚାଇଛନ୍ତି। ରାଜ୍ୟ ସରକାର ସଦାସର୍ବଦା ମହିଳାଙ୍କ ଉନ୍ନତି ଓ ସଶକ୍ତୀକରଣକୁ ଗୁରୁତ୍ବ ଦେଇ ଆସିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧିରେ ସହାୟକ ହେବ।
ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ ଯେ ଏହା ଏକ କେନ୍ଦ୍ରୀୟ ଯୋଜନା। ଏଥିରେ କେନ୍ଦ୍ରର ୬୦ ପ୍ରତିଶତ ଅଂଶଧନ ରହିଥିବାବେଳେ ରାଜ୍ୟର ୪୦ ପ୍ରତିଶତ ଅଂଶଧନ ଥିଲା। ୨୦୧୭ ପୂର୍ବରୁ ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ ୪୫୦୦ଟଙ୍କା ଥିଲା। ଏଥିରେ କେନ୍ଦ୍ରର ଅଂଶଧନ ୨୭୦୦ଟଙ୍କା ଥିବାବେଳେ ରାଜ୍ୟର ୧୮୦୦ଟଙ୍କା ଥିଲା। ମାତ୍ର ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଂଶଧନ ବୃଦ୍ଧି କରାଯାଇ ୪୮୦୦ଟଙ୍କାରେ ପହଞ୍ଚିଲାଣି; ହେଲେ କେନ୍ଦ୍ର ଗତ ୫ବର୍ଷ ମଧ୍ୟରେ ଟଙ୍କାଟିଏ ବି ବଢ଼ାଇ ନାହିଁ। ତେବେ ରାଜ୍ୟ ସରକାରଙ୍କ ଏହି ସ୍ବତନ୍ତ୍ର ନିଷ୍ପତ୍ତି ଯୋଗୁଁ ସରକାରଙ୍କ ଉପରେ ୭୩.୩୭କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ବୈଠକରେ ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଅନୁ ଗର୍ଗ ଓ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ୨୦୧୮ ସେପ୍‌ଟେମ୍ବରରେ କେନ୍ଦ୍ର କ୍ୟାବିନେଟ ଆଶାକର୍ମୀ ଏବଂ ଅଙ୍ଗନୱାଡି କର୍ମୀ, ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଥିଲେ ହେଁ ଏପର୍ଯ୍ୟନ୍ତ ସେମାନେ ତାହା ପାଇ ନାହାନ୍ତି।

 

Leave A Reply