ସଫଳତା ପାଇଁ ଅର୍ଥ ବାଧକ ନୁହେଁ

0

ଆଜିକାଲି ଆମ ଦେଶର ପ୍ରତ୍ୟେକ ପ୍ରାନ୍ତରେ ଛତୁ ଫୁଟିଲା ପରି କୋଚିଂ ସେଣ୍ଟରମାନ ଖୋଲିଲାଣି। ଏହା ପଛର କାରଣ ହେଲା ଛାତ୍ରଛାତ୍ରୀମାନେ ମେଡିକାଲ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ଭର୍ତ୍ତି ହେବା ନିମନ୍ତେ କୋଚିଂ ହେବେ। ଏଥିପାଇଁ ଅଭିଭାବକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ଆଦୌ ମନ ଊଣା କରୁନାହାନ୍ତି। କାରଣ ତାଙ୍କ ପିଲା କୋଚିଂ ନେଲେ ଭଲ କଲେଜରେ ଆସନଟିଏ ପାଇପାରିବ। ତେବେ ଏଭଳି ମଧ୍ୟ ପିଲା ଅଛନ୍ତି, ଯେଉଁମାନେ କୋଚିଂ ନ ନେଇ ଏ ବାବଦରେ ଆଦୌ ଅର୍ଥ ବିନିଯୋଗ କରି ଶୀର୍ଷରେ ପହଞ୍ଚିପାରୁଛନ୍ତି। ସମ୍ପ୍ରତି ଭାରତୀୟ ଯୁବପିଢ଼ିଙ୍କ ନିମନ୍ତେ ଏକ ପ୍ରକୃଷ୍ଟ ଉଦାହରଣ ହୋଇପାରିଛନ୍ତି ଦେବାସ ଜିଲାର ଆଶାରାମ ଚୌଧୁରୀ। ଚଳିତ ବର୍ଷ ଏମ୍ସର ପ୍ରବେଶିକା ପରୀକ୍ଷାରେ ଆଶାରାମ ସାଢ଼େ ୪ଲକ୍ଷ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରୁ ୭୦୭ କ୍ରମାଙ୍କରେ ଥିବାବେଳେ ଓବିସି ଶ୍ରେଣୀର ୨ଲକ୍ଷ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରୁ ସେ ୧୪୧କ୍ରମାଙ୍କରେ ଅଛନ୍ତି। ଯୋଧପୁର ଏମ୍ସରେ ଡାକ୍ତରୀ ପାଠ୍ୟକ୍ରମ ପଢ଼ିବ​‌ା ନିମନ୍ତେ ସେ ଭର୍ତ୍ତି ହୋଇଛନ୍ତି। ଗଣମାଧ୍ୟମ ନିକଟରେ ଆଶାରାମ ପ୍ରକାଶ କରିଛନ୍ତି, ଏକ ଗରିବ ଘରର ପିଲା ସେ। ବାପା ତାଙ୍କର ଅଳିଆ ଗୋଟାନ୍ତି ଓ ମା’ ପର ଘରେ ବାସନ ମାଜନ୍ତି। ଏଭଳି ପରିସ୍ଥିତିରେ ସେମାନେ ଭାଇଭଉଣୀ ଦୁହେଁ ଖୁବ୍ କଷ୍ଟ କରି ପାଠ ପଢ଼ିଛନ୍ତି। ତାଙ୍କ ବଡ଼ ଭଉଣୀ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରୁଛନ୍ତି। ଆଶାରାମ କୌଣସି କୋଚିଂ ନେଇନାହାନ୍ତି। ବରଂ ଦିନରାତି ନିଜ ପାଠ୍ୟକ୍ରମର ପୁସ୍ତକଗୁଡ଼ିକୁ ସାଥି କରିନେଇଥିଲେ। ସାଙ୍ଗସାଥିମାନେ କୋଚିଂ ନେଉଥିବା ଦେଖି ଆଶାରାମ ଅନେକ ସମୟରେ ହତୋତ୍ସାହିତ ହୋଇଯାଉଥିଲେ। ହେଲେ ମା’ ଓ ଭଉଣୀ ହିଁ ତାଙ୍କ ମନୋବଳ ବଢ଼ାଇଥିବାର ସେ କହିଛନ୍ତି। ନିଜ ପାଠ୍ୟକ୍ରମରେ ଧୁରୀଣ ହେଲେ ଯେ କୌଣସି ପ୍ରବେଶିକା ପରୀକ୍ଷାରେ ସଫଳତା ପାଇହେବ ବୋଲି କହିଛନ୍ତି ଆଶାରାମ।

Leave A Reply