ବିୟନ୍ତ ସିଂହଙ୍କ ହତ୍ୟାକାରୀକୁ ଆଜୀବନ ଜେଲ୍‌

0

ଚଣ୍ଡିଗଡ଼  : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହଙ୍କ ହତ୍ୟାକାରୀ ଜଗତାର ସିଂହ ତାରାଙ୍କୁ ସ୍ଥାନୀୟ ଫୌଜଦାରୀ ଅଦାଲତ ଶନିବାର ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ୧୯୯୫ ଅଗଷ୍ଟ ୩୧ରେ ସଚିବାଳୟ ସମ୍ମୁଖରେ ଏକ ଆତ୍ମଘାତୀ ବିସ୍ଫୋରଣରେ ବିୟନ୍ତ ସିଂହ ପ୍ରାଣ ହରାଇଥିଲେ। ପଞ୍ଜାବ ପୁଲିସ କର୍ମୀ ଦିଲାୱର ସିଂହ ନିଜ ଶରୀରରେ ଖଞ୍ଜିଥିବା ବୋମାକୁ ବିସ୍ଫୋରଣ କରିଥିଲେ। ଖଲିସ୍ଥାନ ଆନ୍ଦୋଳନକୁ ସମର୍ଥନ କରୁଥିବା ଜଗ୍‌ତାର ସିଂହ ଚଳିତବର୍ଷ ଜାନୁଆରୀରେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ସ୍ୱୀକାର କରିଥିଲେ। ଦୋଷୀସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିଲେ ସୁଦ୍ଧା ଜଗ୍‌ତାର ସିଂହ ନିଜର କର୍ମ ପାଇଁ ଅନୁତାପ କରିନାହାନ୍ତି। ଯଦି ଜଣେ ନିର୍ଦୟ ବ୍ୟକ୍ତିଙ୍କୁ ହତ୍ୟାକରି ସେ ହଜାର ହଜାର ଶିଖ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଛନ୍ତି, ତାହାହେଲେ ସେ କୌଣସି ଭୁଲ କରିନାହାନ୍ତି ବୋଲି ଜଗ୍‌ତାର ଦାବି କରିଛନ୍ତି। ଶିଖ ସଂପ୍ରଦାୟ ଲୋକଙ୍କ ସ୍ୱାର୍ଥ ପାଇଁ ସେ ପଞ୍ଜାବ ସରକାରଙ୍କ ବିରୋଧରେ ଲଢିଆସୁଛନ୍ତି ଏବଂ ଆଗାମୀ ଦିନରେ ସେ ଏହାକୁ ବଜାୟ ରଖିବେ ବୋଲି ଜଗ୍‌ତାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେବେ ଆତଙ୍କବାଦୀଭାବେ ନୁହେଁ, ବରଂ ଯୁଦ୍ଧବନ୍ଦୀଭାବେ ତାଙ୍କୁ ମାନ୍ୟତା ଦେବାକୁ ଜଗ୍‌ତାର ଶୁଣାଣି ସମୟରେ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ।

Leave A Reply