ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ

0

ନୂଆଦିଲ୍ଲୀ: ଏପ୍ରିଲ ୪ରୁ ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଗୋଲ୍‌ଡକୋଷ୍ଟରେ ଆୟୋଜନ ହେବ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏହି କ୍ରୀଡ଼ା ପାଇଁ ବୁଧବାର ୧୮-ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଦଳରେ ଆଶା ଅନୁସାରେ ୪ ଓଡ଼ିଆ ଖେଳାଳି ସ୍ଥାନ ବଜାୟ ରଖିଛନ୍ତି। ଏହି ୪ ଓଡ଼ିଆ ହେଲେ ଡିଫେଣ୍ଡର ସୁନିତା ଲାକ୍ରା ଓ ଦୀପ୍‌ ଗ୍ରେସ୍‌ ଏକ୍କା ଏବଂ ମିଡ୍‌ଫିଲ୍‌ଡର ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍‌। ଏହି ୪ ଓଡ଼ିଆ ଖେଳାଳି ନିୟମିତ ଭାବେ ଭାରତୀୟ ଦଳରେ ଖେଳି ଆସୁଥିଲେ ଏବଂ ନିକଟରେ ଦକ୍ଷିଣ କୋରିଆ ଗସ୍ତରେ ଯାଇ ୩-୧ରେ ସିରିଜ୍‌ ଜିତିଥିବା ଭାରତୀୟ ମହିଳା ଦଳର ସଦସ୍ୟା ଥିଲେ। ତେବେ ଓଡ଼ିଆ ଫରୱାର୍ଡ ଅନୁପା ବାର୍ଲା ଦଳକୁ ଫେରିବେ ବୋଲି ଆଶା କରା ଯାଉଥିଲେ ହେଁ ତାଙ୍କୁ ସୁଯୋଗ ମିଳିନାହିଁ। ଦଳର ନେତୃତ୍ୱ ବଜାୟ ରଖିଛନ୍ତି ନାମୀ ଷ୍ଟ୍ରାଇକର ରାଣୀ ରାମପାଲ।

ସୂଚନାଯୋଗ୍ୟ; ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଏକ ସହଜ ପୁଲ୍‌ ମିଳିଛି। ପୁଲ୍‌ ‘ଏ’ରେ ଥିବା ଭାରତ ସହ ମାଲେସିଆ, ୱେଲ୍‌ସ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି। ଉଭୟ ଗ୍ରୁପ୍‌ର ପ୍ରଥମ ୨ଟି ସ୍ଥାନରେ ଥିବା ଦଳ ପଦକ ଦୌଡ଼ରେ ସାମିଲହେବେ; ଅର୍ଥାତ୍‌ ସେମିଫାଇନାଲ ଖେଳିବାର ସୁଯୋଗ ପାଇବେ। ଫଳରେ ଗ୍ରୁପ୍‌ ‘ଏ’ରୁ ଭାରତ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିବ ବୋଲି ଆଶା କରାଯାଉଛି। ଏହାସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିବା ଲାଗି ଭାରତକୁ ଅନ୍ୟତମ ଦାବିଦାର ଭାବେ ଗଣନା କରାଯାଉଛି। ଆୟୋଜକ ଅଷ୍ଟ୍ରେଲିଆ ସହ ଭାରତ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକର ଆଶାୟୀ। ଘୋଷିତ ଦଳରେ ମନୋନୟନକାରୀ ବିଶେଷ ପରି

ବର୍ତ୍ତନ କରିନାହାନ୍ତି। କେବଳ ଅଭିଜ୍ଞ ଷ୍ଟ୍ରାଇକର ପୁନମ୍‌ ରାଣୀ ଦଳକୁ ଫେରିଛନ୍ତି। ରକ୍ଷାପନ୍ଥୀରେ ଥିବା ଦୁଇ ଓଡ଼ିଆ ଖେଳାଳି ସୁନିତା ଲାକ୍ରା ଓ ଦୀପ୍‌ ଗ୍ରେସ୍‌ ଏକ୍କାଙ୍କ ସହ ଦୀପିକା ଓ ସୁଶୀଳା ଚାନୁ ରହିଛନ୍ତି। ସେହିପରି ଭାରତୀୟ ମିଡ୍‌ଫିଲ୍‌ଡର ମଧ୍ୟ ବେଶ୍‌ ଅଭିଜ୍ଞ। ଦୁଇ ଓଡ଼ିଆ ଖେଳାଳି ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍‌ଙ୍କ ସହ ମୋନିକା ଓ ନିକ୍କି ପ୍ରଧାନ ରହିଛନ୍ତି। ଅଧିନାୟିକା ରାଣୀ ଭାରତୀୟ ଆକ୍ରମଣର ନେତୃତ୍ୱ ନେବେ। ତାଙ୍କ ସହ ବନ୍ଦନା କାଟାରିୟା ଓ ନବଜୋତ କୌର ମଧ୍ୟ ଭଲ ଷ୍ଟ୍ରାଇକର।

ବର୍ତ୍ତମାନ ଭାରତୀୟ ମହିଳା ଦଳର ବିଶ୍ୱ ମାନ୍ୟତା ୧୦ ରହିଛି। ପୁଲ୍‌ ‘ଏ’ରେ ଥିବା ଅନ୍ୟ ଶକ୍ତିଶାଳୀ ଦଳ ହେଲା ବିଶ୍ୱ ମାନ୍ୟତାରେ ୨ୟ ସ୍ଥାନରେ ଥିବା ଇଂଲଣ୍ଡ। ଗ୍ରୁପ୍‌ ‘ବି’ରେ ଥିବା ଦୁଇ ଦଳ ପଡ଼ୋଶୀ ଦଳ ଅଷ୍ଟ୍ରେଲିଆର ବିଶ୍ୱ ମାନ୍ୟତା ୫ ଥିବା ବେଳେ ନ୍ୟୁଜିଲାଣ୍ଡର ମାନ୍ୟତା ୪ ରହିଛି। ଦକ୍ଷିଣ କୋରିଆ ଗସ୍ତରେ ଭାରତର ବିଜୟ ପରେ ଦଳର

ପଦକ ଜିତିବା ନେଇ ଆଶାବାଦୀ ଅଛନ୍ତି ଭାରତୀୟ ମହିଳା ଦଳର ପ୍ରଶିକ୍ଷକ ହରେନ୍ଦ୍ର ସିଂହ। ଭାରତର ମାନ୍ୟତା ୧୦ ଥିଲେ ହେଁ ଏହା ଉଚ୍ଚ ମାନ୍ୟତାପ୍ରାପ୍ତ ଦଳଙ୍କୁ ପରାସ୍ତ କରିପାରିବ ବୋଲି ହରେନ୍ଦ୍ର କହିଛନ୍ତି। ପୁଣି ଦଳକୁ ଅଭିଜ୍ଞ ଗୋଲ୍‌ରକ୍ଷକ ସବିତା ଫେରିଥିବାରୁ ଏହା ଦଳକୁ ଫାଇଦା ଦେବ ବୋଲି ହରେନ୍ଦ୍ରଙ୍କ ଆଶା। ସୂଚନାଯୋଗ୍ୟ; ଭାରତୀୟ ମହିଳା ଦଳ ୨୦୦୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲରେ ଅତିରିକ୍ତ ସମୟରେ ଆୟୋଜକ ଇଂଲଣ୍ଡକୁ ୩-୨ ଗୋଲ୍‌ରେ ହରାଇ ସ୍ୱର୍ଣ୍ଣପଦକ ଜିତିଥିଲା। ପରବର୍ତ୍ତୀ ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ରୌପ୍ୟପଦକ ଜିତିଥିଲା। ତେବେ ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପଦକ ମିଳିନଥିଲା ଏବଂ ଭାରତକୁ ୫ମ ସ୍ଥାନ ମିଳିଥିଲା।

Leave A Reply