ହତ୍ୟାକାରୀକୁ ଧରିବାରେ ପୁଲିସ ବିଫଳ

0

ଘରେ ନିଆଁ ଲଗାଇ ଟ୍ରିପଲ ମର୍ଡର ଘଟଣାକୁ ମାସେ ପୁରିଲା

ପିପିଲି : ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପିପିଲିର ବହୁଚର୍ଚ୍ଚିତ ଦାନୋଗହିର ଟ୍ରିପଲ ମର୍ଡର ଘଟଣାକୁ ଇତିମଧ୍ୟରେ ମାସେ ପୁରିଛି। ଏହି ରହସ୍ୟମୟ ଓ ଅମାନୁଷିକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ଓ ଅପରାଧିଙ୍କୁ ଗିରଫ କରିବାରେ ପିପିଲି ପୁଲିସକୁ ସଫଳତା ମିଳିନାହିଁ। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଏହି ସୁପରିକଳ୍ପିତ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସଂପର୍କରେ ପୁଲିସକୁ ଠୋସ ପ୍ରମାଣ ମିଳିଥିଲେ ମଧ୍ୟ ତାକୁ ଧରିବାରେ ପୁଲିସ ସଫଳ ହୋଇନାହିଁ। ଯେଉଁଥି ପାଇଁ ପୁଲିସର ମୁଣ୍ଡବ୍ୟଥା ବଢି ଯାଇଥିବା ବେଳେ ଏହି ଘଟଣାଟି ସମଗ୍ର ଜିଲା ପୁଲିସ ପାଇଁ ଏକ ମସ୍ତବଡ ଚ୍ୟାଲେଞ୍ଜ ପାଲଟିଛି।

ଦାନୋଗହିର ବଜାରରେ ଥିବା ଏକବଖରା ବିଶିଷ୍ଟ ଭଡାଘର କବାଟକୁ ଗତ ଫେବୃଆରୀ ୧୦ତାରିଖ ଶନିବାର ବିଳମ୍ବିତ ରାତିରେ କେହି ତାଲା ପକାଇ ନିଆଁଲଗାଇ ଦେବା ଘଟଣାରେ ଉକ୍ତ ଘରମଧ୍ୟରେ ଶୋଇ ଥିବା ସେହିଗ୍ରାମର ମହମ୍ମଦ ଅବୁଲ(୬୫), ନବମଶ୍ରେଣୀରେ ପଢୁଥିବା ତାଙ୍କ କନ୍ୟା ନଜମୁନ ପରୱିନ୍‌ ଓରଫ ନାଜୋ (୧୩) ଓ ପତ୍ନୀ ରହିମା ବିବି(୫୫) ଗୁରୁତର ଭାବେ ପୋଡିହୋଇ କଟକ ବଡଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାର ମୃତ୍ୟୁବରଣ କରିଥିଲେ। ଏସଂପର୍କରେ ମୃତକଙ୍କ ପୁଅଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ କଟକ ବଡ ଡାକ୍ତରଖାନାରେ ରହିମା ବିବିଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଇଥିଲା। ଘଟଣା ସ୍ଥଳ ଠାରୁ କିଛି ଦୂରରେ ଲାଗିଥିବା ଏକ ସିସିଟିଭି ଫୁଟେଜ୍‌କୁ ପୁଲିସ ସଂଗ୍ରହ କରିଥିବା ବେଳେ ଘଟଣା ସମୟରେ ଅପରାଧିମାନେ ଚଳପ୍ରଚଳ କରୁଥିବାର ଅସ୍ପଷ୍ଟ ଚିତ୍ର ସେଥିରେ କଏଦ ହୋଇ ରହିଥିବା ସୂଚନା ମିଳିଛି।ଏହି ଅମାନୁଷିକ ଓ ଭୟଙ୍କର ନାରକୀୟ ହତ୍ୟାକାଣ୍ଡ କେବଳ ପୂର୍ବ ପାରିବାରିକ ଶତୃତାକୁ ନେଇ ଘଟିଥିବା ସଂପର୍କରେ ପୁଲିସକୁ ଆପାତତଃ ପ୍ରମାଣ ମିଳିଥିବା ବେଳେ ଏହାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରାଯାଉଥିବା ମୃତ ଅବୁଲଙ୍କ ଜନୈକ ସଂପର୍କୀୟଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନ ଉପରେ ଚଢାଉ ଜାରି ରଖିଛି। କଟକ, ଭୁବନେଶ୍ୱର ସମେତ ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ପୁଲିସର ସ୍ୱତନ୍ତ୍ର ଟିମ୍‌ ଘନ ଘନ ଚଢାଉ କରିଥିଲେ ମଧ୍ୟ ତାକୁ ଧରିବାରେ ସଫଳ ହୋଇନାହିଁ। ପୁଲିସକୁ ଚକମା ଦେଖାଇ ସେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବା ସୂଚନା ମିଳିଛି। ତେବେ ଘଟଣାକୁ ଇତିମଧ୍ୟରେ ମାସେ ବିତି ଯାଇଥିଲେ ମଧ୍ୟ ଅପରାଧିମାନଙ୍କୁ ଧରିବାରେ ପୁଲିସର ବିଫଳତାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେ ପର୍ଯ୍ୟନ୍ତ ଏହି ରହସ୍ୟମୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ ନହୋଇଛି ଓ ଅପରାଧିମାନେ ଗିରଫ ନହୋଇଛନ୍ତି ସେ ପର୍ଯ୍ୟନ୍ତ ଦାନୋଗହିର ସମେତ ଆଖପାଖ ଅଞ୍ଚଳବାସୀ ଏକ ଅଜଣାଭୟ ମଧ୍ୟରେ ଦିନ କାଟି ଚାଲିଥିବେ ଏକଥା ସତ। ଅପରାଧିଙ୍କ ସଂପର୍କରେ ପୁଲିସକୁ ଯଥେଷ୍ଟ ପ୍ରମାଣ ମିଳିସାରିଥିବା ବେଳେ ତଥ୍ୟ ପ୍ରଘଟ ହୋଇ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ଅତି ସତର୍କତା ଓ ଗୋପନୀୟ ଭାବେ ପୁଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି। ତେବେ, ହତ୍ୟାକାରୀକୁ ଗିରଫ କରାଯିବା ପାଇଁ ସବୁପ୍ରକାର ଉଦ୍ୟମ କରାଯାଉଥିବା ସଂପର୍କରେ ଆଇଆଇସି ଶରତ କୁମାର ସାହୁ ସୂଚନା ଦେବା ସହ ଖୁବ୍‌ଶିଘ୍ର ଘଟଣାର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି।

Leave A Reply