ଆଜି ଆସିବେ ଶାହା : ଲକ୍ଷ୍ୟ ‘ଓଡ଼ିଶା’, ଆୟୁଧ ‘ସଙ୍ଗଠନ’

0

ସମ୍ବଲପୁର: ଉତ୍ତର ପୂର୍ବାଞ୍ଚଳରେ ବିଜୟ ପତାକା ଉଡ଼ାଇବା ପରେ ବିଜେପି ଓ ଦଳର ସଭାପତି ଅମିତ୍‍ ଶାହାଙ୍କ ପରବର୍ତ୍ତୀ ଲକ୍ଷ୍ୟ ଓଡ଼ିଶା। ସେଥିପାଇଁ ମିଶନ ୧୨୦ ଆହ୍ୱାନ ଦେଇଥିବା ଶ୍ରୀ ଶାହା କିଛିମାସର ବ୍ୟବଧାନ ପରେ ପୁଣି ଆସୁଛନ୍ତି ଓଡ଼ିଶା। ଏଥର ଉପକୂଳ ନୁହେଁ, ପଶ୍ଚିମ ଓଡ଼ିଶାରେ ଦଳର ଏକଦା ଗଡ଼ ଥିବା ଦୁଇ ଜିଲା ବଲାଙ୍ଗୀର ଓ ଭବାନୀପାଟଣାରେ ରହିଛି ତାଙ୍କର ସମାବେଶ। ଆସନ୍ତାକାଲି ଭବାନୀପାଟଣାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ୫ ତାରିଖରେ ବଲାଙ୍ଗୀରରେ ଯୁବ ସମାବେଶରେ ଶ୍ରୀ ଶାହା ଉଦ୍‍ବୋଧନ ଦେବେ। ବିଜେପୁର ପରାଜୟ ପରେ ଭାଙ୍ଗି ଯାଇଥିବା ଦଳୀୟ ନେତାଙ୍କ ଆତ୍ମବିଶ୍ୱାସ ଫେରାଇବା ଏବଂ ସଙ୍ଗଠନକୁ ଅଧିକ ଆକ୍ରମଣାତ୍ମକ କରିବା ପାଇଁ ଏହି ସମାବେଶରେ ଶ୍ରୀ ଶାହା ଗୁରୁମନ୍ତ୍ର ଦେବେ। ତେବେ ଗତଥର ଓଡ଼ିଶା ଆସିବା ବେଳେ ରାଜ୍ୟ ସରକାରକୁ କଟୁ ସମାଲୋଚନା କରିଥିବାବେଳେ ଏଥର କିପରି ମନୋଭାବ ପ୍ରଦର୍ଶନ କରିବେ ତାହା ସ୍ପଷ୍ଟ ହୋଇନାହିଁ।

ଶାହା ଜାଣନ୍ତି ଯେ ଓଡ଼ିଶାରେ ବିଜେଡ଼ି ଓ ନବୀନ ନେତୃତ୍ୱ ବିଜେପି ପାଇଁ ସବୁଠାରୁ ବଡ଼ ଆହ୍ୱାନ। ସାରା ଦେଶରେ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ବିଜେପି ନିଜର ପତିଆରା ସୃଷ୍ଟି କରିବାରେ ସକ୍ଷମ ହୋଇଥିବାବେଳେ ଓଡ଼ିଶାରେ ଅନୁରୂପ ସଫଳତା ହାସଲ କରିପାରି ନାହିଁ। ୨୦ଟି ରାଜ୍ୟରେ ବିଜେପି କ୍ଷମତା ଦଖଲ କରିଛି; ଓଡ଼ିଶାରେ ଦଳର ଅଗ୍ରଗତି ସେପରି ଆଶାନୁରୂପ ହୋଇ ପାରିନାହିଁ। ବିଜେପୁର ଉପନିର୍ବାଚନକୁ ୨୦୧୯ ପୂର୍ବର ସେମିଫାଇନାଲ ବୋଲି ମନେ କରାଯାଉଥିଲେ ହେଁ ଏଠାରେ ବିପର୍ଯ୍ୟୟ ଦଳର ମନୋବଳ ଭାଙ୍ଗି ଦେଇଛି। ମାତ୍ର ତ୍ରିପୁରା, ଆସାମ ପରି ରାଜ୍ୟରେ ସରକାର ଗଠନ କରିବା ପରେ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଦୀର୍ଘ ଦୁଇ ଦଶନ୍ଧି ଧରି ତ୍ରିପୁରାରେ ଶାସନ କରୁଥିବା ମାନିକ୍‍ ସରକାରକୁ କ୍ଷମତାଚ୍ୟୁତ କରିବା ପରେ ଦଳ ନବୀନ ସରକାରଙ୍କୁ ହଟାଇ ୨୦୧୯ରେ ଓଡ଼ିଶାରେ କ୍ଷମତା ଦଖଲ କରିବାକୁ ପୁଣି ଆଶା କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଶାରେ କ୍ଷମତା ଦଖଲ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ବିଜେପି ‘ସଙ୍ଗଠନ’ ଓ ‘ବିକାଶ’କୁ ଆୟୁଧ କରିଛି। କିନ୍ତୁ ସେହି ବିକାଶର ପ୍ରତିଛବି ଦଳର ରାଜ୍ୟ ନେତୃତ୍ୱ ଠିକ୍‍ ଭାବରେ ଉପସ୍ଥାପନ କରିବାରେ ସଫଳ ହୋଇଛି ବୋଲି କୁହାଯାଇ ପାରିବ ନାହିଁ। ଜିଲା ପରିଷଦ ନିର୍ବାଚନରେ ନୂଆପଡ଼ା ଜିଲାରେ ଦଳର ଚରମ ବିପର୍ଯ୍ୟୟ ଏହାର ପ୍ରମାଣ। ଖୋଦ୍‍ ରାଜ୍ୟ ସଭାପତିଙ୍କ ନିଜ ଜିଲାରେ ଦଳ ନିଜର ସ୍ଥିତି ଜାହିର କରିବାରେ ବିଫଳ ହୋଇଛନ୍ତି। ପୁନଶ୍ଚ କେନ୍ଦ୍ର ସରକାର ରାଜ୍ୟର ସ୍ୱାର୍ଥ କ୍ଷେତ୍ରରେ ନେଇଥିବା ପଦକ୍ଷେପ ଓ ବିଭିନ୍ନ ଯୋଜନାରେ ଦେଉଥିବା ଅନୁଦାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାରେ ରାଜ୍ୟ ନେତୃତ୍ୱ ସଫଳ ହୋଇପାରି ନାହାନ୍ତି। ଓଲଟି କେନ୍ଦ୍ରୀୟ ଯୋଜନାଗୁଡ଼ିକର ନାମ ପରିବର୍ତ୍ତନ କରି ରାଜ୍ୟ ସରକାର ତାହାକୁ ନିଜ ସପକ୍ଷରେ ନେବା ପାଇଁ ସକ୍ଷମ ହୋଇଛନ୍ତି। କେନ୍ଦ୍ରୀୟ ବିଜେପି ନେତୃତ୍ୱ ପାଇଁ ଏହା ସବୁଠାରୁ ବଡ଼ ସମସ୍ୟା ହୋଇଛି।

୨୦୧୭ ଜିଲା ପରିଷଦ ନିର୍ବାଚନରେ ଦଳର ଭୋଟ ହାର ୨୦୧୪ ସାଧାରଣ ନିର୍ବାଚନଠାରୁ ପ୍ରାୟ ୧୫% ବୃଦ୍ଧି ପାଇଛି। କିନ୍ତୁ ବିଜେପୁର ଉପନିର୍ବାଚନରେ ଦଳର ଭୋଟହାର ବୃଦ୍ଧି ସତ୍ତ୍ବେ ପ୍ରଚଣ୍ଡ ପରାଭବ ଭୋଗିବାକୁ ପଡ଼ିଛି। ପୁଣି ଜିଲା ପରିଷଦ ନିର୍ବାଚନରେ ଦଳ ପାଇଥିବା କଂଗ୍ରେସର ୧୨% ଭୋଟ ଯଦି ବିଜେପୁର ପରି ବିଜେଡ଼ି ଖାତାକୁ ଯାଏ ତେବେ ଆଗାମୀ ବିଧାନସଭା ନିର୍ବାଚନରେ ଦଳର ଆସନ ସଂଖ୍ୟା ୩୦ ଓ ଲୋକସଭାରେ ୨ ଆସନ ଟପିବା ସମ୍ଭବ ନୁହେଁ। ଅତ୍ୟନ୍ତ ସତର୍କତାର ସହ ଏଥିପାଇଁ ଶାହା ପ୍ରସ୍ତୁତ କରିଛନ୍ତି ଯୋଜନା। ଏହି ପରିପ୍ରେକ୍ଷୀରେ ବର୍ଦ୍ଧିତ ପେଟ୍ରୋଲ ଡ଼ିଜେଲ ଦର, ବ୍ୟାଙ୍କ କାରବାର ଓ ଅନ୍ୟ କିଛି ପ୍ରସଙ୍ଗ ମୋଦିଙ୍କ ପ୍ରତି କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା କ୍ଷେତ୍ରରେ ବାଧକ ହୋଇଛି।

ଅନ୍ୟପକ୍ଷରେ ରାଜ୍ୟ ସଙ୍ଗଠନରେ ରହିଛି ଅନେକ ଦୁର୍ବଳତା। ଜିଲା ପରିଷଦ ନିର୍ବାଚନରେ ବିଜୟୀ ହୋଇଥିବା ନେତାମାନେ ନିଜ ଅଞ୍ଚଳରେ ପତିଆରା ରକ୍ଷା କରିବାରେ ବ୍ୟର୍ଥ ହୋଇଛନ୍ତି ଓ କିଛି କ୍ଷେତ୍ରରେ ଲୋକପ୍ରିୟତା ହରାଇଛନ୍ତି। ବିଭିନ୍ନ ଛାମୁଆଁ ସଙ୍ଗଠନର ସଭାପତି ଓ କାର୍ଯ୍ୟକର୍ତ୍ତା ନିଜ ଅଞ୍ଚଳରେ ନେତୃତ୍ୱ ନେବା ପାଇଁ ସଫଳ ବୋଲି ନିଜକୁ ପ୍ରମାଣିତ କରି ପାରି ନାହାନ୍ତି। ବର୍ଷାଧିକ ସମୟ ଅତିକ୍ରମ କରିଥିଲେ ମଧ୍ୟ ବୁଥ୍‍ ମଜଭୁତ କାର୍ଯ୍ୟକ୍ରମ ସେପରି ସଫଳତା ଅର୍ଜନ କରିପାରି ନାହିଁ। ଅନ୍ୟପକ୍ଷରେ ୱାର୍ଡ଼କୁ ଶକ୍ତିଶାଳୀ କରିବା କ୍ଷେତ୍ରରେ ବିଜେଡ଼ି ଯେପରି ସଫଳତା ପାଇଛି ଓ ଯୁବ ବାହିନୀ ଗଠନ କରିପାରିଛି ସେପରି ଉଦ୍ୟମରେ ବିଜେପି ସଫଳ ହୋଇ ପାରିନାହିଁ। ତେଣୁ ଦଳର ଯୁବବାହିନୀକୁ ଅଧିକ ସକ୍ରିୟ କରିବା ଓ ସଙ୍ଗଠନକୁ ଅଧିକ ଦୃଢ଼ କରିବା ପାଇଁ ଶାହା କି’ ଅଭିମୁଖ୍ୟ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।

ଭୂମିହୀନ ମହେଶ୍ୱରଙ୍କ ଘରେ ମଧ୍ୟାହ୍ନ ଭୋଜନ
ବଲାଙ୍ଗିର/ଦେଓଗାଁ  : ବୁଧବାର(୪ ତାରିଖ) ଭବାନୀପାଟଣା ସମାବେଶ ପରେ ୫ ତାରିଖରେ ବଲାଙ୍ଗିର ସମାବେଶରେ ଯୋଗ ଦେବେ ଶ୍ରୀ ଶାହା। ଏହି ଗସ୍ତ ସମୟରେ ଚର୍ଚ୍ଚାରେ ରହିଛି ତାଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ। ୫ ତାରିଖରେ ବଲାଙ୍ଗିର ଆସିବା ବାଟରେ ଦେଓଗାଁରେ ତାଙ୍କ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ଦେଓଗାଁ ବୁଢାଡଙ୍ଗରପଡାର ମହେଶ୍ୱର ସୁନାଙ୍କ ଘରେ ଶ୍ରୀ ଶାହା ମଧ୍ୟାହ୍ନ ଭୋଜନ କରିବେ।

ଦେଓଗାଁ ବୁଢାଡଙ୍ଗରପଡାର ମହେଶ୍ୱର ସୁନା। ତାଙ୍କର ନିଜସ୍ୱ ଜମି ନାହିଁ ଓ ତିନି ପୁଅ, ସ୍ତ୍ରୀ ଏବଂ ପରିବାର ଲୋକଙ୍କୁ ନେଇ ରାସ୍ତାକଡରେ ଏକ ଖପର ଘରେ ରହୁଛନ୍ତି। ଗରିବ ମହେଶ୍ୱର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଅନ୍ୟ ନେତାଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବେ। ମଙ୍ଗଳବାର ମହେଶ୍ୱରଙ୍କ ଘରେ ପହଞ୍ଚିଥିଲେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ସୁରକ୍ଷା ବାହିନୀର ଟିମ। ତାଙ୍କ ଘରକୁ ସଫାସୁତୁରା କରାଯାଉଥିବା ବେଳେ କିଭଳି ଖାଦ୍ୟ ପରଶାଯିବ ଏବଂ କଣ ପରଶାଯିବ ସେନେଇ ଖସଡା ପ୍ରସ୍ତୁତ କରାଯାଇଛି। କେବଳ ନିର୍ବାଚନ ସମୟରେ ନେତାଙ୍କୁ ପାଖକୁ ଦେଖିବାର ସୁଯୋଗ ମିଳୁଥିବା ବେଳେ କେନ୍ଦ୍ରସ୍ତରୀୟ ନେତା ମାନଙ୍କୁ ଖାଦ୍ୟ ପରଶିବା ଦାୟିତ୍ୱ ପାଇ ମହେଶ୍ୱରଙ୍କ ପରିବାର ବେଶ ଖୁସି ଅଛନ୍ତି। ଅନ୍ୟପକ୍ଷରେ ଭୂମିହୀନ ପରିବାର ଠାରୁ ଖାଦ୍ୟ ଖାଇ ଅମିତ ଶାହା କଣ ଉପହାର ଦେବେ ସେନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply