ଶତାବ୍ଦୀର ସମ୍ଭାବନା

0

ଆଜି ଉତ୍କଳ ଦିବସ । ଭାଷାଭିତ୍ତିରେ ଗଢା ଓଡ଼ିଶାକୁ ଆଜି ୮୨ ପୂରି ୮୩ ବର୍ଷ ଚାଲିଲା। ଅଶୀତିପର ଓଡ଼ିଶା ଓ ଏହାର ଅଧିବାସୀ ଓଡ଼ିଆଙ୍କ ମହାପାର୍ବଣର ଏଇ ଦିନଟି ସ୍କୃତି ସାଉଁଟିବା ଓ ସଙ୍କଳ୍ପର ମହାର୍ଘ ମୁହୂର୍ତ୍ତ। ଆଉ ମାତ୍ର ୧୭ ବର୍ଷ ପରେ ଓଡ଼ିଶା ହେବ ଶତାୟୁ। ଆଗରେ ପଡିଛି ଅନେକ ସ୍ୱପ୍ନ ଓ ସମ୍ଭାବନା। ବହୁ ମହାମନିଷୀଙ୍କ ଦୁର୍ବାର ଆନ୍ଦୋଳନ ଓ ବଳିଦାନରେ ଗଢ଼ା ଆମ ଓଡ଼ିଶା ବା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ବିଭିନ୍ନ ସାମାଜିକ ସୂଚକାଙ୍କରେ ଆଜି କେଉଁଠି ପହଞ୍ଚିଛି ତା’ର ସମୀକ୍ଷା ସମୟ ଆସିଛି। ସହସ୍ରାବ୍ଦୀ ସ୍ୱପ୍ନକୁ ସାକାର କରିବାକୁ ଆମେ ଓ ଆମ ସରକାରଙ୍କ ପଦକ୍ଷେପ କେତେ ତ୍ୱରାନ୍ୱିତ ତଥା ମନ୍ଦିତ ହୋଇଛି ସେସବୁର ହିସାବ ନିକାଶ ବି ବାକି ପଡିଛି।

୨୦୩୬ ସ୍ୱପ୍ନ ଓ ସଙ୍କଳ୍ପକୁ ନେଇ ଆଗକୁ ବଢିବାକୁ ହେବ। ୪୫୦ କିମିର ସାମୁଦ୍ରିକ ସୁବିସ୍ତୀର୍ଣ୍ଣ ଉପକୂଳ ଅଞ୍ଚଳ। କୋଇଲା, ଲୁହାପଥର, ମାଙ୍ଗାନିଜ୍‍, ଅଭ୍ର ଭଳି ପ୍ରାକୃତିକ ସମ୍ପଦରେ ଭରପୁର ଆମ ଭୂ-ଅଭ୍ୟନ୍ତର। ଶିଳ୍ପ ଓ ଉଦ୍ୟୋଗର ଅମାପ ସମ୍ଭାର ରହିଛି ଆମ ରାଇଜରେ। ପର୍ଯ୍ୟଟନର ସୁଦୂରପ୍ରସାରୀ ସୁଯୋଗ, ଘନଜଙ୍ଗଲ, ପାର୍ବତ୍ୟାଞ୍ଚଳ ସହିତ ଆମ ସୁଉଚ୍ଚ ମାଳଭୂମି ଭାରତରେ ଆମକୁ ୪ର୍ଥ ସ୍ଥାନରେ ରଖିଛି। ଜାତିଜାତିକା ଆଦିବାସୀ, ଗିରିଜନ ଓ ବନବାସୀଙ୍କ ସଂଖ୍ୟା ଦେଶରେ ଓଡ଼ିଶାର ଆଧିପତ୍ୟକୁ ଭିନ୍ନ ରୂପ ଦେଇଛି। ନଦ-ନଦୀର ଅଫୁରନ୍ତ ଫୁଆରା ଉପକୂଳ ତଥା ମଧ୍ୟଓଡ଼ିଶାକୁ କରିଛି ଶସ୍ୟଶ୍ୟାମଳା। କୃଷିକର୍ମଣ ପୁରସ୍କାର ସହ ପର୍ଯ୍ୟାପ୍ତ ଖାଦ୍ୟ ଶସ୍ୟ ଉତ୍ପାଦନ ଆମ ଅମାର ଭରିଛି।

ଓଡ଼ିଆ ଭାଷାରୁ ସୃଷ୍ଟି ଆମ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶକୁ ଆଜି ମିଳିଛି ଶାସ୍ତ୍ରୀୟ ମାନ୍ୟତା। ଅତୀତର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ହିଁ ବିଶ୍ୱ ଦରବାରରେ ଆଜି ଓଡ଼ିଶାର ପ୍ରାଚୀନ ଇତିହାସର କେବଳ ସ୍ମାରକ ନୁହେଁ; ବରଂ ଏହାର ପ୍ରାଚୀନତାକୁ ପ୍ରମାଣିତ କରିଛି। କୋଣାର୍କ ହେଉ ବା ଖିଚିଂ; ଗାତ୍ରେ ଗାତ୍ରେ, ଛତ୍ରେ ଛତ୍ରେ ଉତ୍କଳୀୟ ସ୍ଥାପତ୍ୟର ବିରଳ ନିଦର୍ଶନ ଓଡ଼ିଶା ଶିଳ୍ପୀର ମୁଗୁର- ନିହାଣର ପରାକାଷ୍ଠାକୁ ପ୍ରତିଫଳିତ କରିଛି।
ବଳରାମ ଦାସଙ୍କଠାରୁ ଉପେନ୍ଦ୍ର ଭଞ୍ଜ ତଥା କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ଭଳି ବହୁ ପ୍ରତିଥଯଶାଙ୍କ କାଳଜୟୀ ସୃଷ୍ଟି ଓଡ଼ିଶାବାଣୀ ଭଣ୍ଡାରକୁ ଯେଭଳି ସମୃଦ୍ଧ ତଥା ରୁଦ୍ଧିମନ୍ତ କରିଛି ତାହା ଅଭୁଲା ତଥା ଅବିସ୍ମରଣୀୟ। ଚଣ୍ଡାଶୋକକୁ ଧର୍ମାଶୋକରେ ରୂପାନ୍ତରିତ କରିଥିବା କଳିଙ୍ଗ ମାଟିର ବୀର, ସାହସୀ ଓଡ଼ିଆ ମାଟିର ପ୍ରତିଟି ଧୂଳିକଣାରେ ଅନୁରଣିତ ‘ଅହିଂସା ପରୋମଧର୍ମ’, ‘ବସୁଧୈବ କୁଟୁମ୍ବକମ୍‍’ର ଭାବଫଲ୍‍ଗୁ।
ପାରାଦ୍ୱୀପ ବନ୍ଦର, ହୀରାକୁଦ ନଦୀବନ୍ଧ ପରିଯୋଜନା ଅଥବା ଇସ୍ପାତ କାରଖାନା ଆଧୁନିକ ତଥା ବିକାଶୋନ୍ମୁଖୀ ଓଡ଼ିଶାର ଏସବୁ ଗୋଟିଏ ଗୋଟିଏ ଅନୁପମ ସ୍ୱାକ୍ଷର।
ଅନେକ ସମ୍ଭାବନା ସତ୍ତ୍ବେ ବି ଓଡ଼ିଶା ଗରିବ ତଥା ଦେଶର ଦରିଦ୍ରତମ ରାଜ୍ୟର ଅପଖ୍ୟାତି ଲଭିଛି। ଭୋକର ଭୂଗୋଳ ପାଇଁ ଆଜିବି ଚର୍ଚ୍ଚିତ କଳାହାଣ୍ଡି। ଏକାଧିକ ନଗଡ଼ା କହୁଛି ଅପପୁଷ୍ଟି ଓଡ଼ିଶାର ରୁଗ୍‍ଣ ସ୍ୱାସ୍ଥ୍ୟବସ୍ଥା। ଏବେ ବି ଶହ ଶହ ଗାଁକୁ ପହଞ୍ଚିନି ବିଜୁଳି ଆଲୁଅ ଓ ବିଶୁଦ୍ଧ ପାନୀୟ ଜଳ। ଯୋଗାଯୋଗ ବିପ୍ଲବ ସତ୍ତ୍ବେ ଅଗମ୍ୟ, ଦୁର୍ଗମ ତଥା ଅପହଞ୍ଚ ରହିଛି ଅନେକ ଅଞ୍ଚଳ। ପେଟ ପାଇଁ ବର୍ଷକୁ ୨୦ ଲକ୍ଷରୁ ଅଧିକ ଗରିବ ଲୋକ କାର୍ଯ୍ୟ ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଉଛନ୍ତି ଦାଦନ ଶ୍ରମିକ ସାଜି। ୭୦ ପ୍ରତିଶତରୁ ଅଧିକ ସାକ୍ଷରତା ହାର ସତ୍ତ୍ବେ କୁସଂସ୍କାର, ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସର ଅନ୍ଧଗଳିରେ ଅନେକ ଘୂରୂଛନ୍ତି। ଲିଙ୍ଗ ଅସମାନତାର କାରଣ ପାଲଟିଛି କନ୍ୟାଭ୍ରୂଣ ହତ୍ୟା।
ବିଗତ ଦଶନ୍ଧିରେ ବିକାଶ ହୋଇଛି ସତ; ମାତ୍ର ଏହା ଆଶାନୁରୂପ ହୋଇପାରିନି। ଶିଳ୍ପ, ଉଦ୍ୟୋଗ, କୃଷି, ସେବା ଆଦି କ୍ଷେତ୍ରରେ ଓଡ଼ିଶା ବେଶ୍‍ ଆଗକୁ ବଢିଛି। ମୁଣ୍ଡପିଛା ଆୟ ଦୁଇଗୁଣା ହୋଇଛି। ଲୋକେ ପୂର୍ବାପେକ୍ଷା ଭଲରେ ଅଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ଭିତ୍ତିଭୂମି ନିର୍ମାଣ ଓ କୃଷି ଉତ୍ପାଦନ ସ୍ଥିତିର ଉନ୍ନତି ଘଟିଛି। ତଥାପି ତୁଟିନି ବିସ୍ଥାପନର ଦୁଃଖ ଓ ଯନ୍ତ୍ରଣା। ଶୁଖିନି ବାସ୍ତୁହରାଙ୍କ କ୍ଷତ ଓ ମିଳିନି କ୍ଷତିପୂରଣ। ଫଳରେ ବିକାଶ ପାଇଁ ଜମି ଛାଡ଼ିବାକୁ ଆଜି ବି ଜନତାରେ ସୃଷ୍ଟି ହୋଇନି ଆତ୍ମପ୍ରତ୍ୟୟ। ଭରସି ପାରୁନି ଶାସକ ଓ ତା’ର ପ୍ରତିତଶ୍ରୁତିକୁ।
ଶତାବ୍ଦୀର ଇପ୍‍ସିତ୍‍ ସ୍ୱପ୍ନକୁ ସାକାର କରିବାକୁ ସରକାରରେ ଥିବା ରାଜନୈତିକ ବ୍ୟକ୍ତିବିଶେଷ, ପ୍ରଶାସନିକ ଅଧିକାରୀଙ୍କ ଦୃଢ ଇଚ୍ଛାଶକ୍ତି ଯେତିକି ଲୋଡ଼ା ତା ସହ ଜନଭାଗୀଦାରୀକୁ ମଧ୍ୟ ବଢାଇବାକୁ ପଡିବ। ମାତୃଭାଷା ଓଡ଼ିଆକୁ କେବଳ ଆଦର କଲେ ଚଳିବନି; ବ୍ୟବହାର କରିବାକୁ ହେବ। ଏକ ଜାତି ଭାଷାକୁ ନେଇ ବଞ୍ଚିରହେ। ଆମକୁ ଆଜି ପ୍ରାପ୍ତ ଶାସ୍ତ୍ରୀୟ ମାନ୍ୟତା, ଆମର ନୁହେଁ; ବରଂ ଆମ ପୂର୍ବସୂରୀଙ୍କ ଦାନ ଓ ଦେୟ। କୁନ୍ତଳାକୁମାରୀଙ୍କ ଭାଷାରେ- “ଓଡ଼ିଆ ବୋଲି ତୁ ମନେ ଗର୍ବବହି ଚାଲରେ ଟେକି ତୋ ମଥା, ନିତି ମନେ ମନେ ଗୁଣି ହେଉଥାଆ ପୂର୍ବ ପୁରୁଷଙ୍କ କଥା।” ଉତ୍କଳ ଗୌରବ ମଧୁସୂଦସଙ୍କ ଦୃଷ୍ଟିରେ- “କହିଲା ଜାତିର କାନେ କାନେ ଉଠିବୁ ଆଉ ତୁ କେତେ ଦିନେ, ପୁରୁବ ଗୌରବ ପୁରୁବ ମହିମା ପଡୁନାହିଁ କିରେ ତୋର ମନେ…।’ ଉତ୍କଳମଣି ଗୋପବନ୍ଧୁଙ୍କ ଚିନ୍ତନରେ- “ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ…।” ସ୍ୱତନ୍ତ୍ର ଉତ୍କଳ ଦିବସରେ ଆମ ପାଇଁ ସେମାନେ ପ୍ରାତଃସ୍ମରଣୀୟ।
କହିବା ବାହୁଲ୍ୟ, ଆମ ମାଟି ବୀର ପରମ୍ପରାରେ ଶତଜିହ୍ୱ। ଆମେ ଦୁର୍ବଳ ନୋହୁଁ। ଆମକୁ ଆଗକୁ ବଢିବାକୁ ପଡିବ। କବିଙ୍କ କାଳଜୟୀ ଲେଖନୀରେ- ‘ଉଠ କଙ୍କାଳ, ଛିଡୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି….’ର ଆବାହନୀ ସଂଗୀନ ଆମକୁ ଶତାବ୍ଦୀର ସ୍ୱପ୍ନ ସାକାର କରିବ।

Leave A Reply