ସାମିଙ୍କ ବିରୋଧରେ ପତ୍ନୀଙ୍କ ଗୁରୁତର ଅଭିଯୋଗ

0

ନୂଆଦିଲ୍ଲୀ :  ଆନ୍ତର୍ଜାତିକ କ୍ରିକେଟର ମହମ୍ମଦ ସାମିଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ହସିନ୍‌ ଜାହାଁ । ସେ ଅଭିଯୋଗ କରିଛନ୍ତି ଯେ ସାମି ଜଣେ ବିରାଟ ଠକ। ସେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି। ଏହାସହ ସାମି ତାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେଉଛନ୍ତି ବୋଲି ଜାହାଁ ଗୁରୁତର ଅଭିଯୋଗ କରିଛନ୍ତି। ସାମିଙ୍କ ବିରୋଧରେ  ଅଦାଲତର ଆଶ୍ରୟ ନେବେ ବୋଲି ଜାହାଁ ଧମକ ମଧ୍ୟ ଦେଇଛନ୍ତି।

ହସିନ୍‌ ଜାହାଁ ଅଭିଯୋଗ କରିଛନ୍ତି ଯେ ପତି ମହମ୍ମଦ ସାମିଙ୍କ ବିଏମ୍‌ଡବ୍ଲ୍ୟୁ କାର୍‌ରୁ ତାଙ୍କ ଫୋନ୍‌ ପାଇଥିଲେ। ଏହି ଫୋନ୍‌ରେ ସେ ଏକାଧିକ ମହିଳାଙ୍କ ସହ ଚାଟିଂ କରିବା ଜାଣିବାକୁ ପାଇଥିଲେ। ଏପରି କହିବା ସହ ଉକ୍ତ ଚାଟ୍‌ ବାର୍ତ୍ତା ଓ ମହିଳାଙ୍କ ଫଟୋକୁ ଜାହାଁ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଛାଡ଼ିଛନ୍ତି। ଏହାସହ ଜାହାଁ ଦାବି କରିଛନ୍ତି ଯେ ଏହି ମହିଳାମାନେ ହେଉଛନ୍ତି ସାମିଙ୍କର ପ୍ରେମିକା। ଏହାସହ ଜାହାଁ ଅଭିଯୋଗ କରିଛନ୍ତି, ଗତ ୨ ବର୍ଷ ହେଲା ସାମି ଓ ତାଙ୍କ ପରିବାର ଲୋକେ ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି। ସେମାନେ ମୋତେ ହତ୍ୟା କରିବାର ଷଡ଼ଯନ୍ତ୍ର ମଧ୍ୟ କରିଥିଲେ।

ସାମିଙ୍କ ମାଆ ଓ ଭାଇ ମୋତେ ଅତ୍ୟନ୍ତ ଅଶ୍ରାବ୍ୟ ଭାଷାରେ ଗାଳି ଦେଇଥାଆନ୍ତି। ଭାରତୀୟ ଦଳ ସହ ସାମି ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ବେଳେ ମୋ ପ୍ରତି ନିର୍ଯାତନା ବନ୍ଦ ହୋଇଥିଲା। ତେବେ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ସେ ମୋତେ ନିୟମିତ ଗାଳି ଦେଉଛନ୍ତି ଏବଂ ମାଡ଼ ମାରୁଛନ୍ତି। ପୂର୍ବରୁ ଗାଳିମାଡ଼ ଖାଇବା ସତ୍ତ୍ୱେ ଆମ ଝିଅ ପାଇଁ ଚୁପ୍‌ ରହିଥିଲି। ଭାବିଥିଲି ଯେ ସାମି ତାଙ୍କ ଆଚରଣରେ ପରିବର୍ତ୍ତନ ଆଣିବେ। ହେଲେ ତାଙ୍କ ଅତ୍ୟାଚାର ବଢ଼ିବାରେ ଲାଗିଛି। ମୋବାଇଲ୍‌ ଫୋନ୍‌ ଜରିଆରେ ଏକାଧିକ ମହିଳାଙ୍କ ସହ ସାମିଙ୍କ ଅଶ୍ଳୀଳ ଚାଟିଂ ମୋ ପାଇଁ ଅସହ୍ୟ।

ଏହି ପ୍ରମାଣସବୁ ନେଇ ମୁଁ ଅଦାଲତଙ୍କ ଆଶ୍ରୟ ନେବି। ସୁଧୁରିବା ପାଇଁ ସାମିଙ୍କୁ ଯଥେଷ୍ଟ ସମୟ ଦେଇଛି। ହେଲେ ତାଙ୍କ ନିର୍ଯାତନା ବଢ଼ିବାରେ ଲାଗିଛି। ତେବେ ୨ ବର୍ଷ ହେଲା ତାଙ୍କ ପ୍ରତି ନିର୍ଯାତନା ହେଉଥିବା ବେଳେ ସେ କାହିଁକି ଚୁପ୍‌ ରହିଥିଲେ? ଏହାର ଜବାବରେ ହସିନ୍‌ ଜାହାଁ କହିଛନ୍ତି, ଜାନୁୟାରୀ ୮ରେ ଉତ୍ତର ପ୍ରଦେଶରୁ କଲକାତା ଆସିଥିଲି। ସେତେବେଳେ ସାମିଙ୍କ ବିରୋଧରେ କୌଣସି ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଚାହିଁନଥିଲି। କେବଳ ଯାଦବପୁର ଥାନାରେ ପୁଲିସକୁ ମୌଖିକ ଭାବେ ଅଭିଯୋଗ କରିଥିଲି। ସୂଚନାଯୋଗ୍ୟ; ଉତ୍ତର ପ୍ରଦେଶରେ ଜନ୍ମଗ୍ରହଣ କରିଥିବା ଫାଷ୍ଟବୋଲର ମହମ୍ମଦ ସାମି କଲକାତା ଚାଲି ଆସିଥିଲେ। ସେ ବଙ୍ଗଳା ପାଇଁ ଘରୋଇ କ୍ରିକେଟ ଖେଳି ତାଙ୍କ ପ୍ରଦର୍ଶନ ଜରିଆରେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୧୪ରେ ହସିନ୍‌ ଜାହାଁଙ୍କୁ ସାମି ବିବାହ କରିଥିଲେ। ଦୁହିଁଙ୍କର ଏକ କନ୍ୟା ସନ୍ତାନ ରହିଛି।

ଏଣେ ୨୭ ବର୍ଷ ବୟସ୍କ ମହମ୍ମଦ ସାମି ତାଙ୍କ ବିରୋଧରେ ପତ୍ନୀ ହସିନ୍‌ ଜାହାଁ କରିଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ଏବଂ ତାଙ୍କୁ ବଦ୍‌ନାମ କରିବା ଓ ତାଙ୍କ କ୍ରିକେଟ ଜୀବନ ନଷ୍ଟ କରିବାର ପ୍ରୟାସ ବୋଲି ସାମି ଅଭିଯୋଗ କରିଛନ୍ତି।

Leave A Reply