ଟଳିଲା ରଥ ଦଉଡି ସଙ୍କଟ, ଆନ୍ଦୋଳନରୁ ଓହରିଲେ କତା ନିଗମ କର୍ମଚାରୀ

0

ପୁରୀ: କତା ନିଗମର କର୍ମଚାରୀମାନେ ଆଜି ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି। ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ ମନ୍ତ୍ରୀ ପ୍ରଫୁଲ ସାମଲ ଓ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ପ୍ରତିଶ୍ରୁତି ପରେ କର୍ମଚାରୀମାନେ ଆନ୍ଦୋଳନରୁ ଓହରି ଆସିଥିବା କହିଛନ୍ତି।

ବିଭିନ୍ନ ଦାବି ପୂରଣ ପାଇଁ ନିଗମର କର୍ମଚାରୀମାନେ କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଏଥିଯୋଗୁଁ ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ଦଉଡି ଅଭାବ ଆଶଙ୍କା ସୃଷ୍ଟି ହୋଇଥିଲା। ପୁରୀର ପ୍ରସିଦ୍ଧ ରଥଯାତ୍ରା ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ଅନୁଷ୍ଠିତ ରଥଯାତ୍ରା ପାଇଁ କତା ନିଗମରୁ ଦଉଡି ଯୋଗାଣ ହୋଇ ଆସୁଛି । ତେଣୁ କର୍ମଚାରୀଙ୍କ ଆନ୍ଦୋଳନ ଯୋଗଁ ଚଳିତ ବର୍ଷ ଏଥିରେ ବ୍ୟାଘାତ ସୃଷ୍ଟି ହେବ ବୋଲି ଭକ୍ତ ଓ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଥିଲା। ଏଥିଯୋଗୁଁ ପରୋକ୍ଷରେ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା। ଶେଷରେ ଆଜି ଦୁଇ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମସ୍ୟାର ଆପାତତଃ ସମାଧାନ ହୋଇଥିବା କୁହାଯାଉଛି।

ଆଜି ପୁରୀ ସର୍କିଟ ହାଉସରେ ଅନୁଷ୍ଠିତ ଏକ ବୈଠକରେ ଆନ୍ଦୋଳନରତ କର୍ମଚାରୀଙ୍କ ସହିତ ଦୁଇ ମନ୍ତ୍ରୀ ଆଲୋଚନା କରିଥିଲେ । ଖୁବ୍ ଶୀଘ୍ର ଦାବି ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ କର୍ମଚାରୀମାନେ ଆନ୍ଦୋଳନରୁ ଓହରି ଆସିଛନ୍ତି । ଏଥି ସହିତ ରଥଯାତ୍ରାରେ ପୂର୍ଣ୍ଣ ସହଯୋଗ କରିବା ସହିତ ଯଥାସମୟରେ ଦଉଡି ପ୍ରସ୍ତୁତ କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply