ଅଖା ଭିତରୁ ନିଖୋଜ ଛାତ୍ରୀ ଉଦ୍ଧାର

0

ଚାନ୍ଦବାଲି: ଭଦ୍ରକ ଜିଲା ଗୁଆମାଳ ପଞ୍ଚାୟତର ଗଣ୍ଡପଡ଼ା ଗ୍ରାମରେ ଗତ ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଛାତ୍ରୀଙ୍କ ସନ୍ଧାନ ମିଳିଛି। ନିକଟସ୍ଥ ଏକ ବିଲରେ ଅଖା ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଗତ କାଲି ରାତିରେ ତାଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ପୀଡ଼ିତାଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ଆଠଟା ବେଳେ ଦୁଇ ଜଣ ଯୁବକ ମୋଟରସାଇକେଲରେ ଆସି ଛାତ୍ରୀଙ୍କୁ ତାଙ୍କ ଘରୁ ଅପହରଣ କରି ନେଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ସନ୍ଧାନ ନ ମିଳିବାରୁ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ଗତ କାଲି ରାତିରେ ଘର ପଛ ପାଖ ବିଲରୁ କେହି ଜଣେ ଚିତ୍କାର କରୁଥିବା ଶୁଣାଯାଇଥିଲା। ପରିବାର ଲୋକେ ଯାଇ ଦେଖିବା ପରେ ଏକ ଅଖାଭିତରେ ହାତଗୋଡ଼ ବାନ୍ଧି ପୀଡ଼ିତାଙ୍କୁ ଅଖା ଭିତରେ ପୂରାଇ ସେଠାରେ ଫୋପାଡ଼ି ଦିଆଯାଇଥିବା ଜଣାପଡ଼ିଥିଲା। ଅପହର୍ତ୍ତାମାନେ ନାବାଳିକାଙ୍କ ମୁହଁକୁ ଗାମୁଛାରେ ବାନ୍ଧି ଦେଇଥିବା ପୀଡ଼ିତା କହିଛନ୍ତି। ଥାନାରେ ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି।

Leave A Reply