୩୦ପହିରେ ଫାଟ, ପରିବର୍ତ୍ତନ ନିଷ୍ପତ୍ତି

0

ପୁରୀ : ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ ଖପୁରିଆ କରତକଳରୁ ଆସିଥିବା ୩୦ଟି ପହିରେ ଫାଟ ଦେଖାଦେଇଛି। ସେଗୁଡିକ ପରିବର୍ତ୍ତନ ପାଇଁ ସୋମବାର ରଥ ନିର୍ମାଣ ତଦାରଖ କମିଟି ସୁପାରିସ କରିଛି। ଫାଟ ଦେଖାଦେଇଥିବା ପହି ଚକ ନିର୍ମାଣରେ ବ୍ୟବହାର ନକରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥପାଇଁ ୪୨ଟି ଚକ ଆବଶ୍ୟକ। ପ୍ରତି ତୁମ୍ବରେ ୧୬ଟି ଅର ଏବଂ ୪ଟି ଲେଖାଏଁ ପହି ସଂଯୋଗ କରାଯାଇ ଚକ ପ୍ରସ୍ତୁତ ହୁଏ। ପ୍ରତିବର୍ଷ ଖପୁରିଆ କରତକଳରେ ଅର ଏବଂ ପହି ନିର୍ମାଣ କରାଯାଏ। ମହାରଣା ସେବକ ରଥଖଳାରେ ସେସବୁକୁ ତୁମ୍ବରେ ସଂଯୋଗ କରିଥାଆନ୍ତି। କଞ୍ଚା କାଠ ସମେତ ଅତ୍ୟଧିକ ଖରାଯୋଗୁଁ ପହି ଗୁଡିକ ଫାଟୁଥିବା ତଦାରଖ କମିଟି ସଭ୍ୟ ଇଂ ଆର୍ତ୍ତତ୍ରାଣ ରଥ ପ୍ରକାଶ କରିଛନ୍ତି। ତେବେ ୨୫ଟି ପହି ପରିବର୍ତ୍ତନର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି। ତେଣୁ ଅତିରିକ୍ତ ପହି ପ୍ରସ୍ତୁତ କରି ରଥଖଳାକୁ ପଠାଇବା ପାଇଁ ଖପୁରିଆ କରତକଳକୁ ପରାମର୍ଶ ଦିଆଯାଇଛି। ଗତବର୍ଷ ରଥଯାତ୍ରାର ଠିକ୍‍ ଦିନକ ପୂର୍ବରୁ ରଥର ଗୋଟିଏ ଅଖ ଭାଙ୍ଗି ଯାଇଥିଲା। ରେଳଜ୍ୟାକ୍‍ ସହାୟତାରେ ନୂଆ ଅଖ ସଂଯୋଗ କରାଯାଇଥିଲା। ତେଣୁ ଚଳିତବର୍ଷ ରଥ ନିର୍ମାଣ କାର୍ଯ୍ୟ ବାରମ୍ବାର ତଦାରଖ କରାଯାଉଛି। ନିର୍ମାଣରେ ଯେପରି କୌଣସି ତ୍ରୁଟି ନରୁହେ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ, ତଦାରଖ କମିଟି ଏବଂ ମହାରଣା ସେବକ କଡା ନଜର ରଖିଛନ୍ତି। ପହିରେ ଫାଟଯୋଗୁଁ ଚକ ନିର୍ମାଣ ସାମାନ୍ୟ ବିଳମ୍ବ ହୋଇଛି। ସୋମବାର ସନ୍ଧ୍ୟାସୁଦ୍ଧା ନନ୍ଦିଘୋଷ ପାଇଁ ୧୧, ତାଳଧ୍ୱଜ ନିମନ୍ତେ ୧୦ ଏବଂ ଦର୍ପଦଳନ ପାଇଁ ୮ଟି ଚକ ନିର୍ମାଣ କରାଯାଇଛି। ସେହିପରି ୧୮ଟି କଣଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ ଶେଷ ହୋଇଛି। ୧୨ଟି ଲେଖାଏଁ ମୁହାଣ୍ଟ ଓ ନିରାଡି ପ୍ରସ୍ତୁତ କରାଯାଇଛି। ଶୀତଳଷ୍ଠଷ୍ଠୀ ତିଥିରେ ରଥ ଚକରେ ଶ୍ରୀଲୋକନାଥଙ୍କୁ ପଂକ୍ତିଭୋଗ କରାଯିବାର ପରମ୍ପରା ରହିଛି। ଆଗାମୀ ଜୁଲାଇ ୧୪ତାରିଖ ଦିନ ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବ। ତାହାକୁ ଦୃଷ୍ଟିରେ ରଖି ଅକ୍ଷୟ ତୃତୀୟଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

Leave A Reply