ସରିଲା ଗରଗରା ନିର୍ମାଣ

0

ପୁରୀ : ଆଗେଇ ଚାଲିଛି ରଥ ନିର୍ମାଣ। ତିନି ରଥପାଇଁ ୬ଟି ଗରଗରା ନିର୍ମାଣ ଶେଷ ହୋଇଛି। ମହାରଣା ସେବକ ନାହାକାଗୁଡ଼ିକରେ ସାଲ କରୁଛନ୍ତି। ଆଉ ୧୮ଟି ଅଖ ନିର୍ମାଣ ବୁଧବାର ଆରମ୍ଭ ହୋଇଛି। ଦର୍ପଦଳନ ରଥ ପାଇଁ ଆଉ ଗୋଟିଏ ଚକ ପ୍ରସ୍ତୁତ କରାଯାଇଛି। ପୂର୍ତ୍ତ ଯନ୍ତ୍ରୀଙ୍କ ଦ୍ୱାରା ବ୍ୟବହାର ଅନୁପଯୋଗୀ ଘୋଷିତ ଚକ ପରିବର୍ତ୍ତନ କରାଯିବ। ୪୨ ଚକ ମଧ୍ୟରୁ ୩୯ଟିର ନିର୍ମାଣ ସରିଛି। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ପାଇଁ ୧୫ଗୋଟି ଯୋଖା ନିର୍ମାଣ କରାଯାଇଛି। ଚଉତାରେ ସୂତା ବାଡ଼ାଯାଇ ଭୂଇଁ ନିର୍ମାଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆଉ ୩ଟି ଚକ ନିମନ୍ତେ ତୁମ୍ବ, ଅର ଓ ପହି ପ୍ରସ୍ତୁତ ହୋଇ ରହିଛି। ପ୍ରତ୍ୟେକ ତୁମ୍ବରେ ୧୬ଟି ଅର ଏବଂ ୪ଟି ପହି ଲଗାଯିବ। ଓରା, ମୁହାଣ୍ଟ, ନିରାଡ଼ି ଏବଂ କଣଗୁଜଗୁଡ଼ିକୁ ବୁଧବାର ପୁଣିଥରେ ଯାଞ୍ଚ୍‍ କରାଯାଇଛି। ତୁମ୍ବଗୁଡ଼ିକ ମଝିରେ ଠେକ କରାଯିବା ସହ ପନ୍ଦାରି ଓ ଲୁହାବଳା ଲଗାଯାଇଛି। ଶ୍ରୀଜୀଉଙ୍କ ଭଉଁରୀ ତିଥିରେ ପରମ୍ପରା ଅନୁଯାୟୀ ତିନି ରଥର ତିନୋଟି ଅଖରେ ୬ଗୋଟି ଚକ ଡେରା ଯାଇଥିଲା। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପାଇଁ ୧୬, ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ନିମନ୍ତେ ୧୪ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ୧୨ଗୋଟି ଚକ ଆବଶ୍ୟକ। ୨୧ଟି ଅଖରେ ୪୨ଟି ଚକ ସଂଯୋଗ କରାଯିବ। କଣଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କମାର ସେବକ କଣ୍ଟାକବ୍‍ଜା ପ୍ରସ୍ତୁତ କରୁଛନ୍ତି।

Leave A Reply