ପିଲା ଚୋରି ନୁହେଁ, ବରଂ ଗଣବଳାତ୍କାରରେ ବିଫଳ ହେବାରୁ ମହିଳାଙ୍କୁ ମାଡ଼

0

ରାଉରକେଲା: ପିଲା ଚୋରି ସନ୍ଦେହରେ ଜଣେ ମହିଳାଙ୍କୁ ମାଡ଼ ମରାଯାଇଥିବା ଘଟଣା ଆଜି ନୂଆ ମୋଡ ନେଇଛି । ପିଲା ଚୋରି ନୁହେଁ ବରଂ ଗଣବଳାତ୍କାର ଉଦ୍ୟମରେ ବିଫଳ ହେବାରୁ ତାଙ୍କୁ ନିସ୍ତୁକ ମାଡ ମରାଯାଇଥିବା ପୀଡିତା ନିଜ ବୟାନରେ କହିଛନ୍ତି । ଗତକାଲି ରାତିରେ ମାମଲା ରୁଜୁ ହେବା ପରେ ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୀଡିତା ପୁଲିସଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୧୭ ତାରିଖ ରାତିରେ ପୀଡିତା ଜଣଙ୍କ କାମ ସାରି ଘରକୁ ଫେରୁଥିବା ବେ​‌ଳେ ଇନ୍ଦିରାନଗର ରେଲୱେ କଲୋନୀ ନିକଟରେ ୪ ଜଣ ଲୋକ ତାଙ୍କୁ ଗଣବଳାତ୍କାର ଉଦ୍ୟମ କରିଥିଲେ। ସେଥିରେ ବିଫଳ ହେବା ପରେ ପିଲା ଚୋର ବାହାନାରେ ମହିଳାଙ୍କୁ ନିସ୍ତୁକ ପିଟିଥିଲେ । ଏହି ସମୟରେ ସେମାନଙ୍କ ସହ ଅନ୍ୟ ୬ ଜଣ ଯୋଗ ଦେଇଥିବା ପୀଡିତା କହିଛନ୍ତି । ପରେ ରକ୍ତାକ୍ତ ଅବସ୍ଥାରେ ପୀଡିତା ଜଣଙ୍କ ଘରେ ପହଞ୍ଚି ଘଟଣା ବିଷୟରେ କହିବା ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୀଡିତା ଜଣଙ୍କ ଶ୍ରମିକ ଶ୍ରେଣୀର ହୋଇଥିବାରୁ ଥାନାକୁ ଯିବାକୁ ସାହାସ କରିପାରି ନଥିଲେ । ଏହି ଘଟଣା ବିଷୟରେ ସ୍ଥାନୀୟ ଜଣେ ସ୍ବେଚ୍ଛାସେବୀ ଯୁବକ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ଗତକାଲି ପୁଲିସ ପୀଡିତାଙ୍କ ଘରେ ବୟାନ ରେକର୍ଡ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଛାନଭିନ୍ ଚଳାଇଛି ।

Leave A Reply