ଗୁଳି ବିନିମୟରେ କୁଖ୍ୟାତ ରାଜେଶ ଭାରତୀ ଓ ୩ ଅପରାଧୀଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ସହ ଗୁଳି ବିନିମୟରେ ୪ଜଣ କୁଖ୍ୟାତ ଅପରାଧୀ ପ୍ରାଣ ହରାଇଛନ୍ତି। ସେମାନେ ହରିୟାଣା ଡନ୍‍ ରାଜେଶ ଭାରତୀ ଗ୍ୟାଙ୍ଗ୍‍ର ସଦସ୍ୟ। ରାଜେଶ କିଛି ଦିନ ପୂର୍ବେ ହାଜତରୁ ଖସି ପଳାଇ ଆସିଥିବାବେଳେ ତାର ମଧ୍ୟ ମୃତ୍ୟୁ ଘଟିଛି। ଏହି ଗୁଳି ବିନିମୟରେ ୮ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ରାଜେଶ ନାଁରେ ବହୁ ହତ୍ୟା, ଅପହରଣ ମାମଲା ରହିଥିଲାବେଳେ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ଏକାଧିକ ମାମଲା ରହିଥିବା ପୁଲିସ କହିଛି।
ପୁଲିସ ରାଜେଶର ସନ୍ଧାନ କରୁଥିବାବେଳେ ସେ ଓ ତାର କିଛି ସାଥୀ ଦକ୍ଷିଣ ଦିଲ୍ଲୀ ଛତରପୁର ଅଞ୍ଚଳର ଏକ ଫାର୍ମ ହାଉସ୍‍ରେ ଲୁଚିଥିବା ଖବର ମିଳିଥିଲା। ପୁଲିସ ସେଠାରେ ଚଢ଼ଉ କରିବା ମାତ୍ରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ରାଜେଶ ସହିତ ତାର ତିନି ଜଣ ସାଥୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ବିଦ୍ରୋହ, ଉମେଶ ଡନ୍‍ ଓ ଭିକୁ। ରାଜେଶ ହାଜତରୁ ଖସିଯିବା ପରେ ତା ନାମରେ ହରିୟାଣା ପୁଲିସ ପକ୍ଷରୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

Leave A Reply