ଆଜି ସଜବାଜ, କାଲିଠୁ ରଜ ମଉଜ

0
181

କଟକ: ଓଡ଼ିଶାବାସୀଙ୍କ କୃଷିଭିତ୍ତିକ ପର୍ବ ରଜ। ମିଳନର ପର୍ବ ରଜ। ଭାବର ଆଦାନ ପ୍ରଦାନର ପର୍ବ ରଜ। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରାତି ପାହିଲେ ଆସିବ ରଜ। ଆଜି ଦୋଳି ବନ୍ଧା ଠାରୁ ଆରମ୍ଭ କରି ପୋଷାକ କିଣାକିଣି ପର୍ଯ୍ୟନ୍ତ ସବୁକିଛି ସରିଯିବ। କାଲିଠାରୁ ପିଠାପଣାରେ ମହକିବ ଘର। ପାନରେ ଲାଲ ହେବ କୁନିକୁନି ପାଟି। ଓଠରେ ହସ ଓ ମନରେ ଉଲ୍ଲାସ ଭରିଦେବ ରଜ। ଏଥର ରଜରେ ତିନିଦିନ ଆମିଷ ବାର ନଥିବାରୁ ଆଜି ଘରେ ଘରେ ଆମିଷ ବାସ୍ନା।
ପାନ ସାଧାରଣତଃ ଯୁବପିଢ଼ି ଖାଉ ନ ଥିଲେ ମଧ୍ୟ ରଜ ଆସିଲେ ସମସ୍ତଙ୍କ ପାଟିରେ ଥାଏ ରଜପାନ। ସହରମାନଙ୍କରେ ବିଭିନ୍ନ ସ୍ୱାଦର ସାଧା ପାନ ମିଳିଥାଏ। ଏଥର ରଜକୁ ଟିକେ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିିବାକୁ ପ୍ରୟାସ କରାଯାଇଛି। କାରଣ ଏଥର ରଜରେ ଅନଲାଇନ ପାନ ଉପଲବ୍ଧ ରହିଛି। ଯାହା ଯୁବପିଢିଙ୍କ ପାଇଁ ଆହୁରି ଖୁସି ଆଣିଦେଇଛି। ଏହାବ୍ୟତୀତ ରଜରେ ଓଡିଆ ଚଳଚ୍ଚିତ୍ର ‘ସୁନ୍ଦରଗଡ଼ର ସଲ୍‍ମାନ୍‍ ଖାନ୍‍’ ଓ ‘ଫୋର ଇଡିୟଟ୍‍’ ସହ ବଲିଉଡ ଚଳଚ୍ଚିତ୍ର ‘ରେସ୍‍ ୩’କୁ ମଧ୍ୟ ଲୋକମାନେ ଉପଭୋଗ କରିପାରିବେ।
ରଜ ବିଷୟରେ ଜାଣିବା କିଛି ନୂଆ ତଥ୍ୟ
କୃଷକ ଓ ରଜ: ରଜକୁ କୃଷକର ପର୍ବ ବୋଲି କୁହାଯାଏ। ଓଡ଼ିଶାର କୃଷକମାନେ ଚାଷ ପାଇଁ ମୁଖ୍ୟତଃ ମୌସୁମୀ ଉପରେ ନିର୍ଭର କରିଥାନ୍ତି। ଆମ ରାଜ୍ୟରେ ସାଧାରଣତଃ ରଜ ସମୟରେ ହିଁ ମୌସୁମୀ ଆସିଥାଏ। ରଜ ଆଗରୁ ଚାଷୀ ହଳ କରି ଜମିକୁ ଉର୍ବର କରି ରଖିଥାଏ। ଏହି ସମସ୍ତ କାର୍ଯ୍ୟକରି ମଣିଷ ଥକି ଯାଇଥାଏ, ତେଣୁ ରଜକୁ ଉପଭୋଗ କରିବା ପାଇଁ ଚାଷୀ ଏହି ସମୟରେ କୌଣସି କାର୍ଯ୍ୟ କରି ନ ଥାଏ। ଅନ୍ୟ କେତେକଙ୍କ ବିଶ୍ୱାସ ରହିଛି ଯେ, ବସୁଧା ମାତା ବର୍ଷାରେ ବୀଜ ଧାରଣ ପାଇଁ ସକ୍ଷମ ହୋଇଥାଏ। ତେଣୁ ତା ପୂର୍ବରୁ କିଛି ଦିନ ପାଇଁ ଭୂମି କର୍ଷଣକୁ ବାରଣ କରାଯାଇଥାଏ।
ପିଠାପଣାର ଆସର-
ରଜ କହିଲେ ପିଠାପଣାର ଆସରକୁ ବୁଝାଇଥାଏ। ପୂର୍ବରୁ ଚୁଲିରେ ପୋଡ଼ପିଠାର ବାସ୍ନାରେ ଚଉଦିଗ ମହକୁ ଥାଏ। ବର୍ତ୍ତମାନ ଏଭଳି ବାସ୍ନା ଆଉ ମିଳୁନାହିଁ। ବିଭିନ୍ନ ହୋଟେଲ ମାନଙ୍କରେ ବର୍ତ୍ତମାନ ପୋଡପିଠା ପ୍ରସ୍ତୁତ କରାଯାଉଛି। କଟକ ହେଉ କି ଭୁବନେଶ୍ୱର ସବୁଠାରେ ପୋଡପିଠା ପାଇଁ ଆଗୁଆ ବରାଦ କରାଯାଉଥିବା ବ୍ୟବସାୟୀମାନେ କହିଛନ୍ତି। ପାରମ୍ପରିକ ଶୈଳୀରେ ଚାଉଳଚୁନା, ଚିନି, କାଜୁ,କିିସମିସ୍‍, ଗୋଲମରିଚ, ଖୁଆ ଆଦି ସାମଗ୍ରୀ ଦ୍ୱାରା ପୋଡପିଠା ପ୍ରସ୍ତୁତ କରାଯାଉଛି ବୋଲି ବ୍ୟବସାୟୀ କହିଛନ୍ତି।
ବିଶ୍ୱାସ : ରଜରେ ଝିଅ ମାନଙ୍କୁ କୌଣସି କାମ କରିବାକୁ ଦିଆଯାଏ ନାହିଁ। ଏହି ବିଶ୍ୱାସ ଆଦିମକାଳରୁ ରହିଆସିଛି। ଏହାବ୍ୟତୀତ ସେମାନଙ୍କ ଖାଦ୍ୟପାନୀୟ ଚାଲିଚଳଣରେ କଟକଣା କରାଯାଏ। ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରନ୍ତିରେ ଧରିତ୍ରୀ ମାତାର ରଜସ୍ୱଳା ହେଉଥିବାରୁ ମହିଳାମାନଙ୍କ ପାଇଁ ଏହି କଟକଣା ବହୁ ଆଗରୁ ରହିଆସିଛି। ଏହିଦିନ ବିଭିନ୍ନ ଶକ୍ତିପୀଠରେ ଦେବୀ ମାନଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ଏହା ବ୍ୟତୀତ ରଜରେ ମା’ ବସୁଧାଙ୍କୁ ପୂଜା କରାଯାଏ। ଚାରିଦିନର ରଜ ମଧ୍ୟରେ ଶେଷ ଦୁଇ ଦିନ ଧରଣୀ ମା’ ପାଇଁ ରହିଥାଏ। ଯାହାକୁ ଭୂଦାହ ଓ ବସୁମତି ସ୍ନାନ ବୋଲି କୁହାଯାଏ।
ନୂତନ ପୋଷାକ : ବିଶେଷକରି ସମସ୍ତଙ୍କ ଧାରଣା ରହିଛି ଯେ, ଝିଅ ମାନଙ୍କ ପାଇଁ ହିଁ ରଜପର୍ବ ରହିଛି। ରଜରେ ଝିଅମାନେ ଖାଲି ପାଦରେ ଚାଲନ୍ତି ନାହିଁ। ଆଗରୁ ଝିଅମାନେ କଦଳୀ ପଟୁଆ ଓ ଗୁଆ ଖୋଳ ପାଦରେ ପିନ୍ଧି ଚାଲନ୍ତି। ଏହି ଦିନମାନଙ୍କରେ ଧାନରୁ ଅମ୍ଳରସ ସୃଷ୍ଟି ହେଉଥିବାରୁ ଲୋକମାନେ ପିଠା ଖାଇ ଥାଆନ୍ତି। ଏହାବ୍ୟତୀତ ଝିଅମାନେ ନୂତନ ପୋଷାକ ପିନ୍ଧି, ପାଦରେ ଅଳତା, ନୂଆ ଚୁଡି, କୁଙ୍କୁମ ଆଦି ଲଗାଇ ରଜକୁ ଉପଭୋଗ କରିଥାନ୍ତି।
ରଜ ପାନ : ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଭଲପାଇବା ବୃଦ୍ଧି କରିବା ପାଇଁ ରଜରେ ଖିଲିପାନ ଚାହିଦା ରହିଥାଏ। ଓଡିଶାରେ ପାନ ଚାଷ ହୋଇଥାଏ। ପାନ ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି ରଜରେ ପାନର ସ୍ୱତନ୍ତ୍ର ସ୍ଥାନ ରହିଛି। ପିଲା ଠାରୁ ବୁଢା ପର୍ଯ୍ୟନ୍ତ ରଜରେ ସମସ୍ତଙ୍କ ପାଟିରେ ରହିଥାଏ ପାନ।
ଜଗନ୍ନାଥ ଓ ରଜ : ଶ୍ରୀମନ୍ଦିରରେ ମଧ୍ୟ ରଜରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ରଜସ୍ୱଳା ଲକ୍ଷ୍ମୀ ଠାକୁରାଣୀ ବିଭିନ୍ନ ସ୍ଥାନରେ ଅଧିଷ୍ଠାନ କରିବା ପରେ ଚତୁର୍ଥ ଦିନ ଶୁଦ୍ଧ ସ୍ନାନାନ୍ତେ ବିରାଜମାନ ହୁଅନ୍ତି। ଆଦିବାସୀମାନଙ୍କ ସମାଜରେ ମଧ୍ୟ ରଜ ପର୍ବ ପାଳନ କରାଯାଏ।

LEAVE A REPLY

Please enter your comment!
Please enter your name here