ରାଫେଲ୍‍ ରାଜିନାମା ତଥ୍ୟ ପ୍ରକାଶ ଦ୍ୱାରା ଉଭୟ ରାଷ୍ଟ୍ରର କ୍ଷତି ହେବ: ଫ୍ରାନ୍ସ

0

ନୂଆଦିଲ୍ଲୀ : ରାଫେଲ୍‍ ଯୁଦ୍ଧ ବିମାନ ରାଜିନାମା ସମ୍ବନ୍ଧରେ ଲୋକସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଶୁକ୍ରବାର ଫ୍ରାନ୍ସ ସରକାର ଏନେଇ ଜବାବ ରଖିଛନ୍ତି। ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି ଯେ ଉଭୟ ରାଷ୍ଟ୍ର ୨୦୦୮ରେ ରାଜିନାମା ସ୍ୱାକ୍ଷର କରିଥିଲେ। ଏହି ରାଜିନାମାରେ ବିଭିନ୍ନ ଶ୍ରେଣୀର ଗୋପନୀୟ ତଥ୍ୟ ରହିଛି ଓ ଏହାକୁ ପ୍ରଘଟ କରିବା ଦ୍ୱାରା ଉଭୟ ରାଷ୍ଟ୍ରର ସୁରକ୍ଷା ଏବଂ ପ୍ରତିରକ୍ଷା ଉପକରଣ ପରିଚାଳନା ପ୍ରଭାବିତ ହେବ। ଏହାସହ ଫ୍ରାନ୍ସ ପକ୍ଷରୁ କୁହାଯାଇଛି ଯେ ରାଫେଲ ରାଜିନାମା ତଥ୍ୟ ପ୍ରକାଶ ଦ୍ୱାରା ଉଭୟ ରାଷ୍ଟ୍ରର କ୍ଷତି ଘଟିବ। ଏହା ଉପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଲୋକସଭାରେ ଜବାବ ଉପସ୍ଥାପନ କରିଛନ୍ତି। ଏହି କାରବାର ନେଇ ଗୋପନୀୟତା ରକ୍ଷା ନିମନ୍ତେ ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଏ. କେ ଆଣ୍ଟୋନୀଙ୍କ ଦ୍ୱାରା ଚୁକ୍ତି କାରଣରୁ ତଥ୍ୟ ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି ସେ ଦର୍ଶାଇଛନ୍ତି। ଏହାଛଡ଼ା ରାଫେଲ୍‍ କମ୍ପାନୀ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ସୁରକ୍ଷା ଓ ବୁଝାମଣାଗତ ଗୋପନୀୟତା ଦୃଷ୍ଟିରୁ ଏ ସମ୍ପର୍କିତ ତଥ୍ୟ ପ୍ରକାଶ କରାଯାଇପାରିବ ନାହିଁ ବୋଲି ଏହାର କର୍ତ୍ତୃପକ୍ଷ ଶୁକ୍ରବାର ସଂସଦରେ ଆଲୋଚନା ପରେ ପ୍ରତିକ୍ରିୟା ଦେଇଛନ୍ତି।

Leave A Reply