୧୯ରେ ରାବାଡ଼ାଙ୍କ ଅପିଲ୍‌ର ଶୁଣାଣି

0

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରାବାଡ଼ା ବିଶୃଙ୍ଖଳ ଆଚରଣ ପାଇଁ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଦଣ୍ଡିତ ହୋଇଛନ୍ତି। ତାଙ୍କ ବିରୋଧରେ ଆଇସିସି ମ୍ୟାଚ୍‌ ରେଫ୍‌ରୀ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ୩ଟି ଡିମେରିଟ୍‌ (ନାସ୍ତିସୂଚକ) ପଏଣ୍ଟ ଦେବା ସହ ୨ୟ ଟେଷ୍ଟର ୫୦ ପ୍ରତିଶତ ମ୍ୟାଚ୍‌ ଫି କାଟି ଦେଇଛନ୍ତି। ଅଷ୍ଟ୍ରେଲିଆ ବିରୋଧରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିବା ୨ୟ ଟେଷ୍ଟରେ ୨ଟି ପୃଥକ୍‌ ଘଟଣା ପାଇଁ ମ୍ୟାଚ୍‌ ରେଫେରୀ ରାବାଡ଼ାଙ୍କୁ ୩ଟି ଡିମେରିଟ୍‌ ପଏଣ୍ଟ ଦେଇଛନ୍ତି। ଫଳରେ ରାବାଡ଼ାଙ୍କ ଡିମେରିଟ୍‌ ପଏଣ୍ଟ ସଂଖ୍ୟା ୮ରେ ପହଞ୍ଚିଛି। ଫଳରେ ପରବର୍ତ୍ତୀ ୨ଟି ଟେଷ୍ଟମ୍ୟାଚ୍‌ରୁ ରାବାଡ଼ା ବାଦ୍‌ ପଡ଼ିଛନ୍ତି। ଫଳତଃ ସ୍ପଷ୍ଟ ହୋଇଯାଇଛି ଯେ ଅଷ୍ଟ୍ରେଲିଆ ବିରୋଧରେ ଚଳିତ ଟେଷ୍ଟ ସିରିଜ୍‌ରେ ବାକି ୨ଟି ମ୍ୟାଚ୍‌ରେ ରାବାଡ଼ା ଖେଳିବେ ନାହିଁ।
ଦଣ୍ଡାଦେଶ ହେବାର ୪୮ ଘଣ୍ଟା ମଧ୍ୟରେ ଏହା ବିରୋଧରେ ରାବାଡ଼ାଙ୍କୁ ଅପିଲ କରିବାର ଥିଲା। ରାବାଡ଼ା ଏପରି କରିଛନ୍ତି। ତାଙ୍କ ଅପିଲ ପରେ ଆଇସିସି ନ୍ୟୁଜିଲାଣ୍ଡର ମାଇକେଲ ହେରୋନ୍‌ଙ୍କୁ ଅପିଲ କମିଶନର ଭାବେ ନିଯୁକ୍ତ କରିଛି। ୧୯ରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଶୁଣାଣି କରାଯିବ। ଶୁଣାଣିର ୪୮ ଘଣ୍ଟା ମଧ୍ୟରେ କମିଶନର ହେରୋନ୍‌ ତାଙ୍କ ନିଷ୍ପତ୍ତି ଶୁଣାଇବେ। ତେଣୁ ଚଳିତ ଟେଷ୍ଟ ସିରିଜ୍‌ରେ ରାବାଡ଼ା ଖେଳିବେ କି ନାହିଁ; ତାହା ଜାଣିବା ପାଇଁ ତାଙ୍କୁ ବୁଧବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ମାଇକେଲ ହେରୋନ୍‌ ହେଉଛି ଆଇସିସିର ଆଚାର ସଂହିତା କମିଶନ୍‌ ଓ ବିବାଦ ସମାଧାନ କମିଟିର ସଦସ୍ୟ। ଏଣେ ଶୁଣାଣିରେ ରାବାଡ଼ାଙ୍କ ପକ୍ଷ ରଖିବାକୁ ଦକ୍ଷିଣ ଆଫ୍ରିକାର ନାମୀ ଓକିଲ ଡାଲି ମପୋଫୁ ନିଯୁକ୍ତ ହୋଇଛନ୍ତି। ପୋର୍ଟ ଏଲିଜାବେଥ୍‌ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ଆଉଟ କରିବା ପରେ କାଗିସୋ ରାବାଡ଼ା ଜାଣିଶୁଣି ତାଙ୍କ କାନ୍ଧରେ ନିଜ କାନ୍ଧ ବଜାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ସ୍ମିଥ୍‌ ଆଉଟ ଘୋଷିତ ହେବା ପରେ ରାବାଡ଼ା ‘ୟେସ୍‌’, ‘ୟେସ୍‌’ ଚିତ୍କାରକରି ସ୍ମିଥ୍‌ଙ୍କ ଆଡ଼କୁ ଦୌଡ଼ି ଯାଇଥିଲେ ଏବଂ ସ୍ମିଥ୍‌ଙ୍କ କାନ୍ଧରେ ରାବାଡ଼ାଙ୍କ କାନ୍ଧ ବାଜିଥିଲା। ରାବାଡ଼ା ଜାଣିଶୁଣି ଏପରି କରିଥିଲେ ବୋଲି ମ୍ୟାଚ୍‌ ରେଫେରୀ ଅଭିଯୋଗ କରି ତାଙ୍କୁ ୨ଟି ଡିମେରିଟ୍‌ ପଏଣ୍ଟ ଦେଇଥିଲେ। ପରେ ରାବାଡ଼ା କହିଥିଲେ ଯେ ସ୍ମିଥ୍‌ଙ୍କୁ ସ୍ପର୍ଶ କରିବା ସେ ଅନୁଭବ କରିନଥିଲେ। ଯଦି ପ୍ରକୃତରେ ଏପରି କରିଥାଆନ୍ତେ; ତେବେ ଦଣ୍ଡାଦେଶ ବିରୋଧରେ ଅପିଲ କରିନଥାଆନ୍ତେ। ପୁଣି ୨ୟ ଇନିଂସରେ ଅଷ୍ଟ୍ରେଲିଆ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣରଙ୍କୁ ଆଉଟ କରିବା ପରେ ରାବାଡ଼ା ତାଙ୍କ ପ୍ରତି କିଛି ଆକ୍ଷେପ କରିଥିଲେ। ଏଥିପାଇଁ ରାବାଡ଼ାଙ୍କୁ ଗୋଟିଏ ଡିମେରିଟ୍‌ ପଏଣ୍ଟ ମିଳିଛି। ତେବେ ରାବାଡ଼ା ଏହାର ବିରୋଧ କରିନାହାନ୍ତି। ଏବେ ବୁଧବାର ଜଣାପଡ଼ିବ ଯେ ଗୁରୁବାରଠାରୁ କେପ୍‌ ଟାଉନ୍‌ରେ ଆରମ୍ଭ ହେଉଥିବା ୩ୟ ଟେଷ୍ଟରେ ରାବାଡ଼ା ଖେଳିବେ କି ନାହିଁ; ତାହା ବୁଧବାର ଜଣାପଡ଼ିବ। ଅଷ୍ଟ୍ରେଲିଆ ବିରୋଧରେ ରାବାଡ଼ା ଚମତ୍କାର ଫର୍ମରେ ଅଛନ୍ତି। ପ୍ରଥମ ଟେଷ୍ଟରେ ୪ଟି ୱିକେଟ ନେଇଥିବା ରାବାଡ଼ା ୨ୟ ଟେଷ୍ଟରେ ମୋଟ ୧୧ଟି ୱିକେଟ ନେଇ ଦଳକୁ ଜିତାଇବା ସହ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

Leave A Reply