ମହିଳାଙ୍କୁ ଗିଳିଦେଲା ୨୩ ଫୁଟଆ ଅଜଗର

0

ମୁନା: ଇଣ୍ଡୋନେସିଆର ମୁନା ଦ୍ୱୀପାଞ୍ଚଳର ସୁଲାୱେସି ଉପକୂଳରେ ଅବସ୍ଥିତ ପର୍ସିପାନ୍‍ ଲାୱେଲାଠାରେ ଏକ ସୁଦୀର୍ଘ ଅଜଗର ଜଣେ ମହିଳାଙ୍କୁ ସମ୍ପୂର୍ଣ୍ଣ ଗିଳି ଦେବା ଓ ସ୍ଥାନୀୟ ଲୋକେ ଅଜଗରକୁ ମାରି ତାର ପେଟ କାଟି ମହିଳାଙ୍କୁ ଉଦ୍ଧାର କରିବା ଘଟଣା ଆଲୋଚନାର ବିଷୟ ହୋଇଛି। ୫୪ବର୍ଷ ବୟସ୍କା ୱା ଟିବା ଗୁରୁବାର ହଠାତ୍‍ ନିଖୋଜ ହୋଇଯାଇଥିଲେ। ଶତାଧିକ ଗ୍ରାମବାସୀଙ୍କ ଦ୍ୱାରା ଖୋଜାଖୋଜି ପରେ ଶୁକ୍ରବାର ତାଙ୍କର ଚପଲ ନିକଟସ୍ଥ ଏକ ପରିବା ବଗିଚାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ନିକଟରେ ପ୍ରାୟ ୭ମିଟର(୨୩ଫୁଟ) ଲମ୍ବ ଅଜଗର ଶୋଇଥିବା ଓ ତାର ପେଟ ଫୁଲି ରହିଥିବାକୁ ଏହା ମହିଳାଙ୍କୁ ଗିଳିଥିବା ଲୋକେ ଅନୁମାନ କରିଥିଲେ। ଅଜଗରଟି ଚଳତ୍‍ ଶକ୍ତି ହରାଇ ପଡ଼ିରହିଥିବାରୁ ସେମାନେ ତୁରନ୍ତ ତାକୁ ମାରି ଦେଇଥିଲେ। ପରେ ସାପକୁ ବଗିଚା ବାହାରକୁ ଆଣିବା ସହ ପୁଲିସକୁ ଖବର ଦେଇଥିଲେ। ଶନିବାର ପୁଲିସ ଉପସ୍ଥିତିରେ ସାପର ପେଟ କଟା ଯାଇଥିଲା। ପେଟ ଭିତରେ ମହିଳା ସମ୍ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ରହିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସାପଟି ତାଙ୍କୁ ମୁଣ୍ଡପଟୁ ଗିଳିଥିବା ଲକ୍ଷ୍ୟ କରାଯାଇଥିଲା। ମୃତ ଟିବା ଯେଉଁଠୁ ନିଖୋଜ ହୋଇଥିଲେ ତାହା ଏକ ପାହାଡ଼ିଆ ଅଞ୍ଚଳର ନିମ୍ନ ଭାଗ ଥିଲା ଓ ସେଠାରେ ଥିବା ଗୁମ୍ଫା ଭଳି ସ୍ଥାନରେ ଅଜଗର ରହୁଥିବା ପୁଲିସ କହିଛି। ଇଣ୍ଡୋନେସିଆ ଓ ଫିଲିପାଇନ୍ସରେ ୬ମିଟର ଲମ୍ବ ଅଜଗର ଦେଖାଯିବା ନୂଆ କଥା ନୁହେଁ; କିନ୍ତୁ ଏତେ ବଡ଼ ଅଜଗର ମିଳିବା ସମସ୍ତଙ୍କୁ ବିସ୍ମିତ କରିଛି।

Leave A Reply