ସୁଆର ସେବକଙ୍କ ଧାରଣା : ୩୦ଲକ୍ଷର ମହାପ୍ରସାଦ ନଷ୍ଟ

0

ପୁରୀ : ଶ୍ରୀଜୀଉଙ୍କ ସେବାପୂଜା ପ୍ରାୟ ୪ଘଣ୍ଟା ବିଳମ୍ବ ଯୋଗୁଁ ସୋମବାର ସନ୍ଧ୍ୟାସୁଦ୍ଧା ଭୋଗମଣ୍ଡପ ଉଠିପାରି ନାହିଁ। ଲକ୍ଷାଧିକ ଟଙ୍କାର ମହାପ୍ରସାଦ ବିକ୍ରି ନହୋଇ ନଷ୍ଟହେବାର ସମ୍ଭାବନା ରହିଛି। ଏହାର ପ୍ରତିବାଦ କରି ସୁଆର ମହାସୁଆର ସେବକମାନେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଶ୍ରୀଜୀଉଙ୍କ ସମୟାନୁବର୍ତ୍ତୀ ନୀତି ସମ୍ପାଦନରେ ପ୍ରଶାସନର ଅବହେଳା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରା ଅଭିଯୋଗ କରିଛନ୍ତି। ସୋମବାର ବରାଦୀ ମହାପ୍ରସାଦ ପାଇଁ ଅନେକ ଲୋକ ସୁଆର ସେବକଙ୍କୁ ଅଗ୍ରୀମ ଦେଇଥିଲେ। ଅଭଡା ନେବାପାଇଁ ଦକ୍ଷିଣ ଓ ଉତ୍ତରଦ୍ୱାରରେ କେତେକ ଗାଡି ଅପେକ୍ଷା କରିଥିଲା। ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଦିନ ୨ଟା ସୁଦ୍ଧା ଭୋଗମଣ୍ଡପ ଶେଷହେବା କଥା। କିନ୍ତୁ ଅପରାହ୍ଣ ୪ଟା ୧୫ରେ ସକାଳଧୂପ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାସୁଦ୍ଧା ବରାଦୀ ଅଭଡା ନବାହାରିବାରୁ ସୁଆର ସେବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରଥମ ଓ ଦ୍ୱିତୀୟ ଭୋଗମଣ୍ଡପ ସମେତ ସନ୍ଧ୍ୟାଧୂପ ପାଇଁ ସୁଆର ସେବକମାନେ ମହାପ୍ରସାଦ ପ୍ରସ୍ତୁତ କରିଛନ୍ତି। ଶତାଧିକ ସୁଆର ଆନ୍ଦୋଳନରେ ଅଂଶଗ୍ରହଣ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସୁଆର ସେବକଙ୍କ କ୍ଷତି ଭରଣା ନକଲେ ଆଉ ମହାପ୍ରସାଦ ପ୍ରସ୍ତୁତ କରିବା ସମ୍ଭବପର ନୁହେଁ ବୋଲି ସଭାପତି ଦାମୋଦର ମହାସୁଆର କହିଛନ୍ତି। ରାତି ୧୦ଟା ସୁଦ୍ଧା ମନ୍ଦିର ପ୍ରଶାସନର କୌଣସି ଅଧିକାରୀ ଘଟଣାସ୍ଥଳକୁ ଯାଇ ସୁଆର ସେବକଙ୍କ ସହ ଆଲୋଚନା କରିନାହାଁନ୍ତି। ଅନ୍ୟପକ୍ଷରେ ମହାପ୍ରସାଦ ବାହାରିବାରେ ଅତ୍ୟଧିକ ବିଳମ୍ବ ଯୋଗୁଁ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କାଣିଚାଏ ଅନ୍ନ ମହାପ୍ରସାଦ ନପାଇ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ମନଦୁଃଖରେ ଫେରିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ସୋମବାରଠାରୁ ଜଗମୋହନ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି। ଗର୍ଭଗୃହରେ ସେବକଙ୍କ ପ୍ରବେଶ ଉପରେ କୋର୍ଟଙ୍କ କଟକଣା ଯୋଗୁଁ ସେବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦ କରି କେତେକ ସେବକ ନୀତି ସମ୍ପାଦନରେ ଅସହଯୋଗ କରିଥିଲେ। ଏଥିଯୋଗୁଁ ମହାପ୍ରଭୁଙ୍କ ନୀତି ପ୍ରାୟ ୪ଘଣ୍ଟା ବିଳମ୍ବ ହୋଇଥିଲା। ଜଣେ ପାଳିଆ ସେବକ ହଠାତ ଅସୁସ୍ଥ ହେବାସହ ଅନ୍ୟ ଜଣଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଯୋଗୁଁ ଶ୍ରୀଜୀଉଙ୍କ ନୀତି ବିଳମ୍ବ ହୋଇଥିବା ସେବକଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ନୀତି ବିଳମ୍ବ ଯୋଗୁଁ ଦିନ ୧୧ଟାରେ ହେବାକୁଥିବା ସକାଳଧୂପ ଅପରାହ୍ଣ ସାଢେ ୪ଟାରେ ହୋଇଥିଲା। ଆଗାମୀ ୧୮ତାରିଖ ଅକ୍ଷୟ ତୃତୀୟାଠାରୁ ଶ୍ରୀଜୀଉଙ୍କ ୨୧ଦିନ ବ୍ୟାପୀ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ତେଣୁ ଶୃଙ୍ଖଳିତ ନୀତି ସମ୍ପାଦନ ପ୍ରତି ପ୍ରଶାସନ ଗୁରୁତ୍ୱ ନଦେଲେ ସମସ୍ୟା ଅଧିକ ଜଟିଳ ହେବାର ଆଶଙ୍କା ରହିଛି।

 

Leave A Reply