ଗାନ୍ଧି ଜୟନ୍ତୀରେ କଏଦୀଙ୍କ ପାଇଁ ଆସିବ ସର୍ବକ୍ଷମା ଯୋଜନା

0

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ ତାରିଖରେ ପାଳିତ ହେବାକୁ ଯାଉଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀ। ଏହି ଅବସରରେ ଦେଶର ବିଭିନ୍ନ ଜେଲ୍‍ରେ ଜେଲ ଦଣ୍ଡ ଭୋଗୁଥିବା କଏଦୀଙ୍କୁ ମୁକ୍ତ କରିବାକୁ ସରକାର ଚିନ୍ତା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ବୈଠକରେ ପରେ ଆଇନ୍‍ ମନ୍ତ୍ର ରବିଶଙ୍କର ପ୍ରସାଦ ଏହି ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଲେ ୫୫ ବର୍ଷରୁ ଊଦ୍ଧ୍ୱର୍ ମହିଳା କଏଦୀ ଓ ୬୦ ବର୍ଷରୁ ଊଦ୍ଧ୍ୱର୍ ପୁରୁଷ କଏଦୀ, ଶାରୀରିକ ଅକ୍ଷମ ଓ ରୋଗଗ୍ରସ୍ତ କଏଦୀଙ୍କୁ ମୁକ୍ତ କରାଯିବ। କିନ୍ତୁ ଏହି ସୁବିଧା ପାଇବାକୁ ହେଲେ ସେମାନେ ଆସନ୍ତା ଅକ୍ଟୋବର ୨ ତାରିଖ ସୁଦ୍ଧା ଜେଲ୍‍ ଦଣ୍ଡାଦେଶର ଅଧା ଦଣ୍ଡ ଭୋଗ କରିଥିବା ଆବଶ୍ୟକ। ସେହିପରି ପୋଟା, ୟୁଏପିଏ, ଟାଡା, ଟଙ୍କା ଚାଲାଣ, ମଣିଷ ଚାଲାଣ, ଡ୍ରଗ୍ସ କାରବାର, ପୋକ୍ସୋ ଆଇନ୍‍ରେ ଦୋଷୀ, ବଳାତ୍କାର, ଯୌତୁକ ନିର୍ଯାତନା ଜନିତ ହତ୍ୟା ପରି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‍ ଭୋଗୁଥିବା ଅପରାଧୀ, ଆଜୀବନ କାରାଦଣ୍ଡ ଓ ଫାଶୀ ଦଣ୍ଡାଦେଶ ପାଇଥିବା ଅପରାଧୀଙ୍କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଏହି ସର୍ବକ୍ଷମା ଯୋଜନା କାର୍ଯ୍ୟକାରୀ ହେବ ନାହିଁ।
ତିନିଟି ପର୍ଯ୍ୟାୟରେ କଏଦୀଙ୍କୁ ମୁକ୍ତ କରାଯିବ। ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରେ ପ୍ରଥମ ପର୍ଯ୍ୟାୟ, ୨୦୧୯ ଏପ୍ରିଲ୍‍ ୧୦ ତାରିଖରେ ଚମ୍ପାରଣ ସତ୍ୟାଗ୍ରହ ଶତବାର୍ଷିକୀ ଅବସରରେ ଦ୍ୱିତୀୟ ପର୍ଯ୍ୟାୟ ଓ ୨୦୧୯ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହେବ। ସମ୍ବିଧାନର ୧୬୧ ଧାରା ଅନୁଯାୟୀ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଏବଂ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏକ କମିଟି ଗଠନ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ କେନ୍ଦ୍ର ସରକାର ପତ୍ର ଲେଖିଛନ୍ତି।

Leave A Reply