ମା’ଙ୍କ ପାଇଁ ଗିନିଜ୍ ରେକର୍ଡରେ ସ୍ଥାନ ପାଇଲେ ପ୍ରେରଣା

0

ପ୍ରକୃତରେ ଆମେ କେବଳ କଥାରେ କହୁଛେ ଯେ ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ ହେଉଛି ହେଲେ ଘଟଣା ଓ ସ୍ଥିତି ସମ୍ପୂର୍ଣ୍ଣ ବିପରୀତ ବୋଲି କହିଛନ୍ତି ସିକନ୍ଦରାରାଓ ନିବାସୀ ଉଷା ଶର୍ମା। ମଧ୍ୟବିତ୍ତ ପରିବାରର ଝିଅ ହେଉଛନ୍ତି ଉଷା। ପରିବାରଲୋକଙ୍କ ନିଷ୍ପତ୍ତିକୁ ମାନିନେଇ ୧୯୯୬ରେ ଦିଲ୍ଲୀନିବାସୀ ଜନୈକ ଡାକ୍ତରଙ୍କୁ ବିବାହ କଲେ। ଗୋଟିଏ ଝିଅ ଓ ପୁଅ ହେବା ପରେ ଆରମ୍ଭ ହେଲା ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ। ସମ୍ପର୍କରେ ଏତେ ତିକ୍ତତା ଆସିଯାଇଥିଲା ଯେ ଶେଷରେ ବିଚ୍ଛେଦରେ ହିଁ ଏହାର ଅନ୍ତ ହେଲା। ପୁଅର ଭରଣପୋଷଣ ଦାୟିତ୍ବ ତାଙ୍କ ସ୍ବାମୀ ନେବାକୁ ଅଡ଼ିବସିଲେ ହେଲେ ଝିଅ ଆଡ଼କୁ କେହି ଚାହିଁଲେ ନାହିଁ। ୨୦୦୭ର ଏଇ ଘଟଣା। ଉଷା ସ୍ବାମୀଙ୍କ ଏଭଳି ଚିନ୍ତାଧାରାରେ ଆଶ୍ଚର୍ଯ୍ୟ ହେବା ସହ ନିଜ ଝିଅକୁ ଗେହ୍ଲାରେ କୋଳେଇ ନେଲେ। ଆଗକୁ ଏକାକୀ ବଢ଼ିବାକୁ ସ୍ଥିର କଲେ। ବାପଘରୁ କିମ୍ବା ସ୍ବାମୀ କେହି ମଧ୍ୟ ଆର୍ଥିକ ଭାବେ ତାଙ୍କୁ ସହାୟତା କଲେ ନାହିଁ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କାନ୍ଦିକାନ୍ଦି ନୟାନ୍ତ ହୋଇପଡ଼ିଥିଲେ ଉଷା, ହେଲେ ଲୁହ ପୋଛିଦେଇଥିଲା ତାଙ୍କ କୁନି ଝିଅ। ପାଖରେ ଟଙ୍କାଟିଏ ନଥିଲା, କିନ୍ତୁ ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ଘର ଭଡ଼ା ଦେଇଥିଲେ। ପାଖଆଖର ​‌େ​‌ଲାକେ ଟାହିଟାପରା କଲେ। ସେସବୁକୁ କର୍ଣ୍ଣପାତ ନ କରି ବରଂ ସିଲେଇ କରି ଝିଅର ପାଠପଢ଼ା ଖର୍ଚ୍ଚ ତୁଲାଇବାକୁ ଚେଷ୍ଟା କଲେ ଉଷା। ଈଶ୍ବରଙ୍କ ଆଶୀର୍ବାଦ ତାଙ୍କ ଉପରେ ଥିଲା ବୋଲି ସେ ଅନୁଭବ କଲେ। କାରଣ ଏତେ ଅସୁବିଧାରେ ମଧ୍ୟ ଝିଅ ପ୍ରେରଣା ପାଠପଢ଼ାରେ ଧୁରୀଣା ଥିଲା। ୨୦୧୨ବେଳକୁ ଏକାଦଶ ଶ୍ରେଣୀରେ ପ୍ରେରଣାଙ୍କୁ ବିଦ୍ୟାଳୟରୁ ବହିଷ୍କୃତ କରାଗଲା କାରଣ ପରୀକ୍ଷା ଫି’ ତାଙ୍କ ମା’ ଦେଇପାରିନଥିଲେ। ପରେ ଧାରଉଧାର କରି ଉଷା ଝିଅର ଫି’କୁ ଯୋଗାଡ଼ କରିଥିଲେ। ତାଙ୍କ ୧୯ ବର୍ଷୀୟ ଝିଅ ପ୍ରେରଣା ପାଇଁ ଆଜି ଉଷା ଗର୍ବିତ। କାରଣ ପ୍ରଖର ଧୀଶକ୍ତି ପାଇଁ ଏହା ମଧ୍ୟରେ ପ୍ରେରଣା ଦୁଇଥର ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇସାରିଛି। ମେଡିକାଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରେରଣା କିନ୍ତୁ ନାସା ଗବେଷଣା କେନ୍ଦ୍ରରେ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛନ୍ତି। ଉଷା କହିଛନ୍ତି ପୁରୁଣା ସମ୍ପର୍କ ଏବେ ନିଜର ଅଧିକାର ସାବ୍ୟସ୍ତ ଜାହିର୍ କରିବାକୁ ଆଗେଇ ଆସୁଛନ୍ତି। ସେ ନିରବତାର ସହ ଏସବୁ ଦେଖୁଛନ୍ତି।

Leave A Reply