ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

0

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲଗେଟ୍‍ ଛକ ନିକଟରେ ମଙ୍ଗଳବାର ଦୁଇଟି ପୃଥକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଲୁନା ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ବାଇକ ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି।
ମୃତ୍ୟୁବରଣ କରିଥିବା ଲୁନା ଚାଳକଙ୍କ ନାମ ବୁଦ୍ଧନାଥ ପୃଷ୍ଟି (୫୨) ଓ ତାଙ୍କ ଘର ବାଳକାଟି ନିକଟ ଚାରିମାଣିଆ ଗ୍ରାମରେ ହୋଇଥିବା ସୂଚନା ମିଳିଛି। ସେ ଏକ ଲୁନାରେ ପିପିଲି ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ଟୋଲଗେଟ୍‍ ଛକ ନିକଟ ପିପିଲି ପ୍ରବେଶ ପଥ ଠାରେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର୍‍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ରାସ୍ତା ଉପରେ ଛିଟିକି ପଡିଥିବା ବେଳେ ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ମୁର୍ମୁଷ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ କାର୍‍ଟି ଦୃତ ଗତିରେ ଘଟଣା ସ୍ଥଳରୁ ପଳାଇ ଯାଇ କୌଶଲ୍ୟାଗଙ୍ଗ ଫାଣ୍ଡିରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି। ପିପିଲି ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ଗାଡିକୁ ଜବତ କରିବା ସହ କାର୍‍ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।
ସେହିପରି ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବାଇକ୍‍କୁ ଟୋଲଗେଟ୍‍ ନିକଟ ଜଇସପାଟଣା ଠାରେ କୌଣସି ଏକ ଅଜଣାଗାଡି ଧକ୍କା ଦେବାରୁ ବାଇକ୍‍ ସହ ଚାଳକ ଛିଟିକି ଯାଇ ରାସ୍ତା ଉପରେ ପଡିଥିଲେ। ତାଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସପିଟାଲକୁ ଚିକିତ୍ସା ଲାଗି ପଠାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‍କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Leave A Reply