ପାକିସ୍ତାନଠୁ ମୁକ୍ତି ଚାହୁଁଛନ୍ତି ପିଓକେବାସୀ; ସ୍ବାଧୀନତା ପାଇଁ କରୁଛନ୍ତି ବିକ୍ଷୋଭ

0

ୱାଶିଂଟନ: ଭାରତ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ନିଦ ହଜିଯାଇଛି। ପାକିସ୍ତାନ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥାପନ କରି ଭାରତ ବିରୋଧରେ ସମର୍ଥନ ହାସଲ କରିବାକୁ ପ୍ରୟାସ କରୁଥିଲେ ମଧ୍ୟ ସେଥିରେ ସଫଳ ହୋଇପାରି ନାହିଁ। କାଶ୍ମୀରକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଥିବାବେଳେ ଏବେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ବାସିନ୍ଦା ପାକିସ୍ତାନ ବିରୋଧରେ ସ୍ବର ଉତ୍ତୋଳନ ଆରମ୍ଭ କଲେଣି। କିଛିଦିନ ତଳେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପିଓକେ ଗସ୍ତ କରି ସେଠାରେ ରାଲି କରୁଥିବାବେଳେ ସେଠାକାର ଲୋକ ତାଙ୍କୁ ଫେରିଯିବାକୁ ପରାମର୍ଶ ଦେଇଥିଲେ। ଏହା ଭିତରେ ପିଓକେବାସୀ ଏବେ ସ୍ବାଧୀନତା ଚାହୁଁଥିବା କହିଛନ୍ତି। ସେମାନେ ପାକିସ୍ତାନଠାରୁ ମୁକ୍ତ ହୋଇ ସ୍ବାଧୀନ ଭାବେ ବଞ୍ଚିବାକୁ ଚାହୁଁଛନ୍ତି ବୋଲି ଆମେରିକାର ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଏକ ରିପୋର୍ଟ ପ୍ରକାଶ କରିଛି।

କିଛିଦିନ ତଳେ ନ୍ୟୁୟର୍କ ଟାଇମ୍ସର କେତେଜଣ ସାମ୍ବାଦିକଙ୍କୁ ପିଓକେ ଗସ୍ତ କରିବାର ସୁଯୋଗ ମିଳିଥିଲା। ସାମ୍ବାଦିକମାନେ ସେଠାରେ ଲୋକଙ୍କୁ ଭେଟିବା ସହିତ ସେମାନଙ୍କ ମତାମତ ସଂଗ୍ରହ କରିଥିଲେ। ଏହି ସମୟରେ ପିଓକେବାସୀ ସେମାନଙ୍କ ଦୁଃଖ ଜଣାଇଥିଲେ। ପିଓକେବାସୀ କହିଥିଲେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାମ୍ମୁ-କାଶ୍ମୀରକୁ ନେଇ ଦ୍ବିପାକ୍ଷିକ ଆଲୋଚନା ବନ୍ଦ ହେବା ପରଠାରୁ ପାକିସ୍ତାନ ପିଓକେ ଉପରେ ନିଜର ନିୟନ୍ତ୍ରଣ ବୃଦ୍ଧି କରିଛି। କିନ୍ତୁ ସେମାନେ ସ୍ବାଧୀନତା ଚାହୁଁଛନ୍ତି। ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ଭାବେ ରହିବାକୁ ସେମାନେ ଇଚ୍ଛା କରୁଥିବା ସାମ୍ବାଦିକମାନଙ୍କୁ କହିଛନ୍ତି। ଏପରି କି ସ୍ବାଧୀନତା ପାଇଁ ସେମାନେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭକୁ ପାକିସ୍ତାନୀ ଗଣମାଧ୍ୟମ ଅତି ସାଧାରଣ ଭାବେ ପ୍ରସାରଣ କରିଥିଲା। ବିକ୍ଷୋଭ ସମୟରେ ସମ୍ପୃକ୍ତ ଅଞ୍ଚଳରେ ମୋବାଇଲ ଏବଂ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା। ଏହାକୁ ପିଓକେବାସୀ ପାକିସ୍ତାନ ଦ୍ବାରା ମାନବାଧିକାରର ଉଲ୍ଲଂଘନ ବୋଲି ଦର୍ଶାଇଥିଲେ।

Leave A Reply