ଏସସିଓ ସାମରିକ ଅଭ୍ୟାସ ନିୟମ ଉଲ୍ଲଂଘନ କଲା ପାକିସ୍ତାନ; ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତକୁ ଆମନ୍ତ୍ରଣ କଲାନି

0

ମସ୍କୋ: ରୁଷରେ ସଂଘାଇ ସହଯୋଗ ସଂଗଠନ(ଏସସିଓ) ସଦସ୍ୟ ଦେଶଗୁଡ଼ିକର ସାମରିକ ଅଭ୍ୟାସ ସମୟରେ ପାକିସ୍ତାନ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭାରତକୁ ଆମନ୍ତ୍ରଣ କଲା ନାହିଁ। ଏହାଦ୍ବାରା ପାକିସ୍ତାନ ଏସସିଓ ସୈନ୍ୟ ଅଭ୍ୟାସ ନିୟମକୁ ଉଲ୍ଲଂଘନ କରିଛି।

ସୂଚନା ଅନୁସାରେ, ସେପ୍ଟେମ୍ବର ୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ସାମରିକ ଅଭ୍ୟାସ ଚାଲୁଛି। ଏହି ସମୟରେ ପ୍ରତିଦିନ କୌଣସି ଗୋଟିଏ ଦେଶ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଗତ ୧୨ ତାରିଖରେ ଭାରତ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଥିରେ ସମସ୍ତ ଦେଶକୁ ଆମନ୍ତ୍ରିତ କରାଯାଇଥିଲା। ପାକିସ୍ତାନକୁ ବି ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେପ୍ଟେମ୍ବର ୧୨ ସୁଦ୍ଧା ପାକିସ୍ତାନ ସେନା ରୁଷରେ ପହଞ୍ଚି ନ ଥିବାରୁ କାର୍ଯ୍ୟକ୍ରମରେ ଯୋଗଦେଇ ପାରି ନ ଥିଲା। କିନ୍ତୁ ଚୀନର ଲେଫ୍ଟେନାଣ୍ଟ ଜେନେରାଲ କୋଇ ଶ୍ୟାବୁ ଭାରତର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଚୀନ ବି ଭାରତୀୟ ଅଧିକାରୀମାନଙ୍କୁ ନିଜ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ କରିଥିଲା। ତେବେ ଗତ ଗୁରୁବାର ଦିନ ପାକିସ୍ତାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କିନ୍ତୁ ପାକିସ୍ତାନ ପକ୍ଷରୁ ଭାରତକୁ ଆମନ୍ତ୍ରଣ କରାଯାଇ ନ ଥିଲା। ସୂଚନାଯୋଗ୍ୟ, ଚଳିତବର୍ଷ ସୈନ୍ୟ ଅଭ୍ୟାସ ‘ଟିଏସଇଏନଟିଆର ୨୦୧୯’କୁ ରୁଷର କେନ୍ଦ୍ରୀୟ ସୈନ୍ୟ ଆୟୋଗ ପକ୍ଷରୁ ଆୟୋଜନ କରାଯାଉଛି। ଏଥିରେ ରୁଷ ସମେତ ଚୀନ, ଭାରତ, କଜାକିସ୍ତାନ, କିର୍ଗିସ୍ତାନ, ତାଜିକିସ୍ତାନ, ପାକିସ୍ତାନ ଏବଂ ଉଜବେକିସ୍ତାନ ସେନା ସାମିଲ ହୋଇଥିଲେ।

Leave A Reply