ଇମ୍ରାନ ପାକିସ୍ତାନ ଅର୍ଥନୀତିକୁ ନଷ୍ଟ କରିପାରିବେ, ଆମକୁ କ୍ଷତି ପହଞ୍ଚାଇବାର ସାହସ ନାହିଁ : ଭାରତୀୟ ରାଷ୍ଟ୍ରଦୂତ

0

ୱାଶିଂଟନ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଚଳିତ ହୋଇପଡିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ତେବେ ଏହା ମଧ୍ୟରେ ଆମେରିକାସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳା କହିଛନ୍ତି ଯେ କାଶ୍ମୀର ପୁନଃ ବିକାଶ ରାସ୍ତାକୁ ଫେରି ଆସିଛି ଓ ଏହାକୁ ସ୍ୱୀକାର କରିବା ଇମ୍ରାନ ଖାନଙ୍କ ପାଇଁ ଅତି କଷ୍ଟକର। ପାକିସ୍ତାନ ଅର୍ଥନୀତିକୁ ସମ୍ପୂର୍ଣ୍ଣ ନଷ୍ଟ କରିବାର ଅଧିକାର ଇମ୍ରାନଙ୍କ ପାଖରେ ଅଛି, ହେଲେ ଭାରତକୁ କ୍ଷତି ପହଞ୍ଚାଇବାର ସାହସ ନାହିଁ।
ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ନ୍ୟୁୟର୍କ ଟାଇମ୍ସ ପାଇଁ ଲେଖିଥିବା ସ୍ତମ୍ଭରେ କହିଛନ୍ତି ଯେ ଇମ୍ରାନଙ୍କ ସରକାରରେ ପାକିସ୍ତାନ ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରୁଛି। ସେଠାରେ ଦରଦାମ ୫ ବର୍ଷର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ତାର ଋଣ ଜିଡିପିଠାରୁ ଅଧିକ ହୋଇଯାଇଛି। ଏବେ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ୨୨ତମ ବେଲଆଉଟ ପ୍ୟାକେଜ ଆବଶ୍ୟକ। ହେଲେ ପାକିସ୍ତାନ ନିଜ ପଡୋଶୀ ଦେଶରେ କ୍ଷତି ପହଞ୍ଚାଇବାକୁ ଭାବୁଛି ଓ ଏହାକୁ ଅନ୍ତର୍ଜାତୀୟ ସମୂଦାୟ ରୋକିବା ଆବଶ୍ୟକ। ଇମ୍ରାନ ଏବଂ ତାଙ୍କ ସରକାର ଜାମ୍ମୁ କାଶ୍ମୀରକୁ ଜବରଦସ୍ତ ଅନ୍ତର୍ଜାତୀୟ ପ୍ରସଙ୍ଗ କରବାକୁ ଚେଷ୍ଟା ଜାରି ରଖିଛି। ଏଥିପାଇଁ ପାକିସ୍ତାନ କାଶ୍ମୀରର ଖରାପ ଚିତ୍ର ବିଶ୍ୱ ସମୂଦାୟ ଆଗରେ ରଖିବାକୁ ଚାହୁଁଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଭାରତକୁ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେଉଛନ୍ତି। ଜାମ୍ମୁ କାଶ୍ମୀର ପୁନଃ ବିକାଶର ପଥକୁ ଫେରିବା ଇମ୍ରାନ ସ୍ୱୀକାର କରିପାରୁନାହାନ୍ତି। ଜାମ୍ମୁ କାଶ୍ମୀରର ଦୁର୍ବଳ ଅର୍ଥବ୍ୟବସ୍ଥାର ଫାଇଦା ନେଇ ପାକିସ୍ତାନ ସେଠାରେ ଆତଙ୍କବାଦ ପ୍ରଚାର ଓ ପ୍ରସାର କରୁଥିଲା। ଫଳରେ ଜାମ୍ମୁ କାଶ୍ମୀରର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରୁଥିବା ଧାରା ୩୭୦କୁ ଭାରତ ସରକାର ଉଚ୍ଛେଦ କରିଦେଲେ। ଏବେ ଜାମ୍ମୁ କାଶ୍ମୀର ପୁନଃ ବିକାଶର ଧାରାକୁ ଫେରିବ। କିନ୍ତୁ ପାକିସ୍ତାନ ଏବେ ବି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି। ପାକିସ୍ତାନ ହେଉଛି ସେଇ ଦେଶ ଯେଉଁଠାରୁ ଓସାମା ବିନ ଲାଡେନ ଲୁଚି ରହିଥିଲା। ଇମ୍ରାନ ଭାରତର ହିନ୍ଦୁ ମୁସଲମାନଙ୍କ ଉପରେ କହିବା ହାସ୍ୟସ୍ପଦ। କାରଣ ପାକିସ୍ତାନ ଗଠନ ସମୟରେ ସେଠାରେ ୨୩% ହିନ୍ଦୁ ଥିଲେ, ଏବେ ସେଠାରେ ହିନ୍ଦୁ ଲୋକଙ୍କ ସଂଖ୍ୟା ମାତ୍ର ୩% ରହିଛି। ସେଠାକାର ସଂଖ୍ୟାଲଘୁ ସମ୍ପ୍ରଦାୟର ଶିଆ, ଅହମଦିଆ, ଖ୍ରୀଷ୍ଟିଆନ, ହିନ୍ଦୁ ଏବଂ ଶିଖମାନେ ପାକିସ୍ତାନର ପ୍ରକୃତ ଚିତ୍ରକୁ ବିଶ୍ୱ ନଜରକୁ ଆଣିପାରିବେ। ସେଠାରେ ରହୁଥିବା ପସ୍ତୁନ, ସିନ୍ଧ ଏବଂ ବାଲୋଚ ମୁସଲମାନମାନେ ମଧ୍ୟ ଅତ୍ୟାଚାରର ଶିକାର ହେଉଛନ୍ତି।

Leave A Reply