ତୈଳ ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର-ରାଜ୍ୟ ଲଢ଼େଇ

0

ରାଜ୍ୟ ସରକାର ଭାଟ୍‌ ହ୍ରାସ କରନ୍ତୁ: ଧର୍ମେନ୍ଦ୍ର
ଓଡ଼ିଶାରେ ଭାଟ୍ ସବୁଠୁ କମ୍‌: ଶଶିଭୂଷଣ 

ଭୁବନେଶ୍ୱର/କଟକ: କ୍ରମାଗତ ଭାବେ ୧୧ ଦିନ ଧରି ତୈଳ ଦର ବୃଦ୍ଧି ଧାରା ଅବ୍ୟାହତ ରହିଛି। ଘରୋଇ ବଜାରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଧାରା ଜାରି ରହି ଆଜି ୧୧ତମ ଦିନରେ ପହଞ୍ଚିଛି। ବୁଧବାର ପେଟ୍ରୋଲ ଲିଟର ପିଛା ୩୦ ପଇସା ଏବଂ ଡିଜେଲ ୨୬ ପଇସା ବୃଦ୍ଧିି ଘଟିଥିବାବେଳେ ଆଜି ପେଟ୍ରୋଲ ଲିଟର ପିଛା ୩୦ ଏବଂ ଡିଜେଲ ୧୯ ପଇସା ବୃଦ୍ଧିି ଘଟିଛି। କ୍ରମାଗତ ଭାବେ ୧୧ ଦିନ ଧରି ତୈଳ ଦର ବୃଦ୍ଧିି ଯୋଗୁ ଦେଶରେ ପେଟ୍ରୋଲ ଲିଟର ପିଛା ମୋଟ ୨ଟଙ୍କା ୮୪ ପଇସା ଏବଂ ଡିଜେଲ ୨ଟଙ୍କା ୬୦ ପଇସା ବୃଦ୍ଧି ଘଟିଛି।

ରାଜଧାନୀ ନୂଆଦିଲ୍ଲୀରେ ଗୁରୁବାର ପେଟ୍ରୋଲ ଲିଟର ପିଛା ୭୭ ଟଙ୍କା ୪୭ ପଇସା ଏବଂ ଡିଜେଲ ୬୮ ଟଙ୍କା ୫୩ ପଇସାରେ ପହଞ୍ଚିଛି। ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ୨୯ ପଇସା ହୋଇଛି, ଯାହାକି ଦେଶରେ ସର୍ବୋଚ୍ଚ। ଭୁବନେଶ୍ୱରଠାରେ ଆଜି ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ଘଟି ୭୬ ଟଙ୍କା ୨୪ ପଇସା ଏବଂ ଡିଜେଲରେ ୨୮ ପଇସା ବୃଦ୍ଧି ଘଟି ୭୩ ଟଙ୍କା ୪୦ ପଇସା ହୋଇଛି।

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ରାଜନୀତିକ ଆଲୋଚନା ଓ ସମାଲୋଚନା। ଦରହ୍ରାସ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳଦର ହ୍ରାସରୁ ନିସ୍ତାର ଲାଗି ରାଜ୍ୟ ଉପରକୁ ବଲ୍‍ ଫିଙ୍ଗିଥିବାବେଳେ ରାଜ୍ୟର ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ କେନ୍ଦ୍ର ତା’ର ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ଯୁକ୍ତି ବାଢିଛନ୍ତି।

 ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ତୈଳଦର ହ୍ରାସ କରିବା ଦାୟିତ୍ୱ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର। ଗତ ଅକ୍ଟୋବରରେ କେନ୍ଦ୍ର ସରକାର ତେଲ ଉପରୁ ୨ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ତେଣୁ ଏବେ ରାଜ୍ୟ ସରକାରଙ୍କ ଦାୟିତ୍ୱ ସେ ଭାଟ୍‍ ହ୍ରାସ କରି ସାଧାରଣ ଜନତାଙ୍କୁ ତୈଳଦର ବୃଦ୍ଧିରୁ କିଛିଟା ଆଶ୍ୱସ୍ତି ଦିଅନ୍ତୁ। ଗୋଆର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶା ସରକାର ୨୬ ପ୍ରତିଶତ ଭାଟ୍‍ ଆଦାୟ କରୁଥିବାବେଳେ ଗୋଆ ସରକାର ମାତ୍ର ୧୨ ପ୍ରତିଶତ ଭାଟ୍‍ ଆଦାୟ କରୁଛନ୍ତି। ଅନ୍ତର୍ଜାତୀୟସ୍ତରରେ ଯେତେବେଳେ ତୈଳଦର ହ୍ରାସ ପାଇଥିଲା ସେତେବେଳେ କେନ୍ଦ୍ରସରକାର ଏକ୍ସାଇଜ୍‍ ଡ୍ୟୁଟି ବଢ଼ାଇ ବହୁ ଅର୍ଥ ସଞ୍ଚୟ କରି ରାଜ୍ୟମାନଙ୍କୁ ବାଣ୍ଟିଥିଲେ। ବଢ଼ା ଏକ୍ସାଇଜ୍‍ରୁ ଯାହା ଅର୍ଥ ମିଳୁଛି ସେଥିରୁ ରାଜ୍ୟକୁ ସିଧାସଳଖ ୪୨ପ୍ରତିଶତ ପ୍ରଦାନ କରାଯାଉଥିବାବେଳେ ବିଭିନ୍ନ ଯୋଜନାରେ କେନ୍ଦ୍ରର ଅଂଶଧନ ବାବଦକୁ ଅବଶିଷ୍ଟ ଅର୍ଥର ୭୦ ପ୍ରତିଶତ ପ୍ରଦାନ କରାଯାଉଛି। ଏହାବାଦ୍‍ ବିଭିନ୍ନ ଉନ୍ନତିମୂଳକ ଯୋଜନାରେ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରୁଛନ୍ତି। ମାତ୍ର ରାଜ୍ୟ ସରକାର ଭାଟ୍‍ ନଛାଡି ଅଯଥା ରାଜନୀତି କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।ଉତ୍ପାଦନକାରୀ ରାଷ୍ଟ୍ରଗୁଡିକ ମଧ୍ୟରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ତୈଳ ଦର ବୃଦ୍ଧି ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଦାୟୀ କରିବା ସହ ଡଲାର ତୁଳନାରେ ଟଙ୍କାର ମୂଲ୍ୟହ୍ରାସକୁ ମଧ୍ୟ ଅନୁରୂପ କାରଣ ରୂପେ ଦର୍ଶାଇଛନ୍ତି। ଖୁବ୍‍ଶୀଘ୍ର ସମସ୍ୟାର ସମାଧାନ ଲାଗି କେନ୍ଦ୍ର ସରକାର ବିଚାର ବିମର୍ଶ କରିବା ସହ ବିକଳ୍ପ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଉଥିବା ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅନୁରୂପ ଭାବେ ନୀତି ଆୟୋଗ ମଧ୍ୟ ତୈଳଦର ହ୍ରାସ ଲାଗି ବିଭିନ୍ନ ରାଜ୍ୟମାନଙ୍କୁ ସେମାନଙ୍କ ଭାଟ୍‍ ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ତୈଳମନ୍ତ୍ରୀଙ୍କ ଏଭଳି ପ୍ରସ୍ତାବକୁ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କଠୋର ସମାଲୋଚନା କରିଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ, ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ତୈଳ ଉପରେ ସବୁଠାରୁ କମ୍‍ ଭାଟ୍‍ ଆଦାୟ କରାଯାଉଛି। ପେଟ୍ରୋଲ ଉପରେ ଓଡ଼ିଶାରେ ବିକ୍ରିକର/ଭାଟ୍‍ ୨୪.୫୬ ପ୍ରତିଶତ ଥିବାବେଳେ ମୁମ୍ବଇରେ ଏହା ୩୯.୭୮ ପ୍ରତିଶତ। ମଧ୍ୟପ୍ରଦେଶରେ ୩୬.୧୪%, ରାଜସ୍ଥାନରେ ୩୦ 

.୮୬%, ଗୋଆରେ ୧୬.୬୨% ଓ ପଞ୍ଜାବରେ ୩୫.୩୫ ପ୍ରତିଶତ ରହିଛି। ରାଜ୍ୟ ଟିକସ ତୁଳନାରେ କେନ୍ଦ୍ରର ଉତ୍ପାଦ ଶୁଳ୍କ ଅଧିକ। ନିଜ ଉପରୁ ଦାୟିତ୍ୱ ଖସାଇବା ଲାଗି ତୈଳମନ୍ତ୍ରୀ ଏଭଳି ବିବୃତି ଦେଇଥିବା ଶ୍ରୀ ବେହେରା ସମାଲୋଚନା କରିଛନ୍ତି। ୨୦୧୩-୧୪ରେ ସମୁଦାୟ ଏକ୍ସାଇଜ ଯେତେ ଥିଲା ୨୦୧୬-୧୭ ସୁଦ୍ଧା ସେଥିରେ ୩୦୦ପ୍ରତିଶତ ବୃଦ୍ଧି ଘଟିଛି। ତେଲ ଉପରେ ଏକ୍ସାଇଜ ଡ଼୍ୟୁଟି ୩ଟଙ୍କା ଥିବାବେଳେ ଏହାକୁ ୯ଥର ବଢ଼ାଇବା ଦ୍ୱାରା ଏହା ୨୧ଟଙ୍କାରେ ପହଞ୍ଚିଛି। ସେ ଦୃଷ୍ଟିରୁ କେନ୍ଦ୍ର ସରକାର ଚାହିଲେ ଏକ୍ସାଇଜକୁ କମାଇପାରିବେ। ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ଚାପ ପ୍ରୟୋଗ କରିବାର କୌଣସି ଆବଶ୍ୟକତା ନାହିଁ। କେନ୍ଦ୍ର ଚାହିଁଲେ ଆଉ ୧୦ଟଙ୍କା କମାଇଦେଇପାରିବ। ଏବେ ତେଲ ଦର କମାଇବା ପାଇଁ ଜିଏସଟି ଲାଗୁ ନେଇ ହେଉଥିବା ଦାବି ଉପରେ ଶ୍ରୀ ବେହେରା କହିଥିଲେ ଯେ ଜିଏସଟି ପରିଷଦ ବୈଠକ ବସିଲେ ଏହା ଉପରେ ଆଲୋଚନା ହୋଇ ଯାହା ନିଷ୍ପତ୍ତି ନିଆଯିବ। ଜିଏସଟି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଠିକଣା ଭାବେ ତଥ୍ୟ ରଖାଯିବ। ତେଣୁ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ଅଯଥା ଆରୋପ ଲଗାଇବାର କୌଣସି ଆବଶ୍ୟକତା ନାହିଁ।

ଅପରପକ୍ଷରେ ତୈଳଦର ହ୍ରାସ ଦାବିରେ ରାଜ୍ୟରେ ଉଭୟ ବିଜେଡି ଓ କଂଗ୍ରେସ ବିଜେପିକୁ ଘେରିଛନ୍ତି। ତୈଳଦର କମାଇବା ଲାଗି କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ବିଜେଡି ୨୮ ତାରିଖରୁ ତିନିଦିନିଆ ଆନ୍ଦୋଳନ ଡାକରା ଦେଇଛି। ଭୁବନେଶ୍ୱରରେ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବା ସହ ରାଜ୍ୟର ୩୧୪ଟି ବ୍ଲକ୍‍ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି।କଂଗ୍ରେସ କର୍ମୀମାନେ ଗୁରୁବାର ତୈଳଦର ବୃଦ୍ଧି ପ୍ରତିବାଦରେ କଟକର ବିଭିନ୍ନ ତେଲଟାଙ୍କି ନିକଟରେ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରିଛନ୍ତି। ଆସନ୍ତା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ କଟକ ଗସ୍ତରେ ଆସୁଥିବାରୁ କଂଗ୍ରେସ ୧୨ଟି ପ୍ରଶ୍ନ ଏହି ମର୍ମରେ ତାଙ୍କୁ ପଚାରିଛି।

Leave A Reply